ବିଶ୍ୱ ସାହିତ୍ୟ ସମୀକ୍ଷା ପ୍ରଥମ ଖଣ୍ଡ.

 

 

 

 

 

 

 

 

 

ବିଶ୍ୱ ସାହିତ୍ୟ ସମୀକ୍ଷା

(ପ୍ରଥମ ଖଣ୍ଡ)

ଅଧ୍ୟାପକ ଶ୍ରୀ ତାରିଣୀଚରଣ ଦାସ

 

ସୂଚୀପତ୍ର

 

୧.

ମେଘଦୂତ

(କାଳିଦାସ)

୨.

ଗୀତାଞ୍ଜଳି

(ରବୀନ୍ଦ୍ର)

୩.

କଲକାତାର କାଛେଇ

(ଗଜେନ୍ଦ୍ର ନାଥ)

୪.

ଗୋଦାନ

(ପ୍ରେମଚନ୍ଦ୍‌)

୫.

ଗ୍ରୋଥ୍‌ ଅଫ୍‌ ଦ’ ସଏଲ୍‌

(ହାମ୍‌ସୁନ୍‌)

୬.

ଷ୍ଟେଟ୍‌ ଇଜ୍‌ ଦ ଗେଟ୍‌

(ଆନ୍ଦ୍ରେଜିଦ୍‌)

୭.

ଓଲ୍‌ଡ଼ ମେନ୍‌ ଏଣ୍ଡ୍‌ ଦ ସି

(ହୋମିଂଉଏ)

୮.

ଡକ୍ଟର ଜୀବାଗୋ

(ପେସ୍ତରନାକ୍‌)

୯.

ଦି’ ଓ୍ୱେଷ୍ଟଲେଣ୍ଡ

(ଇଲିଏଟ)

☆☆☆

 

 

 

 

 

 

 

 

 

 

 

 

ପୁରୁଷୋତ୍ତମ ଶ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କୁ ସଭକ୍ତି

 

 

 

 

 

 

 

 

ସଂସ୍କୃତ ସାହିତ୍ୟ

କାଳିଦାସ...

ମେଘଦୂତ

 

ଯେଉଁ ସମୟରେ ଯୁବକ କାଳିଦାସଙ୍କ ମନକୁ ଗୋଟିଏ ଦିଗରୁ ବିମଳ ବିଶ୍ୱ ପ୍ରକୃତିଠାରୁ ଅନନ୍ତ ପ୍ରେରଣା ଆସୁଥିଲା, ଅନ୍ୟ ଦିଗରୁ ଯୌବନ ସୁଲଭ ବାସନାର ଝଡ଼ ହୃଦୟ ଭିତରେ ଉଠି ତାଙ୍କୁ ଉଦ୍‌ବେଳିତ କରୁଥିଲା, ନାରୀର କୋମଳ ସୌନ୍ଦର୍ଯ୍ୟର ହିଲ୍ଲୋଳ ଅନ୍ତଃସ୍ତଳରେ ବାଜି ଝଂକୃତ କରିଦେଉଥିଲା, ଯୌବନର ମହତୀ ଆକାଙ୍‌କ୍ଷା ଓ ଆଦର୍ଶ ବାସନା ସହ ସଙ୍ଘର୍ଷ କରୁଥିଲେ ଏବଂ କବିଙ୍କୁ ଶକୁନ୍ତଳାର ଚରମ ଆଦର୍ଶ ସ୍ଥାପନ କରିବା ସକାଶେ ଆହୁରି ସମୟ ବାକି ଥିଲା ସମ୍ଭବତଃ ସେତିକିବେଳେ ‘‘ମେଘଦୂତ’’ କବି-ପ୍ରତିଭାର ଦ୍ୟୋତକ ରୂପେ ଯୌବନର ଉଚ୍ଛୃଙ୍ଖଳତା ଏବଂ ସୌନ୍ଦର୍ଯ୍ୟ-ପିପାସା ନେଇ କବି ହୃଦୟରୁ ନିସୃତ ହୋଇଥିଲା...ଉଛୁଳି ପଡ଼ିଥିଲା !

 

କାଳିଦାସଙ୍କର ଏହି ସମୟର କଳ୍ପନାଗୁଡ଼ିକରେ ଥିଲା ତାଙ୍କ ମହାନତାର ସୂଚନା-ବିରାଟ ପ୍ରତିଭାର ଉନ୍ମେଷ ! ସତେ ଯେମିତି ଏହି ମେଘଦୂତ କାଳିଦାସଙ୍କର ଯୌବନ-ବାସନାର ପ୍ରତୀକ, ଅମଙ୍ଗଳର ପ୍ରତ୍ୟାଖ୍ୟାନ ଏବଂ ସମ୍ପୂର୍ଣ୍ଣ ଭାରତୀୟ ଆଦର୍ଶର ସଂକ୍ଷିପ୍ତ ଭୂମିକା । ଶକୁନ୍ତଳା ନାଟକରେ ଯେଉଁ କାମ, ପ୍ରେମ, ସୌନ୍ଦର୍ଯ୍ୟ; ଭ୍ରାନ୍ତି, ଅବଧି ଏବଂ ମିଳନ ବିଷୟମାନ ନିହିତ ରହିଛି, ସେ ସମସ୍ତ ବିଷୟ ମେଘଦୂତରେ ସୂଚ୍ୟରୂପେ ପ୍ରାପ୍ତ ହୋଇଥାଏ । ଯେଉଁ କାମ ଶକୁନ୍ତଳା ଓ କୁମାର ସମ୍ଭବ ଆଦି ଗ୍ରନ୍ଥରେ ଅଭିଶପ୍ତ...ବିରହାନଳ ଦ୍ୱାରା ଦଗ୍‌ଧ...ଜ୍ଞାନାନନ୍ଦ ଦ୍ୱାରା ଭସ୍ମୀଭୂତ, ସେଇ ‘କାମ’ ମେଘଦୂତର ପ୍ରାରମ୍ଭରୁହିଁ କାଳିଦାସଙ୍କ କୁହୁକଲେଖନୀ ଦ୍ୱାରା ଗୋଟିଏ ମାତ୍ର ଶ୍ଳୋକରେ ସମାପ୍ତ କରିଦିଆଯାଇଛି । ଅର୍ଥାତ୍‌ ସଂଯମ ଦ୍ୱାରା ଭୋଗ, କାମ ବାସନାର ମାର୍ଗାନ୍ତରୀକରଣ (Redirection) ଏବଂ ଶୁଦ୍ଧି (Sublimation of Sex) ଆଦି ଭାରତୀୟ ଆଦର୍ଶକୁ କାଳିଦାସ କାମବିଭୋର ଯକ୍ଷର ଅଭିଶାପ ଦ୍ୱାରାହିଁ ସ୍ପଷ୍ଟ କରିଛନ୍ତି ।

 

କୋମଳ କୈଶୋର୍ଯ୍ୟ ଅତିକ୍ରମ କଲାପରେ ଯୌବନରେ ପାଦଦେଇ ଯୁବକ ଯୌବନର ନବୀନ ଦାୟିତ୍ୱ ଦ୍ୱାରା ଭାରାକ୍ରାନ୍ତ ହୋଇପଡ଼େ । ଏକଦିଗରୁ ବାସନା ପ୍ରବଳ ବେଗରେ ମାଡ଼ିଆସେ ଏବଂ ଅନ୍ୟଦିଗରୁ ଉଠେ ଲୋକେଷଣାର ଚରମ ଆଦର୍ଶ । ଏଠାରେ ଯୁବକ ଯାହା ଅଛି ଏବଂ ଯାହା ସେ ହେବାକୁ ଚାହୁଁଛି ଅର୍ଥାତ୍‌ ‘ଅସ୍ତି’ ଏବଂ ‘ଭବାମି’ ବା ‘ଭବିଷ୍ୟମି’ର ଦ୍ୱନ୍ଦ୍ୱ ଚାଲିଥାଏ । ଏତିକିବେଳେ ଯୁବକର ଅନ୍ତଃସ୍ତଳରେ ଚାଲିଥାଏ କାମ ଏବଂ ପ୍ରେମ, ତ୍ୟାଗ ଏବଂ ଭୋଗ, ଜ୍ଞାନ ଏବଂ ଅଜ୍ଞାନ ଓ ଉତ୍‌ଥାନ ଏବଂ ପତନର ତୁମୁଳ ସଂଗ୍ରାମ....ପ୍ରବଳ ସଂଘର୍ଷ । ଏଣୁ କୁହାଯାଇପାରେ, ଯେ, ମେଘଦୂତ କାଳିଦାସଙ୍କର ଯୌବନର ମାଦକତା ଆଦର୍ଶବାଦ, ପ୍ରାକୃତିକ ଏବଂ କୃତ୍ରିମ-ସୌନ୍ଦର୍ଯ୍ୟର ଅଦମ୍ୟ ପିପାସା, ଆନ୍ତରିକ ସୌନ୍ଦର୍ଯ୍ୟର ଅଭିବ୍ୟକ୍ତି ଏବଂ ଲୋକେଷଣାର ଆଗ୍ରହ ଛଡ଼ା ଆଉ କିଛି ନୁହେଁ ।

 

ମେଘଦୂତ ଯକ୍ଷର କରୁଣ ବେଦନା ନୁହେ-ତାହା କାଳିଦାସଙ୍କ ବିରହୀ ହୃଦୟର ବେଦନା...ବିଶ୍ୱର ଯେକୌଣସି ଯୁବକର ଅନ୍ତର ବେଦନା...ମନୋ-ବିଶ୍ଳେଷଣ । ଏଣୁ ମେଘଦୂତର ଯକ୍ଷ ବିରହୀ ବିଶ୍ୱଯୁବକର ପ୍ରତୀକ ଆଉ ମେଘଦୂତ ଯୁବକ-ମନର ବ୍ୟାଖ୍ୟା ।

 

ଯୌବନରେ କବିଙ୍କ ପ୍ରତିଭା ଚାହୁଁଥିଲା ପ୍ରକାଶର ମାଧ୍ୟମ । ଏଣୁ କବି ସାଧାରଣ ଯକ୍ଷର କଥାବସ୍ତୁକୁ ଅବଲମ୍ୱନ କରି ତୋଳିଲେ ମେଘଦୂତ ପରି ଅଭ୍ରଶ୍ଚୁମ୍ୱୀ କାବ୍ୟପ୍ରାସାଦ । ଏହି କାବ୍ୟରେ ଫୁଟିଉଠୁଥିଲା କବିଙ୍କର ଉଚ୍ଛୁଳା ଯୌବନର ମାଦକତା...ଏବଂ ତାଳେ ତାଳେ ନାଚିଉଠୁଥିଲା ବିଶ୍ୱ-ସୌନ୍ଦର୍ଯ୍ୟ ଉତ୍ତାଳ-ତରଙ୍ଗ ।

 

ମେଘଦୂତ ପ୍ରାକୃତିକ ଏବଂ କୃତ୍ରିମ ସୌନ୍ଦର୍ଯ୍ୟର ଆକର । ପୂର୍ବମେଘରେ ରହିଛି ଶେଷ ପ୍ରକୃତି ବା ବହିର୍ପ୍ରକୃତିର ବିଶଦ ବର୍ଣ୍ଣନ ଏବଂ କାଳିଦାସଙ୍କ ସୌନ୍ଦର୍ଯ୍ୟଲିପ୍‌ସୁ ମନ ଗିରି, ନଦୀ, ବିଲ ବନର ହରିତିମା ଉପରେ ବାଦଲର ଆକାର ନେଇ ସୌନ୍ଦର୍ଯ୍ୟ ଚୟନକରି ବୁଲିଛି । ଆଉ କବିଙ୍କ ଅନ୍ତସୌନ୍ଦର୍ଯ୍ୟ ଉତ୍ତର ମେଘରେ ସାଂସାରିକ ଲୌକିକ ସୌନ୍ଦର୍ଯ୍ୟର ପରିପୂରକ ହୋଇ ଉଛୁଳି ପଡ଼ିଛି । କାଳିଦାସଙ୍କ ହୃଦୟ ଯେ କେଡ଼େ ସୁନ୍ଦର...ମନୋରମ ତାହା ଉତ୍ତର ମେଘରୁ ପ୍ରତିପାଦିତ ହୋଇଥାଏ ।

 

ମେଘଦୂତର ପୂର୍ବାର୍ଦ୍ଧ ବିରହ, ଭ୍ରାନ୍ତି, ଅଭିଶାପ ଓ ପରିତାପରେ ପୂର୍ଣ୍ଣ । ଉତ୍ତର ମେଘ ସ୍ୱର୍ଗୀୟ ରଙ୍ଗଭୂମିର ମହାକଳ୍ପନା, ସୌନ୍ଦର୍ଯ୍ୟ-କଳ୍ପନାର ପରାକାଷ୍ଠା...କବିଙ୍କ ଆନ୍ତରିକ ସୌନ୍ଦର୍ଯ୍ୟର ପ୍ରକାରାନ୍ତର ପ୍ରକାଶ ମାତ୍ର ।

 

ମେଘଦୂତ ପ୍ରାରମ୍ଭରୁହିଁ ଦାସତା, ବନ୍ଧନ ଏବଂ କର୍ତ୍ତବ୍ୟକୁ ପଦାଘାତ କରି ସ୍ୱଚ୍ଛନ୍ଦତା ଓ ବିସ୍ମୃତି ପ୍ରତି ବିଦ୍ରୋହ କରିଆସିଛି । ମେଘଦୂତର ଯୁବକ ନାରୀ ସୌନ୍ଦର୍ଯ୍ୟର ମଦିରାରେ ଉନ୍ମତ୍ତ ହୋଇ ଭୁଲିଯାଇଛି ନିଜର କର୍ତ୍ତବ୍ୟ । ସତେ ଯେପରି ଯୌବନର ଉଚ୍ଛୃଙ୍ଖଳତା ହିଁ ସ୍ୱାଧିକାରାତ୍‌ ପ୍ରମତ୍ତଃ’’ ହୋଇ ଭାରତୀୟ ଆଦର୍ଶ ଓ ମଙ୍ଗଳାକାଙ୍‌କ୍ଷାକୁ ପଦଦଳିତ କରିଦେଇଛି । ଏହି ବିସ୍ମୃତି ଦିନେ ଶକୁନ୍ତଳା ନାଟକର ଦୁଷ୍ମନ୍ତଙ୍କଠାରେ ମଧ୍ୟ ଦେଖାଦେଇଥିଲା । କିନ୍ତୁ ମେଘଦୂତର ଯକ୍ଷ କାମ ପ୍ରଣୋଦିତ ହେଇ କର୍ତ୍ତବ୍ୟରେ ଅବହେଳା କରି କ୍ଷମ୍ୟ ହୋଇନାହିଁ । ସେ ନିଜ ପ୍ରଭୁଙ୍କଠାରୁ ପାଇଛି ଅଭିଶାପ–ଅଭିଶାପ ନୁହେଁ ଦେଶ-ନିର୍ବାସନର ଦଣ୍ଡ...କାମକୁ ପ୍ରେମରେ ପରିଣତ କରିବା ବିରହ-ସାଧନା ।

 

ସାଧନା ! ତାହା ତ ପତନ ଏବଂ ଉତ୍‌ଥାନର ସମଷ୍ଟି । କିନ୍ତୁ ତା’ର ଚରମ ପରିଣତି ପତନ ନୁହେ ଉତ୍‌ଥାନ–ପରାଜୟ ନୁହେ ଜୟ । ଯେଉଁଠି ପତନ ନାହିଁ ସେଠି ଉତ୍‌ଥାନ ମଧ୍ୟ ନାହିଁ-। ପର୍ବତର ଉତ୍ତୁଙ୍ଗ ଶିଖରରୁ ଯଦି ଖରସ୍ରୋତା ବନ-ସରିତା ଝର୍‌ଝର୍‌ ଗତିରେ ତଳକୁ ଖସି ନ ଆସନ୍ତା ତାହାହେଲେ କି ସେ ପ୍ରବଳ ଆକୁଳ ବଳ ନେଇ କଳକଳ ନାଦରେ ଅସୀମ ସାଗରରେ ମିଶିପାରନ୍ତା ? ଏଣୁ ପତନ ହିଁ ଉତ୍‌ଥାନର ମୂଳକାରଣ । ଏଥିଯୋଗୁଁ ଶକୁନ୍ତଳା ନାଟକର ଶକୁନ୍ତଳା ଏବଂ ମେଘଦୂତର ଯକ୍ଷ ପ୍ରଥମେ ପତିତ ଏବଂ ସ୍ଖଳିତଭାବେ ଚିତ୍ରିତ ହୋଇଛନ୍ତି । ଏହି ସ୍ଖଳନରୁ କାଳିଦାସ ମାନବୀୟ ଭ୍ରାନ୍ତି ବା ଗଲତିକୁ ସ୍ୱାଭାବିକ ବୋଲି ପ୍ରମାଣିତ କରିଛନ୍ତି ।

 

ଶକୁନ୍ତଳା ପ୍ରଥମେ ପାର୍ଥିବ ବାସନାଦ୍ୱାରା ଆକ୍ରାନ୍ତ ହୋଇ....ପ୍ରାକୃତିକ କାମ ବାସନାରେ ଉଦ୍‌ବେଳିତ ହୋଇ, ଦୁଷ୍ମନ୍ତଙ୍କର ଅଙ୍କ ଶାୟିନୀ ହୋଇଛି । ଯକ୍ଷ ସେଇ କାମ ବାସନାର ଅନ୍ତଃପ୍ରେରଣା ଦ୍ୱାରା ପରିଚାଳିତ ହୋଇ କର୍ତ୍ତବ୍ୟ ଓ ଆଦର୍ଶର ତିରସ୍କାର କରିଛି । ଏଣୁ କାଳିଦାସଙ୍କ ଆଦର୍ଶବାଦ ଓ କଳ୍ପନାଠାରୁ ଏହି ବାସ୍ତବ ପତନ ଆହୁରି ଅଧିକ ବାସ୍ତବ...ଯଥାର୍ଥ ଓ ନିରାଟ ସତ୍ୟ । ଅତଃ କୁହାଯାଇପାରେ ଯେ, ମେଘଦୂତ ଯଥାର୍ଥକୁ ଆଦର୍ଶ, ପତନକୁ ଉତ୍‌ଥାନ ଏବଂ ଅମଙ୍ଗଳକୁ ମଙ୍ଗଳ ଆଡ଼କୁ ଅଗ୍ରସର କରୁଥିବା କାବ୍ୟ-ସାଧନା । ଏଥିରେ ଥିବା ଐତିହାସିକ ସତ୍ୟ, ମେଘଦୂତର ମନୋବୈଜ୍ଞାନିକ ଆଧାର ଆହୁରି ବ୍ୟାପକ, ବାସ୍ତବ ଏବଂ ସାର୍ବକାଳୀନ ।
 

ସଂଯମ ଓ ତ୍ୟାଗ ଦ୍ୱାରା ଭୋଗ କରିବା ହେଉଛି ଭାରତୀୟ ଆଦର୍ଶ । ଏକଥାକୁ ବାରମ୍ୱାର ମହାକବି ରବୀନ୍ଦ୍ରନାଥ ଉଦ୍ଧୃତ କରିଥାନ୍ତି-‘‘ତ୍ୟକ୍ତେନ ଭୁଞ୍ଜୀଥା...ମା ଗୁଧଃ’’ ଅର୍ଥାତ୍‌ ତ୍ୟାଗ ଦ୍ୱାରା ଭୋଗକର...ଲୋଭ କର ନାହିଁ । ଏଣୁ ପ୍ରାଚୀନ ଆଦର୍ଶର ଆରାଧକ ମହାକବି କାଳିଦାସ ଉଚ୍ଛୃଙ୍ଖଳ ଯୌବନ-ବାସନାର ତିରସ୍କାର କରିଛନ୍ତି...ପରିତାପ ଅନଳରେ ତାକୁ ଦଗ୍‌ଧ କରିଛନ୍ତି । କିନ୍ତୁ କାଳିଦାସ ତାଙ୍କ ଉଚ୍ଛୃଙ୍ଖଳିତ ଯୌନବାସନାକୁ ମେଘଦୂତର ମାଦକ ବର୍ଣ୍ଣନଜାଳର ଆବରଣରେ କ’ଣ ଢାଙ୍କି ପାରିଛନ୍ତି ? ଶକୁନ୍ତଳାରେ ଯେଉଁ ସଂଯମ ଓ ଆଦର୍ଶର ପରାକାଷ୍ଠା ରହିଛି ତାହା ମେଘଦୂତ କିମ୍ୱା କୁମାର ସମ୍ଭବରେ ନାହିଁ । ଏଣୁ ଅନୁମାନ କରାଯାଏ ଯେ, ମେଘଦୂତ କାଳିଦାସଙ୍କ ଉଚ୍ଛୃଙ୍ଖଳ ଯୌବନର କଳାକୃତି । ନ ହେଲେ କି କବି ଲେଖିଥାନ୍ତେ-

 

‘ପ୍ରସ୍ଥାନଂତେ କଥମପି ସଖେ

ଲମ୍ୱମାନସ୍ୟ ଭାବି ।

ଜ୍ଞାତାସ୍ୱାଦୋ ବିବୃତ ଜଘନାଂ

କୋ ବିହାତୁଂ ସମର୍ଥ ?’

 

ମେଘଦୂତର ଯକ୍ଷ ନିଜର ହାର୍ଦ୍ଦିକ ବାସନାଗୁଡ଼ିକୁ ବିଶ୍ୱ ପ୍ରକୃତି ଉପରେ ନ୍ୟସ୍ତକରି ନିଜର ମନକୁ ହିଁ କାବ୍ୟର ରୂପ ଦେଇଛି । ଆମେ ନିଜର ଅନ୍ତରକୁ ହିଁ ବାହାରେ ବିଞ୍ଚିଦେଇ ନିଜ ଆଖିରେ ଦେଖିଥାଉଁ । ମନୁଷ୍ୟ ନିଜ ହୃଦୟର ଆହ୍ଲାଦବେଦନା ଏବଂ ସୁଖ-ଦୁଃଖ ଆଦିକୁ ବାହାରେ ଅନୁଭବ କରିଥାଏ । ଯୁବକ ମନରେ ସଦା ନାରୀର କଳ୍ପନା ରହିବା ସ୍ୱାଭାବିକ । ଏଣୁ ବିଶ୍ୱ ଯୁବକର ପ୍ରତୀକ ଯକ୍ଷ ସମସ୍ତ ବହିର୍‌ ପ୍ରକୃତି ଉପରେ ନାରୀର ରୂପ ସଂଦର୍ଶନ କରିଛି ।

 

ଯକ୍ଷର ମନ ମେଘର ଆକାର ନେଇ କ୍ଷୀଣସ୍ରୋତା ନଦୀର ମନ୍ଦ ମନ୍ଥର ହଂସ ପଙ୍‌କ୍ତିରେ ଦେଖେ ନାରୀର ନିତମ୍ୱମେଖଳା, ନଦୀ ତଟସ୍ଥ ହରିତ୍‌ ବେତ୍ରରାଜିରେ ଦେଖେ କାମିନୀର ବିଲୁଳିତ ଶାଟିକା ଏବଂ ମନ୍ଦ ମଧୁର ବାତ୍ୟାରେ ପାଏ ଜଳକ୍ରୀଡ଼ାରତ ପଦ୍ମଗନ୍ଧା ସ୍ତ୍ରୀଙ୍କର ମଦିର ଗନ୍ଧ ! ଏଣୁ ମେଘଦୂତ ଯେ ଯୌବନର କଳାକୃତି ଏଥିରେ ସନ୍ଦେହ ନାହିଁ ।

 

ମେଘଦୂତର କଳ୍ପନା କେବଳ ବ୍ୟର୍ଥ କଳ୍ପନା ନୁହେଁ-ଯୌବନ-ମନର ବାସ୍ତବିକ ଯଥାର୍ଥ ସତ୍ୟ କଳ୍ପନା । ଏହି କାବ୍ୟରେ ବିଶ୍ୱ ଯୁବକର ବିରହୀମନ ସ୍ୱାଭାବିକ ଅଭାବ ତତ୍ତ୍ୱ ଉପରେ ଆଶ୍ରିତ ହୋଇ ସଂପୂର୍ଣ୍ଣ ବିଶ୍ୱରେ ନିଜର କ୍ଷତି ପୂର୍ତ୍ତି ଚାହିଁଛି...ମାନବୀୟ ଅଭାବ ପ୍ରତି ବିଦ୍ରୋହ କରିଛି । ସାଧାରଣତଃ ମନୁଷ୍ୟ ଯାହା ବାସ୍ତବିକ ସଂସାରରେ ପାଏନାହିଁ, ତାହା ସ୍ୱପ୍ନ କିମ୍ୱା କଳ୍ପନାଲୋକରେ ପାଇବ ନାହିଁ ତ ଆଉ ପାଇବ କେଉଁଠି ? ଏଣୁ ସଂପୂର୍ଣ୍ଣ ମେଘଦୂତ କାବ୍ୟ ଗୋଟିଏ ଅଭାବର ହିଁ ପୂର୍ତ୍ତି.....ଅପୂର୍ଣ୍ଣତାର ବିଦ୍ରୋହ !

 

କବି କହିଛନ୍ତି–

 

‘‘କାମର୍ତ୍ତାହି ପ୍ରକୃତି କୃପଣା ଶ୍ଚେତନାଶ୍ଚେତନେଷୁ’’

 

ଅର୍ଥାତ୍‌ କାମ ପ୍ରଣୋଦିତ ମାନବ ପ୍ରକୃତିତଃ ଚେତନ-ଅଚେତନ ନିର୍ଣ୍ଣୟ ଜ୍ଞାନରୁ ଚ୍ୟୁତ ହୋଇଥାଏ । ମେଘଦୂତର ଯକ୍ଷ ଦିନେ ଏପରି ଗୋଟିଏ ନିର୍ଜୀବ ମେଘକୁ ଚେତନ ଭାବି ସନ୍ଦେଶ ପ୍ରେରଣ କରିଛି । ଏହି ସ୍ମୃତି-ବିସ୍ମୃତିର ଖେଳ ମେଘଦୂତ କାବ୍ୟରେ ଲାଗି ରହିଛି । ଅର୍ଥାତ୍‌ ମେଘଦୂତ ସ୍ମରଣ, ସଂବେଗ ଓ ବିସ୍ମରଣର ଗୋଟିଏ ଆବର୍ତ୍ତ ବା ଚକ୍ର ଉପରେ ଆଧାରିତ ହୋଇଛି-। ପ୍ରଥମେ ମେଘଦୂତର ପ୍ରାରମ୍ଭରେ ଯକ୍ଷ ନିଜ ସ୍ତ୍ରୀର ସ୍ମରଣ କରୁ କରୁ ସଂବେଗ ଅବସ୍ଥାରେ ପହଞ୍ଚି ବିସ୍ମୃତିବଶତଃ ନିଜ ପ୍ରଭୁଙ୍କୁ ବାସି ପୁଷ୍ପ ଅର୍ପଣ କରେ । ସେହି ବିସ୍ମୃତିଜନିତ ଭ୍ରାନ୍ତି ଯୋଗୁ ଅଭିଶପ୍ତ ହୋଇ ସୁଦ୍ଧା ରାମଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ନିର୍ଜନତା ଭିତରେ ଅଭାବ-ଅନୁଭବର ଚରମ ଅବସ୍ଥାରେ ପହଞ୍ଚି ମେଘକୁ ଦୂତ କରି ପ୍ରେରଣ କରେ । ସେତେବେଳେ ବି ତା’ର ଚେତନ ଅଚେତନର ସ୍ମୃତି ନ ଥାଏ । ତେଣୁ ମେଘଦୂତର ଗତି ସ୍ମୃତିରୁ ସଂବେଗ, ସଂବେଗରୁ ବିସ୍ମୃତି ଏବଂ ବିସ୍ମୃତିରୁ ସ୍ମୃତି ଆଡ଼କୁ ଦେଖାଦେଇଥାଏ । ଯକ୍ଷ ଚେତନାଚେତନ ଜ୍ଞାନରୁ ବିରତ ହୋଇଥିଲେ ସୁଦ୍ଧା ତା’ର ମଧୁମୟୀ ମଦିରନୟନା, କୋମଳ ଲଳନା ପ୍ରେୟସୀର ସ୍ମୃତିକୁ ନିଜ ସ୍ମୃତିପଟରୁ କଦାପି ପୋଛିଦେଇ ନାହିଁ । ଏଣୁ ସଂପୂର୍ଣ୍ଣ ମେଘଦୂତରେ ସ୍ମୃତି, ସଂବେଗ, ବିସ୍ମୃତି ଓ ସ୍ମୃତିର ଅବିଚ୍ଛିନ୍ନ ଧାରାବାହିକ ରହସ୍ୟମୟ ଶୃଙ୍ଖଳା ଦେଖା ଦେଇଥାଏ ।

 

କିନ୍ତୁ ଏ ପର୍ଯ୍ୟନ୍ତ ଗୋଟିଏ କଥା ଅବିଚାର୍ଯ୍ୟ ରହିଗଲା । ମେଘଦୂତର କବି ମେଘଛଡ଼ା ଆଉ କାହାରିକୁ ଦୂତକରି ପଠାଇଲେ ନାହିଁ କାହିଁକି ? ବୋଧହୁଏ ମେଘଛଡ଼ା ଆଉ କେହି ଉପଯୁକ୍ତ ନ ଥିଲେ...ସେଇଥିପାଇଁ । କବିଙ୍କ ଭାଷାରେ ମେଘ ହେଉଛି ‘‘ଧୂମଜ୍ୟୋତି ସଲିଳ ମରୁତାଂ ସନ୍ନିପାତଃ କ୍ୱମେଘଃ’’ ଅର୍ଥାତ୍‌ ମେଘ ଧୂମ, ଜ୍ୟୋତି, ଜଳ ଏବଂ ପବନର ସମାହାର ମାତ୍ର । ମେଘର ଗୋଟିଏ ପକ୍ଷ ପାର୍ଥିବ ଜଳ ଓ ଧୂମ ଓ ଅନ୍ୟ ପକ୍ଷଟି ସ୍ୱର୍ଗୀୟ ଜ୍ୟୋତି । ମେଘଦୂତରେ ସେଇ ପାର୍ଥିବ ଗନ୍ଧ ଏବଂ ସ୍ୱର୍ଗୀୟ ଆଲୋକର ସମଷ୍ଟି ଦେଖାଦେଇଥାଏ । ମେଘ ଓ ଧୂମରେ ଯୌବନ-ବାସନାର ଗନ୍ଧ, ସଲିଳରେ ପିଚ୍ଛିଳ ଯୌବନର ତାରଲ୍ୟ, ମାରୁତରେ ଅସ୍ଥୈର୍ଯ୍ୟ ଏବଂ ଜ୍ୟୋତିରେ ସ୍ୱର୍ଗୀୟ ଆଲୌକିକ ସୌନ୍ଦର୍ଯ୍ୟର ଦୀପ୍ତି ଦେଖିବାକୁ ମିଳେ । ତେଣୁ ସ୍ୱର୍ଗ ଓ ମର୍ତ୍ତ୍ୟ, ବାସ୍ତବ ଓ କଳ୍ପନା, ପୂର୍ବ ଓ ଉତ୍ତର ମେଘକୁ ଏକ କରିବା ସାମର୍ଥ୍ୟ ମେଘଛଡ଼ା ଆଉ କାହାର ଥିଲା କି ? ମେଘଦୂତ ଲୌକିକ ଓ ଅଲୌକିକ ସୌନ୍ଦର୍ଯ୍ୟର ସମଷ୍ଟି । ମେଘ ଏହି ଦୁଷ୍ଟ ପୃଥିବୀ ଏବଂ ଅଦୃଷ୍ଟ ସ୍ୱର୍ଗର ମଧ୍ୟ ବିନ୍ଦୁ...ସେତୁ । ସେ ଏକାବେଳକେ ସ୍ୱର୍ଗ ଏବଂ ମର୍ତ୍ତ୍ୟର ଦ୍ରଷ୍ଟା । ପବନ ସ୍ୟନ୍ଦନ ଆରୋହଣକରି ମେଘ ଗିରି, ନଦୀ ବିଲ, ବନର ଶୋଭା ଯେପରି ଦେଖେ ସେପରି ନୀଳିମ ଗଗନର ପରପାରେ ଥିବା ଅବ୍ୟକ୍ତ ସୌନ୍ଦର୍ଯ୍ୟ ଯେ ନ ଦେଖୁଥିବ ଏକଥା କିଏ କହିପାରେ ? ଏଣୁ ସ୍ୱର୍ଗ ଓ ମର୍ତ୍ତ୍ୟ, ବ୍ୟକ୍ତ ଓ ଅବ୍ୟକ୍ତ, ଆକାଶ ଓ ପୃଥିବୀକୁ ଏକ କରିବା ଶକ୍ତି ମେଘ ଛଡ଼ା ଆଉ କାହାର ଥିଲା ?

 

ମେଘଦୂତର ମନୋବୈଜ୍ଞାନିକ ପକ୍ଷର ଅନୁସନ୍ଧାନ କଲାବେଳେ କେତୋଟି କଥା ମନେରଖିବା ଉଚିତ । ମନୁଷ୍ୟର ମାନସିକ ଭାବ ପ୍ରାକୃତିକ ପ୍ରଭାବ ଦ୍ୱାରା ଆହୁରି ଅଧିକ ଉଦୀପ୍ତ ହୋଇଥାଏ । ମନୁଷ୍ୟ ଯାହା ଜାଣେ, ଅନୁଭବ କରେ, ତାକୁ ପ୍ରକାଶ କରିବାକୁ କିମ୍ୱା ଯେ କୌଣସି କ୍ରିୟା ଦ୍ୱାରା ବ୍ୟକ୍ତକରିବାକୁ ଚାହେଁ...ବ୍ୟାକୁଳ ହୋଇପଡ଼େ । ଅର୍ଥାତ Cognition, affection ପରେ Conation ବା ଜ୍ଞାନ ଓ ଅନୁଭବ ପରେ କ୍ରିୟାଶୀଳତା ନିତାନ୍ତ ଆବଶ୍ୟକ-। ମନୁଷ୍ୟ ଯାହା ଅନୁଭବ କରେ ତାହା ବ୍ୟକ୍ତ ନ କରି ରହିପାରେ ନାହିଁ । ଏହି ଅଭିବ୍ୟକ୍ତିର ତୀବ୍ରତାରେ ହିଁ କଳା ଛପି ରହିଛି ।

 

ପ୍ରଥମ କଥାଟି ହେଉଛି, ମନୁଷ୍ୟ ଆଉ ପରିସ୍ଥିତି । ଏହି ପରିସ୍ଥିତି ଭିତରେ ବାତାବରଣ, ବୟସ ଓ ସ୍ଥାନ ସମ୍ମିଳିତ ।

 

ଦିନେ ଯକ୍ଷ ଥିଲା ଯୁବକ । ଅଭାବ ଅବସ୍ଥାରେ ନିର୍ଜନ ସ୍ଥାନରେ ହେଲା ତା’ର ବସତି । ନୀଳ ଗଗନରେ ମାଡ଼ି ଆସିଲା ଆଷାଢ଼ର କୃଷ୍ଣ ଘନ । ଯକ୍ଷର କାହିଁକି ଯେକୌଣସି ଯୁବକ ବା ଯୁବତୀର ମନ ସେତେବେଳେ କିମିତି ଧୈର୍ଯ୍ୟ ଧରି ରହିପାରନ୍ତା ? ଗୋଟିଏ ଦିଗରେ ଅଭାବର ବେଦନା ଅନ୍ୟ ଦିଗର ପ୍ରକୃତିର ଉଦ୍ଦୀପନା ! ଏ ସମୟଟା ଅବଶ୍ୟ ଉଦ୍ଦୀପକ । ଏହାଛଡ଼ା ଆଲୋକଠାରୁ ଅନ୍ଧାର, ଦିନ ଅପେକ୍ଷା ରାତ୍ରି, ବାହାର ଅପେକ୍ଷା କୋଠରି-ଭିତର ମନରେ ବିଭିନ୍ନ ଭାବ ଉଦ୍ରେକ କରିବାରେ ସାହାଯ୍ୟ କରିଥାନ୍ତି । ଏହି ସାଧାରଣ ମନୋବୈଜ୍ଞାନିକ ସତ୍ୟ ଉପରେ ଆଲୋଚନା କରି କୁହାଯାଇପାରେ ଯେ ମେଘଦୂତ କାବ୍ୟର ସମସ୍ତ କଳ୍ପନା, ଭାବୋଦ୍ରେକତା, ଭୁଲ, ବିସ୍ମୃତି, ତଲ୍ଲୀନତା, ଆତ୍ମବିସ୍ମୃତି ଓ ବାତୁଳତା ଅବଶ୍ୟ ତା’ର ବୟସ ପରିସ୍ଥିତି ଏବଂ ମନୋସ୍ଥିତିର ପରିଣାମ । ଏଣୁ ସେହିପରି ଅବସ୍ଥାରେ ମେଘଦୂତକୁ ପଠାଇବା ଅଳୀକ ହେଲେହେଁ ସତ୍ୟ.....ଅଯଥାର୍ଥ ହେଲେ ହେଁ ଯଥାର୍ଥ ।

 

ଆଉ ଗୋଟିଏ କଥା–ମନୁଷ୍ୟ ନିଜର ଅସହ୍ୟ ବେଦନାକୁ ବ୍ୟକ୍ତ କରିବା ସକାଶେ କୌଣସି ଉପଯୁକ୍ତ ମାଧ୍ୟମ କିମ୍ୱା ପାତ୍ରର ଅନ୍ୱେଷଣ କରିଥାଏ । ଏକଥା ଅନ୍ୟ ଗୋଟିଏ ବିଷୟ ଆଲୋଚନା କଲେ ଜଣାଯାଇ ପାରିବ । ଯକ୍ଷ-ପ୍ରେରିତ ମେଘ ଯକ୍ଷପତ୍ନୀକୁ ସନ୍ଦେଶ ଦେଇଛି କି ନାହିଁ, ସେ କଥା କେହି ଜାଣନ୍ତି ନାହିଁ କିନ୍ତୁ ଯକ୍ଷ ଯେ ନିଜର ସମସ୍ତ ବେଦନ...ସମସ୍ତ କଳ୍ପନା ମେଘ ଆଗରେ ବାଢ଼ି ବସିଛି ସେ କଥା କବି କହିଛନ୍ତି । ଏଣୁ ମେଘର ସନ୍ଦେଶ ବହନକରି ଯିବା ଅପେକ୍ଷା ଯକ୍ଷର ମେଘକୁ ସନ୍ଦେଶବାହକ କରି ପଠାଇବା ଅଧିକ ସତ୍ୟ । ଏକଥାଟିରେ ମନୁଷ୍ୟର ଜ୍ଞାନ ଏବଂ ଅନୁଭବୋତ୍ତର ପ୍ରକାଶର ବେଦନା ଛପି ରହିଛି ।

 

ପ୍ରିୟା ପ୍ରିୟ ହୋଇଥିବାରୁ ତା’ର ସମସ୍ତ ବସ୍ତୁ ମଧ୍ୟ ଯକ୍ଷ ପକ୍ଷରେ ପ୍ରିୟ ! ଏଣୁ ଯକ୍ଷ-ପତ୍ନୀ ପାଖକୁ ଯାଉଥିବା ମେଘ ମଧ୍ୟ ଯକ୍ଷର ପ୍ରିୟ ହୋଇପଡ଼େ । ଯକ୍ଷ ମେଘର କୃଶତା, ତୃଷ୍ଣା, ଶ୍ରାନ୍ତି ଏବଂ କ୍ଳାନ୍ତି ବିଷୟରେ ଚିନ୍ତିତ ହୋଇ ତାକୁ ଉପଦେଶ ଦିଏ....ତା’ର ଭାବୀ-ବେଦନାରେ ସହାନୁଭୂତି ଦେଖାଏ ।

 

ଏଠାରେ ଯକ୍ଷର ନିଜ ବେଦନା ପରିପକ୍ୱ ହୋଇ କ୍ରମେ ବିଶ୍ୱ-ବେଦନାଆଡ଼କୁ ଗତି କରିଛି । ଯକ୍ଷ ବୈୟକ୍ତିକ ବେଦନା ଦ୍ୱାରା ବିଶ୍ୱବେଦନାକୁ ମାପିଛି । ଅତଃ ବିଶ୍ୱର ପ୍ରତ୍ୟେକ କ୍ରୀଡ଼ାରତ ପ୍ରାଣୀ ପ୍ରତି ସେ ହାର୍ଦ୍ଦିକତା ପ୍ରକଟ କରିଛି । ଜଗତର ଧୂଳି, ଫୁଲ, କିରଣ ଏବଂ ପକ୍ଷୀମାନଙ୍କୁ ନିଜର ସହାନୁଭୂତି ଦେଖାଇ ଯକ୍ଷ ମେଘକୁ କହିଛି-ନବଳ ନବଳ କୋମଳ କମଳ ଖେଳୁ, ସୂର୍ଯ୍ୟର ପୀତ ଆଲୋକ କିରଣ ତାରି ମଧୁର ଅଧର ଚୁମୁଁ; ରେ ମେଘ ! ପରଦା ଆକାରେ ଢାଙ୍କିନେଇ ତାଙ୍କ କ୍ରୀଡ଼ାରେ କଦାପି ବାଧା ଦେବୁନି ।

 

ଯକ୍ଷର ଏହି ବେଦନାର ମାପକ ହେଉଛି, ତା’ର ସ୍ୱକୀୟ ବେଦନା । ଏଥିରୁ ସ୍ପଷ୍ଟ ହେଉଛି ଯେ, ଯେଉଁ ବ୍ୟକ୍ତି କୌଣସି ଜଣକୁ ପ୍ରେମ କରି ଶିଖି ନାହିଁ ସେ ସଂସାରର ଅନ୍ୟ କୌଣସିକୁ ପ୍ରେମ କରିପାରେନା–କେବଳ ଧୋଖା ଦେଇପାରେ । ଯକ୍ଷ ତା’ର ପତ୍ନୀ ସହ ପ୍ରେମ କରି ଶିଖିଛି ବୋଲି ତ ସେ ଦୁନିଆଁଯାକର ବିରହ ବେଦନା ବୁଝିପାରିଛି । ଏଣୁ ବିରହୀ ହିଁ ବିରହୀର ପ୍ରକୃତ ବେଦନା ବୁଝିପାରେ ।

 

ମେଘଦୂତରେ ସୌନ୍ଦର୍ଯ୍ୟ ଏବଂ ଶିବ ତତ୍ତ୍ୱର ସମ୍ୟକ ସମାବେଶ ଦେଖାଯାଏ । ଏହି କାବ୍ୟ ଯଥାର୍ଥ ଓ କଳ୍ପନାର ଆଦର୍ଶସ୍ଥଳୀ । ମେଘଦୂତର ପୂର୍ବାର୍ଦ୍ଧରେ ରହିଛି ଯଥାର୍ଥ ବର୍ଣ୍ଣନା ଏବଂ ଉତ୍ତରାର୍ଦ୍ଧରେ ଅତି କଳ୍ପନା । କବି ହୃଦୟ ମେଘଦୂତରେ ନିଜ ଅନ୍ତରକୁ ହିଁ ବିଶ୍ୱର ପ୍ରତ୍ୟେକ କଣ-କଣରେ ଖୋଜି ବୁଲିଛି । କିନ୍ତୁ ଯେଉଁଠି କାଳିଦାସଙ୍କ ବର୍ଣ୍ଣନ ମେଘଦୂତରେ ସୌନ୍ଦର୍ଯ୍ୟର ସୀମାଲ୍ଲଘଂନ କରି ବୀଭତ୍ସତାଆଡ଼କୁ ବଢ଼ିଛି, ସେଠି ପୁଣି ସୌନ୍ଦର୍ଯ୍ୟର ତର୍ଜ୍ଜନୀ ଗର୍ଜି ଉଠି ତାଙ୍କୁ ସେଥିରୁ ବିରତ କରିଛି । ଯେଉଁଠି ନୈତିକତାକୁ ଅବହେଳା କରି ମେଘଦୂତର ଯକ୍ଷ ଦୋଷୀ ସାବ୍ୟସ୍ତ ହୋଇଛି ସେଠି ସେଇ ଉଚ୍ଛୃଙ୍ଖଳତାକୁ ଦମନ କରିଉଠିଛି ଅଭିଶାପର ଶାସନ ଦଣ୍ଡ । ଏଣୁ ସଂକ୍ଷିପ୍ତରେ ଏହା କହିବା ଉଚିତ ଯେ, ପୂର୍ବମେଘରେ ଅଛି ଯୌବନର ଭ୍ରାନ୍ତି, ଉନ୍ମାଦନା ସୌନ୍ଦର୍ଯ୍ୟ-ପିପାସା, ବିଶ୍ୱବେଦନା ଓ ସହାନୁଭୂତି ଏବଂ ସଂପୂର୍ଣ୍ଣ କାବ୍ୟରେ ସୌନ୍ଦର୍ଯ୍ୟ ତଥା ବୀଭତ୍ସତା ବନ୍ଧନ ତଥା ବିଦ୍ରୋହ, ଉଚ୍ଛୃଙ୍ଖଳତା ତଥା ଶାସନ ଏବଂ କାମ ତଥା ନୈତିକତା (Duty & Love)ର ବିରାଟ ସଂଘର୍ଷ ଏବଂ ସନ୍ତୁଳନ । ଅର୍ଥାତ୍‌ ସଂପୂର୍ଣ୍ଣ ମେଘଦୂତ ସୌନ୍ଦର୍ଯ୍ୟ, ଆଦର୍ଶ ଓ ସଂଘର୍ଷ ତତ୍ତ୍ୱ ଉପରେ ଆଶ୍ରିତ ଏକ ଅମର କାବ୍ୟ ।

☆☆☆

 

 

 

 

 

 

 

 

 

 

 

ଭାରତୀୟ ଇଂରେଜୀ

ରବୀନ୍ଦ୍ରନାଥ...

ଗୀତାଞ୍ଜଳି

 

ଗୀତାଞ୍ଜଳି ରବୀନ୍ଦ୍ରନାଥଙ୍କର ଏକ ଶ୍ରେଷ୍ଠ କାବ୍ୟ । କିନ୍ତୁ କେତେକ ଆଲୋଚକଙ୍କ ମତରେ ରବୀନ୍ଦ୍ରନାଥଙ୍କ ଅନେକ ଶ୍ରେଷ୍ଠକବିତା ତାଙ୍କର ଅନ୍ୟ ସଞ୍ଚୟନମାନଙ୍କରେ ପ୍ରାପ୍ତ ହୁଏ । ତେବେ ଗୀତାଞ୍ଜଳିର ସାମୂହିକ ପ୍ରଭାବ ବା ଏକତ୍ୱ ଅନ୍ୟ ସଞ୍ଚୟନ ଅପେକ୍ଷା ଯେ ଅଧିକ ମହତ୍ତ୍ୱକର, ଏଥିରେ ସନ୍ଦେହ ନାହିଁ ।

 

ଆରୋପ :–

 

କେତେକ ପ୍ରଗତିପନ୍ଥୀ ବସ୍ତୁବାଦୀ ଆଲୋଚକଙ୍କ ମତରେ ରବୀନ୍ଦ୍ରନାଥଙ୍କ ଗୀତାଞ୍ଜଳି ମାନବୋପଯୋଗୀ କାବ୍ୟ ନୁହେଁ-ଏହା କଳ୍ପନା ଏବଂ ପଳାୟନଧର୍ମୀ । ଏଣୁ ଜୀବନୋପଯୋଗୀ ମଧ୍ୟ ନୁହେଁ । ଏ ଧରଣର ଆଲୋଚକଙ୍କ ମତରେ ଗୀତାଞ୍ଜଳି ଉଚ୍ଚବର୍ଗୀୟ (ବୁର୍ଜୁଆ ଶ୍ରେଣୀର) ଲୋକଙ୍କ ମନୋରଞ୍ଜନର ସାମଗ୍ରୀ । ଆଉ କେତେକଙ୍କ ମତରେ ଗୀତାଞ୍ଜଳି ଭାରତୀୟ ବେଦାନ୍ତର ପିଷ୍ଟପେଷଣ ମାତ୍ର । ଉକ୍ତ କାବ୍ୟ ଦେଇ ସେ ବିଶ୍ୱକୁ କୌଣସି ନୂତନ ଅବଦାନ ଦେଇନାହାନ୍ତି–କେବଳ ବେଦାନ୍ତ ଦର୍ଶନ ଓ ଅଗମ୍ୟ ସତ୍ତା ସମ୍ୱନ୍ଧୀୟ ପ୍ରେମକୁ ରହସ୍ୟମୟ ସୌନ୍ଦର୍ଯ୍ୟଶୈଳୀ-ମାଧ୍ୟମରେ ବ୍ୟକ୍ତ କରିଛନ୍ତି ।

 

ଅତଏବ ପ୍ରଶ୍ନ ଉଠୁଛି ଯେ, ଯେଉଁ ସାହିତ୍ୟ ବା କାବ୍ୟରେ ତତ୍‌କାଳୀନ ଜୀବନର କୌଣସି ଚିହ୍ନ ନାହିଁ, ଜନବେଦନାର ଚିତ୍ର ନାହିଁ, ବିଶ୍ୱପାଇଁ କୌଣସି ନବୀନ ସନ୍ଦେଶ ନାହିଁ, ସେଇ ସାହିତ୍ୟ କେବଳ ଅଜ୍ଞାତ ବ୍ରହ୍ମର ପାଗଳ ପ୍ରଳାପ ଉପରେ ଆଧାରିତ ହୋଇ କିପରି ବା ଅମର ହୋଇ ରହିପାରେ ? ଯେଉଁ କାବ୍ୟରେ ମାନବର ଦୁର୍ବଳତା ପୂରି ରହିଛି, ଦୀନତା ଆଉ ହୀନତା ରହିଛି, କଳ୍ପନା ଏବଂ ପଳାୟନ ରହିଛି ବସ୍ତୁତଃ ତାହା କ’ଣ କାବ୍ୟ ? ଏପରି କାବ୍ୟଦ୍ୱାରା ବା ସମାଜର ଲାଭ କ’ଣ ? ଏହି ଦୃଷ୍ଟିକୋଣ ରବୀନ୍ଦ୍ରନାଥଙ୍କ ସମର୍ଥକମାନେ ପସନ୍ଦ ନ କରି ପାରନ୍ତି । କିନ୍ତୁ ଆଧୁନିକ ପ୍ରକୃତି-ଜୟୀ ମାନବ କଦାପି ଅସୀମ ଅଜ୍ଞାତର ପଦତଳେ ନିଜ ମଥା ନମିତକରି ଦୁର୍ବଳ ହୋଇ ପଡ଼ିଯାଇନପାରେ । ତେବେ ବସ୍ତୁବାଦୀ ସାହିତ୍ୟିକମାନଙ୍କ ବିଚାର ନିତାନ୍ତ ଭିତ୍ତିହୀନ ନ ହେଲେ ହେଁ ଗୋଟିଏ ଗୋଟିଏ ବିରାଟ ବ୍ୟକ୍ତିତ୍ୱର ଆଲୋଚନା ସୀମିତ ବା ସଙ୍କୁଚିତ ଦୃଷ୍ଟିକୋଣରୁ ହେବା ଅପୂର୍ଣ୍ଣ ଏବଂ ଅସମୀଚୀନ ।

 

ଗୀତାଞ୍ଜଳିର ସ୍ୱରୂପ :–

 

ରବୀନ୍ଦ୍ରନାଥଙ୍କର ବଙ୍ଗଳା ଗୀତାଞ୍ଜଳିର ଇଂରେଜି ଅନୁବାଦ, ଯାହାପାଇଁ ସେ ୧୯୧୩ରେ ନୋବେଲ ପୁରସ୍କାର ପ୍ରାପ୍ତ ହୋଇଥିଲେ, ମୋଟେ ୧୦୩ଟି ଗଦ୍ୟାନୁବାଦର ସମାହାର । ଏହି ସଙ୍କଳନଟିରେ ମୂଳ ବଙ୍ଗଳା ଗୀତାଞ୍ଜଳିର ଅଧିକାଂଶ ପଦ୍ୟ, ଖେୟା ନୈବେଦ୍ୟ ଓ ଶିଶୁ ଆଦି ଅନ୍ୟ କବିତା ସଂଗ୍ରହରୁ କେତୋଟି ଶ୍ରେଷ୍ଠ କବିତାର ଆଙ୍ଗ୍ଳ-ଗଦ୍ୟାନୁବାଦ ରହିଛି । ଏହି ପଦ୍ୟଗୁଡ଼ିକ ପଢ଼ିଲେ ଅପାର ଆନନ୍ଦ ପ୍ରାପ୍ତି ହେବା ସଙ୍ଗେ ସଙ୍ଗେ ଅନେକ ସମୟରେ ଭାବ-ସାମ୍ୟ ମଧ୍ୟ ପରିଲକ୍ଷିତ ହୁଏ । ଅର୍ଥାତ୍‌ ଗୋଟିଏ ଅଗମ୍ୟ ସତ୍ତାର ପ୍ରତୀକ୍ଷା ଏବଂ ତତ୍‌ସମ୍ୱନ୍ଧୀୟ ପ୍ରଳାପରେ ଅଧିକାଂଶ କବିତା ଚାଲିଯାଏ । ଏହାପରେ ମିଳେ ପ୍ରକୃତି-ରହସ୍ୟ, ଗହନ ଦାର୍ଶନିକତା, ବିଶ୍ୱବେଦନାଯୁକ୍ତ କବିତା । ଅଳଙ୍କରଣ ଆବରଣକୁ ବାଦ୍‌ ଦେଇ ଦେଖିଲେ ଗୀତାଞ୍ଜଳିର ଏହିତକ ମାତ୍ର ସାର ବା ଅମର କବିତା । ଏହାଛଡ଼ା ଭାବସାମ୍ୟ ଓ ପ୍ରତୀକ ସାମ୍ୟ ଯଥା ବାଦଲ, ବୀଣା, ଅନ୍ଧକାର, ତୋଫାନ, ଝଡ଼, ଧୂଳି ଆଦି ପ୍ରତୀକର ବାରମ୍ୱାର ପ୍ରୟୋଗ, ପ୍ରିୟତମଙ୍କ ଅନାଗମନର ମୁହୁଃ ପ୍ରତିଧ୍ୱନି କାବ୍ୟଟିରେ ଏକ ପ୍ରକାର ଏକରସତା ଆଣିଦିଏ । ତେବେ ଏହାହିଁ ଲେଖକଙ୍କ ଭାବାବ୍ୟକ୍ତିର ମାଧ୍ୟମ ବା ସ୍ୱକୀୟ ମୌଳିକ ଶୈଳୀ । ଦିନେ ଏହି ଶୈଳୀ ସମ୍ପୂର୍ଣ୍ଣ ଆଧୁନିକ ଭାରତୀୟ ପ୍ରାଦେଶିକ ପଦ୍ୟ-ସାହିତ୍ୟ ଉପରେ ପ୍ରଭାବ ବିସ୍ତାର ଲାଭ କରିଥିଲା । ଏହି ପ୍ରତୀକାତ୍ମ ଶୈଳୀର ପ୍ରଭାବ ଯୋଗୁଁ ବିଭିନ୍ନ ପ୍ରାଦେଶିକ ସାହିତ୍ୟ କ୍ଷେତ୍ରରେ, ରହସ୍ୟବାଦୀ, ଛାୟାବାଦୀ ଏବଂ ସବୁଜବାଦୀ ପ୍ରଭୃତି ସାହିତ୍ୟର ସୃଷ୍ଟି ହୋଇପାରିଥିଲା । କିନ୍ତୁ ଯୁଗବେଦନାକୁ ଅନୁଭବ କରିବା ଏବଂ ବ୍ୟକ୍ତ କରିବାପାଇଁ ରବୀନ୍ଦ୍ରନାଥଙ୍କଠାରେ ଯେଉଁ ହୃଦୟ ଥିଲା ତାହା ଅନ୍ୟତ୍ର ଦୁର୍ଲ୍ଲଭ ହେବା ଯୋଗୁଁ ଅନ୍ୟ କବିମାନେ କେବଳ ଅନୁଗାମୀ ହୋଇରହିଲେ । ଏପରି କବିମାନେ କେବଳ ଶୈଳୀକୁ ଆଶ୍ରୟକରି ରହି ପ୍ରକୃତ ଅମର କବିତା ରଚନା କରିବାରେ ଅସମର୍ଥ ହେଲେ ।

 

ରବୀନ୍ଦ୍ରନାଥଙ୍କ ଗୀତାଞ୍ଜଳିର ସମସ୍ତ ପଦ୍ୟ ଜନବେଦନାହୀନ କଳ୍ପନା-ମାତ୍ର ନୁହେଁ; ଯାହା କାଳ୍ପନିକ ମନେହୁଏ ସେଥିରେ ସାର୍ବଜନୀନ ସତ୍ୟ (universal truth) ଅଥବା ବିଶ୍ୱ ବେଦନା ପରୋକ୍ଷଭାବେ ଅଭିବ୍ୟଞ୍ଜିତ ହେଉଥାଏ । ମହାକବିମାନଙ୍କ ଅଭିଧାତ୍ମକ କଥନ ଭିତରେ ଯେପରି ଅଭିବ୍ୟଞ୍ଜନା ସର୍ବଦା ଲୁକ୍‌କାୟିତ, ଗୀତାଞ୍ଜଳିର ଅନେକ ପଦ୍ୟରେ ସେପରି ଶ୍ଳେଷ ପରିପୂର୍ଣ୍ଣ ।

 

ଗୀତାଞ୍ଜଳିରେ ରବୀନ୍ଦ୍ରନାଥଙ୍କ ଈଶ୍ୱରଭକ୍ତି ସମ୍ପର୍କୀୟ ବନ୍ଦନା, ପ୍ରତିଭା ବିକାଶର ସୂଚନା, ବେଦାନ୍ତଦର୍ଶନ, ପ୍ରକୃତି ରହସ୍ୟ, ଏବଂ ପ୍ରଚ୍ଛନ୍ନ ଯୁଗାବଲୋଚନ ପୂରି ରହିଛି ।

 

ଗୀତାଞ୍ଜଳିର ସମସ୍ତ ପଦ୍ୟ ପାଠକଲେ ଜଣାଯାଏ ଯେ, ଏଥିରେ, କବିଙ୍କର ବାଲ୍ୟ ଜୀବନର ସରଳ ଈଶ୍ୱରବିଶ୍ୱାସ ଓ ଭକ୍ତି, କୈଶୋର ଜୀବନର ତାରୁଣ୍ୟ, ଯୌବନର କ୍ରାନ୍ତି ଏବଂ ପୌଢ଼ ଜୀବନର ଯୁଗ-ସଂସ୍କାର ପ୍ରବୃତ୍ତି ଏବଂ ବାର୍ଦ୍ଧକ୍ୟର ବିମଳ ଦାର୍ଶନିକତା ପୂରି ରହିଛି । ଏଣୁ ଗୋଟାଏ ବାକ୍ୟରେ କହିବାକୁ ଗଲେ ଗୀତାଞ୍ଜଳି ରବୀନ୍ଦ୍ରନାଥଙ୍କ ବାଲ୍ୟଜୀବନର ଭକ୍ତି, ଯୌବନର କ୍ରାନ୍ତି ଏବଂ ବାର୍ଦ୍ଧକ୍ୟ ଶାନ୍ତିର ସମଷ୍ଟି ମାତ୍ର । ତେବେ ରବୀନ୍ଦ୍ରନାଥ ଏହି କାବ୍ୟଟିର ଜମିନ୍‌ ଅପେକ୍ଷା ଆସ୍‌ମାନରେ ଉଡ଼ିବାକୁ ହିଁ ଅଧିକ ପସନ୍ଦ କରିଛନ୍ତି । ଧୂଳିକୁ ପ୍ରେମ କଲେ ସୁଦ୍ଧା ଅଜ୍ଞାତ ଅସୀମ ବ୍ରହ୍ମ ବା ପ୍ରିୟତମର ଅନ୍ୱେଷଣରେ ଭଦଭଦଳିଆ ଶରତ ବାଦଲ, ଚମ୍‌ଚମ୍‌ ତାରକା ଓ ଇନ୍ଦ୍ରଧନୁକୁ ପାଦରେ ଧସେଇ ଦେଇ ଅନନ୍ତ ଆକାଶଆଡ଼କୁ ଗତି କରିଛନ୍ତି । କିନ୍ତୁ ପ୍ରିୟତମଙ୍କୁ ନ ପାଇ କବି ଯେତେବେଳେ ଫେରିଛନ୍ତି ଏଇ ଧରାକୁ, ପ୍ରକୃତ ଗୀତାଞ୍ଜଳିର ସୃଷ୍ଟି ହୋଇଛି ସେଇଠି । ବସ୍ତୁତଃ ଯେତେବେଳେ କବି କଳ୍ପନାର ପକ୍ଷ ଦୁଇଟି ଛିଣ୍ଡାଇ ଦେଇ ସ୍ୱର୍ଗରୁ ମର୍ତ୍ତ୍ୟଆଡ଼କୁ ଓହ୍ଲାଇ ଆସିଛନ୍ତି, ସେତିକିବେଳେ ଗୀତାଞ୍ଜଳିର ସାଂସାରିକ ଚିତ୍ର, ସାମାଜିକ ବେଦନା ଯୁଗଚେତନା ଏବଂ କ୍ରାନ୍ତି ଫୁଟିଉଠିଛି ଆଉ ଗୀତାଞ୍ଜଳି ପଳାୟନବାଦକୁ ଖଣ୍ଡନ କରି ଫେରିଆସିଛି ଚିର ବାସ୍ତବତା ଆଡ଼କୁ ।

 

ଯୁଗବେଦନା :–

 

ଯେତେବେଳେ ସମଗ୍ର ଭାରତବର୍ଷ ଅନ୍ଧକାରପୂର୍ଣ୍ଣ ଥିଲା, ଲୋକେ ପରାଧୀନତାର ପଦତଳେ ନିଷ୍ପେଷିତ ଏବଂ ବାହ୍ୟ ଆଡ଼ମ୍ୱର ପୂଜା ପଦ୍ଧତି ଓ ଅନ୍ଧବିଶ୍ୱାସ ପାଶରେ ଆବଦ୍ଧ ହୋଇଥିଲେ, ଏଣେ ପାଦରୀମାନେ ମୂର୍ତ୍ତି ପୂଜାର ନିନ୍ଦା ଗାନକରି ରାମ-କୃଷ୍ଣଙ୍କୁ ଯୀଶୁଙ୍କଠାରୁ ନିକୃଷ୍ଟ ପ୍ରମାଣିତ କରୁଥିଲେ, ଠିକ୍‌ ସେତିକିବେଳେ ପୂଜା ଓ ଆରାଧନାର ଆଡ଼ମ୍ୱର ବିରୁଦ୍ଧରେ କବି ଗାଇଉଠିଛନ୍ତି–

 

Leave this chanting singing and telling of beads ! whom dost thou worship in this lonely dark corner of a temple with doors all shut ? Open thine eyes and see thy God is not before thee.

 

(Poem No. 11, Gitanjali)

 

ଏଠାରେ କବି ଈଶ୍ୱରଙ୍କୁ ଅନ୍ଧକାରପୂର୍ଣ୍ଣ ମନ୍ଦିର କିମ୍ୱା ଉତ୍ତୁଙ୍ଗ ଚର୍ଚ୍ଚ ଭିତରେ ଦେଖାଇ ନାହାନ୍ତି । ସେ ଈଶ୍ୱରଙ୍କୁ ଜପାମାଳିର ପ୍ରଦର୍ଶନ କିମ୍ୱା ବ୍ୟର୍ଥପୂଜାରେ ଦେଖାଇ ନାହାନ୍ତି; ବୈଶାଖର ପ୍ରଚଣ୍ଡ ସୂର୍ଯ୍ୟକିରଣ ତଳେ ପଥର ଭାଙ୍ଗୁଥିବା ଶ୍ରମିକ, ଧାରା ଶ୍ରାବଣର ମୂଷଳ ଧାରା ତଳେ ମୁଣ୍ଡପାତି କୋଦାଳ ଧରି ମାଟି ଖୋଳୁଥିବା ଧୂଳିଧୂସରିତ କୃଷକମାନଙ୍କ ପାଖରେ ଦେଖାଇ କହିଛନ୍ତି-

 

He is there where the tiller is tilling the hard ground and where the path maker is breaking stones. He is with them in sun and in shower and his garment is covered with dust.

 

(Poem No. 11)

 

କବି କେବଳ ଏତିକି କହି ସନ୍ତୁଷ୍ଟ ହୋଇନାହାନ୍ତି । ସେ ନିରାକୃତ ଜନତା, କର୍ମପ୍ରିୟ ଶ୍ରମିକ ଓ କର୍ମ ଭିତରେ ହିଁ ଭଗବାନଙ୍କୁ ଦେଖିଛନ୍ତି । ନିଜର ଉତ୍ତରୀୟ, ନିଜର ଆବରଣ ବାହାର କରି ଧୂଳିକୁ ଆସ, ଏହି ଧୂଳିରେ ମିଶିଯାଅ-ଧୂଳିଧୂସରିତ ହୋଇ ନିଜ କର୍ମଦ୍ୱାରା ଈଶ୍ୱରଙ୍କ ସାକ୍ଷାତ୍‌କାର ଲାଭକର । ଗୀତାଞ୍ଜଳିର ଭାଷାରେ–

 

Put on thy holy mantle and even like him come down on the dusty soil-ଅନ୍ୟତ୍ର And it shall be my endeavour to reveal thee in my actions. Knowing it is the Power gives me strength to act.

 

(Gitanjali, Poem No. 4)

 

କବିଙ୍କର ଏହି ଧୂଳିପ୍ରେମ, ବାସ୍ତବ ସଂସାରର ଧୂଳି ସଙ୍ଗେ ମିଳିମିଶି ଯିବା ଲାଳସା, କୃତ୍ରିମତା ଏବଂ ଯାନ୍ତ୍ରିକତା ସମ୍ପର୍କୀୟ ବ୍ୟଙ୍ଗ ଅନ୍ୟ ଏକ ପଦ୍ୟରେ ଫୁଟିଉଠିଛି । କବି ଗୋଟିଏ ଶିଶୁକୁ ଲକ୍ଷ୍ୟକରି କହିଛନ୍ତି-

 

The child who is decked with prince's robes and who has Jewelled chains round his neck loses all pleasure in his play, his dress hampers him at every step.

 

In fear that it may be frayed or stained with dust he keeps himself from the world and is afraid even to move.

 

(Gitanjali, Poem No. 8)

 

ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଜଣାଯାଏ ଯେ, ବସ୍ତୁତଃ ଯେଉଁ ବାଳକ ବିଭିନ୍ନ ଅଳଙ୍କାର ଓ ରାଜକୀୟ ପୋଷାକ ପିନ୍ଧି ପଦାକୁ ବାହାରେ, ସେ ନିଜକୁ ଅନ୍ୟାନ୍ୟ ଧୂଳିଧୂସରିତ ବାଳକଙ୍କଠାରୁ ଦୂରରେ ରଖି ଆତ୍ମାଭିମାନଦ୍ୱାରା ଅସୀମ ଆହ୍ଲାଦ ପ୍ରାପ୍ତିରୁ ବଞ୍ଚିତ ରହେ ।

 

ବିଶ୍ୱର ପ୍ରତ୍ୟେକ ପରମାଣୁଦ୍ୱାରା ମନୁଷ୍ୟର ଶରୀର ଗଠିତ । ଏଣୁ ବାହ୍ୟ ଆବରଣ ଏବଂ ଆଡ଼ମ୍ୱର ଅପେକ୍ଷା ଏହି ବିଶ୍ୱରେ ମିଶିଯିବାକୁ ଚାହେଁ ମନୁଷ୍ୟର ଶରୀର ଆଉ ମନ । କିନ୍ତୁ ଆଧୁନିକ ପୋଷାକୀ ସଭ୍ୟତା, ମନୁଷ୍ୟଗଢ଼ା କୃତ୍ରିମ ସଭ୍ୟତା ଏହାର ବାଧକ । ଯେତେଦିନ ମନୁଷ୍ୟ ଭିତରେ ଏହି ଭେଦଭାବ ଅହମ୍ମନ୍ୟତା ଏବଂ ବ୍ୟର୍ଥସଭ୍ୟତାର ବାହ୍ୟ ଆବରଣ ଥିବ, ସେତେଦିନ ସେ ପ୍ରକୃତ ଆନନ୍ଦରୁ ବଞ୍ଚିତ ରହିବ । ଆଧୁନିକ ମାନବ ଏପରି ପ୍ରକୃତିଠାରୁ ଦୂରେଇ ଯାଇ ଆଜି କୃତ୍ରିମ ଆହ୍ଲାଦରେ ନିମଗ୍ନ । ପ୍ରସ୍ତୁତ ପଦ୍ୟଟି ସାମୟିକ ଯାନ୍ତ୍ରିକତା ଏବଂ କୃତ୍ରିମ ସଭ୍ୟତା ବିଷୟରେ ଏକପ୍ରକାର ପରୋକ୍ଷ ବ୍ୟଙ୍ଗ-ବ୍ୟାପକ ବିଶ୍ୱପ୍ରେମର ସୂଚନା ।

 

ମନୁଷ୍ୟର ଏହି ଅହମିକା ପ୍ରବୃତ୍ତିକୁ କବି ଆଉ ଗୋଟିଏ କବିତାରେ ସୂଚାଇଛନ୍ତି । କବିତାଟି ଜୀବ ଆଉ ବ୍ରହ୍ମ ଅଥବା ମାୟା-ଗ୍ରସ୍ତ ଜୀବର ‘ବଦ୍ଧଜୀବତା’ ବିଷୟ ପ୍ରତିପାଦନ କରୁଥିଲେହେଁ ଆଧୁନିକ ମାନବର ଶରୀରାତ୍ମବାଦ ଗତ ବିମୂଢ଼ତା ଏବଂ ସ୍ୱାର୍ଥପ୍ରିୟତା ଓ ଅଜ୍ଞତା ବିଷୟରେ ଆଲୋକପାତ କରିଥାଏ-

 

He whom I enclose with my name is weeping in this dungen. I am even busy building this wall on around; and as this wall goes up into the sky day by day I lose sight of my true being in its shadow.

 

ମନୁଷ୍ୟ ମାୟା ବା ଅଜ୍ଞାନଦ୍ୱାରା କବଳିତ ହୋଇ ନିଜ ବିଭେଦତାର ଉଚ୍ଚ ପ୍ରାଚୀର ଗଢ଼ିଚାଲେ । କିନ୍ତୁ ପ୍ରାଚୀର ବା କାନ୍ଥ ଯେତିକି ଉଚ୍ଚ ହୁଏ, ସେ ସେତିକି ନିଜକୁ ଭୁଲିଯାଏ ଏବଂ ସେଇ ପ୍ରାଚୀର ବା ଶରୀରକୁ ସବୁ କିଛି ଭାବି ସେଥିରେ ତଲ୍ଲୀନ ରହେ । ଅସାର ଭୌତିକବାଦୀ ହେବା ଅସଲ କାରଣ ହେଉଛି ଏହି ଅହମିକତା, ଅଜ୍ଞାନ ଏବଂ ଶରୀର ପ୍ରତି ମୋହ । ଏଣୁ କବି ଆଧୁନିକ ମନୁଷ୍ୟର ଏହି ମୂଢ଼ତାକୁ ଲକ୍ଷ୍ୟକରି କହିଛନ୍ତି-

 

I take pride in this great wall, and I plaster it with dust and sand least a hole should be left in this name; and for all the care I take I lose sight of my true being.

 

(Gitanjali, Poem No. 29)

 

ଦେଶପ୍ରେମ :–

 

ପ୍ରୋକ୍ତ ପଦ୍ୟଗୁଡ଼ିକରୁ ସ୍ପଷ୍ଟ ହେଉଛି ଯେ, କବି ରୀବନ୍ଦ୍ରନାଥ କେବଳ ଭାବପ୍ରବଣ ବା କଳ୍ପନ ପ୍ରଧାନ କବି ନ ଥିଲେ । ତାଙ୍କ କବିତାରେ ବାସ୍ତବ ଜୀବନର ଗତିବିଧି, ଜନବେଦନା ଓ ଯୁଗାଲୋଚନା ମଧ୍ୟ ବ୍ୟକ୍ତ ହୋଇଛି । ମନୁଷ୍ୟର ଯାନ୍ତ୍ରିକ ପ୍ରବୃତ୍ତିଗୁଡ଼ିକୁ ସମାଲୋଚନା କରିବା ସଙ୍ଗେ ସଙ୍ଗେ ସେ ଭାରତ ଓ ବିଶ୍ୱପ୍ରତି ଅଗାଧ ପ୍ରେମ ପ୍ରଦର୍ଶନ କରିଛନ୍ତି । ଏହି ଉଚ୍ଚାକାଙ୍‌କ୍ଷା ଗୀତାଞ୍ଜଳିର ୩୫ତମ ପଦ୍ୟରୁ ସ୍ପଷ୍ଟ ହୁଏ । ଏଥିରୁ ବିଶ୍ୱକବିଙ୍କର ସ୍ୱତନ୍ତ୍ର ଉନ୍ନତ ରାଷ୍ଟ୍ର ନିର୍ମାଣ ଏବଂ ନିର୍ଭୀକ ଉନ୍ନତଶିର ମାନବସମାଜ ଗଠନର ପରିକଳ୍ପନା ସ୍ପଷ୍ଟତଃ ପରିଲକ୍ଷିତ ହୁଏ । ଯଥା–

 

Where the mind is without fear and the head is held high = [ମାନବର ନିର୍ଭୀକତା, ବିଚାର ସ୍ୱାତନ୍ତ୍ର୍ୟ ଓ ମହାନତାର ଦାବି]

 

Where knowledge is free = [ମାନବୀୟ ବିକାଶରେ ଜ୍ଞାନପ୍ରାପ୍ତିର ସାଧନ-ସମ୍ପର୍କୀୟ ସୁଲଭତା]

 

Where the world has not been broken up into fragments by narrow domestic wall = [ପୃଥିବୀକୁ ଅଖଣ୍ଡ, ଅବିଭାଜ୍ୟ, ଏବଂ ‘ଏକ’ ରୂପେ ଦେଖିବା ସ୍ପୃହା]

 

Where words come out from the depth of truth = [ସତ୍ୟ ପ୍ରତି ଅଗାଧ ନିଷ୍ଠା-ଆଧୁନିକ ସଂସାରର କୂଟନୀତି, ପ୍ରବଞ୍ଚନା ଓ ମିଥ୍ୟା ପ୍ରତି ପରୋକ୍ଷ ବ୍ୟଙ୍ଗ]

 

Where tireless striving stretches its arms towards perfection = [ଶ୍ରମ, ସଂଘର୍ଷ ଆଉ ଉଦ୍ୟୋଗକୁ ମାନବୀୟ ପୂର୍ଣ୍ଣତାପାଇଁ ବ୍ୟବହାର କରିବାର ଅଭୀପ୍‌ସା]

 

Where the clear stream of reason has not lost its way into the dreary desert sand of dead habit = [ଯଥାର୍ଥ ସତ୍ୟ ଏବଂ ପ୍ରକୃତ ନ୍ୟାୟର ଅବାଧ ପ୍ରକାଶ, ରୁଚି ଏବଂ ସଙ୍କୁଚିତତା ପ୍ରତି ପ୍ରବଳ ବିଦ୍ରୋହ]

 

Where the mind is led forward by thee into ever-winding thought and action. Into that heaven of freedom my father, let my country awake = [ଶୁଦ୍ଧ ମନ, ଶୁଦ୍ଧ ବିଚାର ଓ ଶୁଦ୍ଧ କର୍ମଦ୍ୱାରା ସ୍ୱର୍ଗତୁଲ୍ୟ ସ୍ୱତନ୍ତ୍ର ଦେଶ ନିର୍ମାଣର ପରିକଳ୍ପନା]

 

କବି ଅବଶ୍ୟ ଭାରତ ସ୍ୱତନ୍ତ୍ର ହେବା ପୂର୍ବରୁ ଏହି ଗୀତ ଗାଇଥିଲେ, ତେବେ କବିଙ୍କର ବ୍ୟାପକତା ସ୍ୱଦେଶୀୟ ଗଣ୍ଡି ଭିତରେ ଆବଦ୍ଧ ନୁହେଁ । ଏହା ସମ୍ପୂର୍ଣ୍ଣ ଆନ୍ତର୍ଦେଶୀୟ ଏବଂ ଆନ୍ତରାଷ୍ଟ୍ରୀୟ । ଏ ତ ଗଲା ତତ୍‍କାଳିତା ପ୍ରତି ରବୀନ୍ଦ୍ରନାଥଙ୍କ ସହାନୁଭୂତି ଏବଂ ବିଚାର ।

 

ନୂତନ ଦାର୍ଶନିକତା :–

 

ଏହା ବ୍ୟତୀତ ଅନ୍ୟ ଏକ ଆରୋପ ହେଉଛି ରବୀନ୍ଦ୍ରନାଥ ଗୀତାଞ୍ଜଳିରେ ବେଦାନ୍ତର ପିଷ୍ଟପେଷଣ କରିଛନ୍ତି । କିନ୍ତୁ ରବୀନ୍ଦ୍ରନାଥ ବେଦାନ୍ତଦ୍ୱାରା ପ୍ରଭାବିତ ହେଲେହେଁ ଭାରତୀୟ ଦର୍ଶନରେ ଏକପ୍ରକାର ପରିବର୍ତ୍ତନ ଆଣିଛନ୍ତି । ତାଙ୍କ ମତରେ ମୁକ୍ତି ନାହିଁ । ଯଦି ଅଛି ତ୍ୟାଗରେ ନାହିଁ ଭୋଗରେ ଅଛି । ଏଣୁ ଏହି ଅକାଟ୍ୟ ଯୁକ୍ତି ପାଶ୍ଚାତ୍ୟ ପଣ୍ଡିତମାନଙ୍କ ଆରୋପ-ବାଣକୁ ଭାଙ୍ଗି ଧୂଳିସାତ୍‌ କରିଦେଇଛି । ଏଥିପୂର୍ବରୁ ଭାରତ ଥିଲା ପଳାୟନ ପନ୍ଥୀ ଦେଶ, ସଂସାରକୁ ଛାଡ଼ି ଜଙ୍ଗଲ ଭିତରେ ବୈରାଗୀ ଜୀବନ ଅତିବାହିତ କରିବା ଭାରତୀୟଙ୍କ ଆଦର୍ଶ । ରବୀନ୍ଦ୍ରନାଥ ଏହି ଦୁର୍ବଳ ଭାବନାକୁ ତିରସ୍କାର କରି କହିଛନ୍ତି:-

 

‘‘Deliverance is not for me in renunciation, I feel the embrace of freedom in a thousand bounds of delight ପୁଣି-

 

Deliverance ! where is this deliverance to be found ? Our master himself has joyfully taken upon him the bonds of creation, he is bound with us all for ever.’’

 

ଅର୍ଥାତ୍‌ ମୁକ୍ତି....! ଆରେ ମୁକ୍ତି କାହିଁ ? ଭଗବାନ ତ ନିଜେ ସୃଷ୍ଟିର ସମସ୍ତ ଭାର ସ୍ୱୀକାର କରି ସଦାସର୍ବଦା ପାଇଁ ଆମମାନଙ୍କ ସହ ବଦ୍ଧ ରହିଛନ୍ତି । ପୁଣି ଅନ୍ୟତ୍ର–

 

No, I' ll never shut the doors of my senses. The delight of sights and hearing and touch will bear thy delight. (Gitanjali, Poem No 73)

 

ଅର୍ଥାତ୍‌ କବି ନିଜ ଇନ୍ଦ୍ରିୟଗ୍ରାମକୁ ସଙ୍କୁଚିତ କରି ରଖିବାକୁ ଚାହେଁନା- ଜାଗତିକ ଆନନ୍ଦ ଓ ଉପଭୋଗ ଭିତରେ ସେ ସେଇ ଆନନ୍ଦର ଉପଲବ୍‌ଧି ଚାହେଁ । ଏଥିରୁ ରବୀନ୍ଦ୍ରନାଥଙ୍କ ପଳାୟନବାଦର ଖଣ୍ଡନ ହେଉଥିଲେହେଁ ଗୀତାଞ୍ଜଳିରେ କବିଙ୍କ ବିଶ୍ୱାସ, ଭକ୍ତି, କ୍ରାନ୍ତି ଏବଂ ଯୁଗବେଦନା ଅପେକ୍ଷା ଅସୀମ ସହ ମିଳି ମିଶିଯିବା ବାସନା ତୀବ୍ରତର ହୋଇପଡ଼ିଛି ।

 

ଏଣୁ କବି କାବ୍ୟଟିର ବାସ୍ତବତା ଅପେକ୍ଷା କଳ୍ପନା, ବ୍ୟଞ୍ଜନା ଏବଂ ପ୍ରତୀକ ଉପରେ ଅଧିକ ଜୋର ଦେଇଛନ୍ତି । ଗୀତାଞ୍ଜଳିର ଶେଷ ପଦ୍ୟରେ ପୁଣି ସେଇ ଅସୀମଆଡ଼କୁ ବିସ୍ତାରିତ ପକ୍ଷ ପକ୍ଷୀଟି ପରି ଉଡ଼ିଯାଇ ଗାଇଛନ୍ତି-

 

Like a folk a homesick cranes flying night and day back to their mountain nests let all my life take its Voyase to its eternal home in one salutation to thee.

 

(Gitanjali, Poem No. 103)

 

ଏଥିରୁ ସ୍ପଷ୍ଟ ହୁଏ କବି ଜାଗତିକ ସଂଘର୍ଷ ଭିତରେ ଏବଂ ସଂଘର୍ଷ ଶେଷରେ ସେଇ ଅନନ୍ତସତ୍ତାର ଆଶ୍ରୟୀ । ଏପରି ଗୀତିକୁ ଦୁର୍ବଳ ମାନବ ଗୀତି କୁହାଯାଉ, ପଳାୟନ ବା ଯାହା କିଛି କୁହାଯାଉ, ଏହା କବିଙ୍କ ଚରମ ଲକ୍ଷ୍ୟ । ଏଣୁ ଶେଷୋକ୍ତ କବିତାଗୁଡ଼ିକରେ ପୁନଶ୍ଚ ଦାର୍ଶନିକ କବି ସେଇ ଅସୀମ-ବେଦନାରେ ପୀଡ଼ିତ । ସତେଅବା ଏହି ଦୁର୍ବଳ ମିମିଳିଷା ଭାରତୀୟ ମନୁଷ୍ୟ ଜୀବନର କର୍ତ୍ତବ୍ୟାନ୍ତ ସନ୍ନ୍ୟାସ ଧର୍ମ–ମନୁଷ୍ୟର ଦୁର୍ବଳତା ନୁହେଁ ନିରାଟ ସତ୍ୟ....ବାସ୍ତବତା ! ଅତଏବ ଗୀତାଞ୍ଜଳିର ବାଳସୁଲଭ ଭକ୍ତି, ଯୌବନର ତାରଲ୍ୟ ଆଉ କ୍ରାନ୍ତି ଏବଂ ବାର୍ଦ୍ଧକ୍ୟର ପୂର୍ଣ୍ଣତା-ସମ୍ୱନ୍ଧୀୟ ଶାନ୍ତିରୁ କୁହାଯାଇପାରେ ଯେ ଏହା କାବ୍ୟ ନୁହେ, କବି ଜୀବନର ଗୋଟାଏ ଥୀସିସ୍‌ । କଳ୍ପନା ଓ ବାସ୍ତବତା, ସତ୍ୟ ଓ ସୌନ୍ଦର୍ଯ୍ୟର ସମ୍ୟକ ସମନ୍ୱୟ, ମାଟି ଓ ଆକାଶର ଗୋଟିଏ ବଳିଷ୍ଠ ଶୃଙ୍ଖଳ । ଏହା ବୈଦିକ ଋଷିମାନଙ୍କର ବନ୍ଦନା, ବେଦାନ୍ତବାଦୀ ସାଧୁମାନଙ୍କ ଦର୍ଶନ, କବୀର ଦାସଙ୍କ ରହସ୍ୟବାଦିତା, ଏବଂ ପାଶ୍ଚାତ୍ୟ ରୋମାଣ୍ଟିକ ଯୁଗୀୟ ଦର୍ଶନ ଓ ଅଭିବ୍ୟକ୍ତିର ଏକ ସମନ୍ୱିତ ରୂପ ମାତ୍ର ।

☆☆☆

 

 

 

 

 

 

 

 

 

 

 

ବଂଗ ସାହିତ୍ୟ

ଗଜେନ୍ଦ୍ରନାଥ...

କଲକାତାର କାଛେଇ

 

ଆଜି ଶାଶ୍ୱତତାର ଦୁହାଇ ଦେଇ ବର୍ତ୍ତମାନକୁ ଆଉ ଫାଙ୍କି ଦେବାର ଉପାୟ ନାହିଁ । ଯେଉଁମାନେ ବର୍ତ୍ତମାନକୁ କ୍ଷଣିକ କିମ୍ୱା ସାମୟିକ କହି ଉପେକ୍ଷା କରନ୍ତି, ସେମାନଙ୍କୁ କୁହାଯାଇପାରେ ଯେ ‘‘ଯାହା ଯଥାର୍ଥ ତାହା ବାସ୍ତବ, ଯାହା ବାସ୍ତବ ତାହା ସତ୍ୟ ଏବଂ ଯାହା ସତ୍ୟ ତାହାହିଁ ଶାଶ୍ୱତ ।’’ ଅତଏବ ଯୁଗ ଚିତ୍ରକୁ ଯୁଗ-ଯୁଗର କରିପାରିବା ହେଉଛି ଉପନ୍ୟାସର ଚିରନ୍ତନତା । ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଆଧୁନିକ ଉପନ୍ୟାସ ସାହିତ୍ୟରେ ଆମେ ନିମ୍ନଲିଖିତ ଦୁଇ ଧରଣର ଉପନ୍ୟାସ ପାଇଥାଉଁ ।

 

(୧) ଏପରି ଉପନ୍ୟାସ ଯାହାର କିଛି ବକ୍ତବ୍ୟ ଅଛି, ଦର୍ଶନ କିମ୍ୱା ଚିନ୍ତାଧାରା ରହିଛି ।

 

(୨) ଏପରି ଉପନ୍ୟାସ ଯାହାର କିଛି କହିବାର ନାହିଁ–କେବଳ ବାସ୍ତବତାକୁ ଯଥାର୍ଥ ରୂପରେ ଆଖିଆଗରେ ଥୋଇ ଦେବାହିଁ ତା’ର ଲକ୍ଷ୍ୟ । ଏହି ବାସ୍ତବତାରୁ ଯାହା ଧ୍ୱନିତ ତାହାହିଁ ତା’ର ସବୁକିଛି ।

 

ପ୍ରଥମ ଧରଣର ଉପନ୍ୟାସ ଭିତରେ ହେରମାନ୍‌ ହେସ୍‌ଙ୍କର ‘ଗୌତମ ବୁଦ୍ଧ’, ମେକ୍‌ସିମ ଗୋର୍କୀଙ୍କର ‘ମା’ ଏବଂ ହେମିଂଓଙ୍କର ‘ବୃଦ୍ଧ ଓ ସାଗର’ (ଓଲଡ଼ମ୍ୟାନ ଏଣ୍ଡ ଦି ସି) ପ୍ରଭୃତି ପରିଗଣିତ କରାଯାଇପାରେ । ‘ମା’ ଉପନ୍ୟାସରେ କଳକାରଖାନାର ଶ୍ରମିକମାନଙ୍କର ଯାଥାର୍ଥ ବର୍ଣ୍ଣନା ଥିଲେହେଁ ମାର୍କସ ଦର୍ଶନର ପ୍ରଚାର କରାଯାଇଛି । ‘ବୃଦ୍ଧ ଓ ସାଗର’ ରେ କେବଳ ଗୋଟିଏ ବୃଦ୍ଧ ମତ୍ସ୍ୟଜୀବୀର ଜୀବନ-ସଂଘର୍ଷ ବିଷୟକ କଥାବସ୍ତୁ ସହିତ ମାନବିକତା ଏବଂ ମାନବୀୟ ଅପରାଜେୟତାର ଦର୍ଶନ ସନ୍ନଦ୍ଧ କରାଯାଇଛି । ସେପରି ‘ଡକ୍ଟର ଜୀବାଗୋ’ରେ ଐତିହାସିକ ଯଥାର୍ଥ୍ୟ ଦାବି କରାଯାଉ ଥିଲେହେଁ ସେଥିରେ ମାର୍କସୀୟ ଚିନ୍ତାଧାରା ଏବଂ ସାମ୍ୟବାଦର ବିରୋଧ ଅଛପା ରହୁନାହିଁ । ଏଣୁ ଏ ଧରଣର ଗ୍ରନ୍ଥ ପ୍ରଥମ ଧରଣର ଉପନ୍ୟାସର ଅନ୍ତର୍ଗତ ।

 

ଦ୍ୱିତୀୟ ଧରଣର ଉପନ୍ୟାସ କେବଳ ବିଶ୍ଳେଷଣ ମାତ୍ର କରେ । ସେଥିରୁ ହୁଏତ ଖୋଜିଲେ କୌଣସି ନୀତି ବା ଦର୍ଶନ ମିଳିପାରେ । କିନ୍ତୁ ପ୍ରଚାରବାଦିତା ଉକ୍ତ କଳାକୃତିଟିର ଲକ୍ଷ୍ୟ ନୁହେ । ଏ ଧରଣର ଉପନ୍ୟାସମାନ ମନୋବୈଜ୍ଞାନିକ ବିଶ୍ଳେଷଣ-ପ୍ରଧାନ କିମ୍ୱା ନିଛକ ସମାଜ ଚିତ୍ରଣଧର୍ମୀ ହୋଇଥାଏ । ଦାସ୍ତାବସ୍କୀଙ୍କର ‘ଅପରାଧ ଓ ଦଣ୍ଡ’ (କ୍ରାଇମ ଏଣ୍ଡ ପନିସମେଣ୍ଟ) ଷ୍ଟିଫେନ୍‌ହ୍ୱିଗ୍‌ଙ୍କର ‘ଅପରିଚିତାର ପତ୍ର’ (ଏ ଲେଟର ଫ୍ରମ ଏନ୍‌ ଆନ୍‌ନୋନ ଓ୍ୱମେନ) ଯଥାକ୍ରମେ ଜଣେ ଯୁବକ ଓ ଯୁବତୀର ମାନସିକ ସ୍ଥିତିର ବିଶ୍ଳେଷଣ । ଏହାଛଡ଼ା କାମ୍ୟୁଙ୍କର ଅନେକ ଉପନ୍ୟାସରେ ବ୍ୟକ୍ତିର ମାନସିକ ଦୁର୍ବଳତାର ବ୍ୟାଖ୍ୟା କରାଯାଇଥାଏ । ଯେତେବେଳେ କେବଳ ମନୋବିଶ୍ଳେଷଣକୁ ମୂଳ ନ କରି ସାମାଜିକ ସ୍ଥିତିର ବିଶ୍ଳେଷଣ କରାଯାଇଥାଏ, ସେତେବେଳେ ନିଛକ ବାସ୍ତବବାଦୀ ଉପନ୍ୟାସର ଜନ୍ମ ହୋଇଥାଏ । ଗୋଟିଏ ବାକ୍ୟରେ କହିବାକୁ ଗଲେ ମନୁଷ୍ୟର ମନୋବୃତ୍ତି କିମ୍ୱା ସାମାଜିକ ସ୍ଥିତିର ସ୍ୱାଭାବିକ ବୈଜ୍ଞାନିକ ନିରପେକ୍ଷ ବିଶ୍ଳେଷଣ ହିଁ ଏ ଧରଣ ଉପନ୍ୟାସର ଲକ୍ଷ୍ୟ । ‘‘କଲକାତାର କାଛେଇ’’ ଏହି ଶେଷୋକ୍ତ ଧରଣର ଉପନ୍ୟାସ । କାରଣ ଏହା କଲିକତାକୁ କେନ୍ଦ୍ରକରି ଆଖପାଖ ଅଞ୍ଚଳର ସାମାଜିକ ଜୀବନର ଯଥାର୍ଥ ଚିତ୍ର ଉପସ୍ଥାପନ କରିବାକୁ ଚାହିଁଛି । ଏହି ଉପନ୍ୟାସଟିର ସମ୍ପୂର୍ଣ୍ଣ ବଙ୍ଗଦେଶର କଥାବସ୍ତୁ ନାହିଁ–ଆଞ୍ଚଳିକ ବର୍ଣ୍ଣନାଜନିତ ପୂର୍ଣ୍ଣତା ହିଁ ଏହାର ଲକ୍ଷ୍ୟ ।

 

ବଙ୍ଗ ସାହିତ୍ୟରେ ବଙ୍କିମଚନ୍ଦ୍ରଙ୍କଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଅନେକ ଉପନ୍ୟାସକାର ଉପନ୍ୟାସମାନ ଲେଖିଥିଲେହେଁ ‘କଲକାତାର କାଛେଇ’ର ସ୍ୱତନ୍ତ୍ର ନିଜସ୍ୱ ରହିଛି । ବଙ୍କିମଚନ୍ଦ୍ର, ଐତିହାସିକ କପୋଳକଳ୍ପନାକୁ ଅବଲମ୍ୱନ କରି, ଦେଶାତ୍ମବୋଧର ପୁଟ ଦେଇ ଅଦ୍ଭୁତ ଚରିତ୍ର ସୃଷ୍ଟି କରିଛନ୍ତି । ରବୀନ୍ଦ୍ରନାଥ ତାଙ୍କ ଉପନ୍ୟାସରେ ସାମାଜିକ କୁସଂସ୍କାର ଦୂରକରି ଅଖିଳ ଭାରତୀୟତା, ଏବଂ ବିଶ୍ୱପ୍ରାଣତାର ପ୍ରତିଷ୍ଠା କରିବାକୁ ଚାହିଁଛନ୍ତି । ଶରତଚନ୍ଦ୍ର ପ୍ରେମକୁ କେନ୍ଦ୍ରକରି ପୁରୁଷ ଚରିତ୍ରଗୁଡ଼ିକୁ ନିଷ୍କ୍ରିୟ ରଖି କେବଳ ନାରୀ ଜୀବନର ବିବିଧ ମନୋବୃତ୍ତିକୁ ନିଜ ଉପନ୍ୟାସମାନଙ୍କରେ ସଫଳତାର ସହିତ ରୂପାୟିତ କରିଛନ୍ତି । ତେବେ ଜୀବନର ବୈବିଧ୍ୟର ଅଭାବ ହିଁ ଶରତବାବୁଙ୍କ ଉପନ୍ୟାସ-କଳାର ଅଭାବ । ବିଭୁତିଭୂଷଣ ବନ୍ଦୋପାଧ୍ୟାୟଙ୍କ ଉପନ୍ୟାସମାନଙ୍କରେ ପ୍ରକୃତି-ପ୍ରେମ ଓ ମାନବିକତା ଛଡ଼ା ଆଧୁନିକ ଭାରତୀୟ ଯୁବକର ଜୀବନ ସଂଘର୍ଷ ପ୍ରତିପାଦିତ ହୋଇଥାଏ । ଏ ଉପନ୍ୟାସ ଗୁଡ଼ିକରେ ହୃଦୟ ସ୍ପର୍ଶକାରିତା ଥିଲେହେଁ ପ୍ରକୃତି-ବର୍ଣ୍ଣନାଗତ ଅତିରିକ୍ତତା ତାଙ୍କ ଉପନ୍ୟାସ କଳାର ପୂର୍ଣ୍ଣ ସୁରକ୍ଷା କରିପାରି ନାହିଁ । ତାରାଶଙ୍କର ବଙ୍ଗୀୟ ଗ୍ରାମ୍ୟ ସଭ୍ୟତାକୁ ଜୀବନ୍ତ କରି ଉପସ୍ଥାପିତ କରିବାରେ ସିଦ୍ଧହସ୍ତ । ତେବେ ଏହି ବିଷୟକ ବିଶ୍ଳେଷଣରେ ଯେଉଁ ଆତିଶଯ୍ୟ ଓ ପିଷ୍ଟପେଷଣ ଦେଖାଯାଏ ତାହା ସୂକ୍ଷ୍ମ ବିଶ୍ଳେଷଣ ପରିବର୍ତ୍ତେ ବିରକ୍ତିକର ଏବଂ ପାଠକର ଧୈର୍ଯ୍ୟସାପେକ୍ଷ ହୋଇଥାଏ (‘ଆରୋଗ୍ୟ ନିକେତନ’ ଏହାର ଏକ ଜ୍ୱଳନ୍ତ ନିଦର୍ଶନ) । ତେବେ ଉପନ୍ୟାସମାନଙ୍କରେ କୌଣସି ଗଭୀର ଦାର୍ଶନିକତାକୁ ପ୍ରବିଷ୍ଟ କରାଇବା ହେଉଛି ତାଙ୍କର ବିଶେଷତ୍ୱ । କିନ୍ତୁ ଗଜେନ୍ଦ୍ରନାଥ ମିତ୍ରଙ୍କର ଔପନ୍ୟାସିକ ବିଶେଷତ୍ୱ ହେଉଛି ଗୋଟିଏ ଅଞ୍ଚଳର ଶିକ୍ଷା ସଂସ୍କୃତିକୁ କେନ୍ଦ୍ରକରି ତା’ର ଅତିଯଥାର୍ଥବାଦୀ ଚିତ୍ରଣ ପରିବେଷଣ କରିବା । ଦର୍ଶନର ପ୍ରଚାର କିମ୍ୱା ଆଦର୍ଶପୂର୍ଣ୍ଣ ଚରିତ୍ର-ସୃଷ୍ଟି ତାଙ୍କର ଧ୍ୟେୟ ନୁହେଁ-ବୈଜ୍ଞାନିକ ବିଶ୍ଳେଷଣ ହିଁ ତାଙ୍କର ଲକ୍ଷ୍ୟ । ‘କଲକାତାର କାଛେଇ’ ଏହାର ବଳିଷ୍ଠ ପ୍ରମାଣ ।

 

ଆଧୁନିକ ଭାରତୀୟ ଉପନ୍ୟାସ ଆଜି ବୈଜ୍ଞାନିକ ବିଶ୍ଳେଷଣବାଦ ଓ ଅତିଯଥାର୍ଥବାଦ (Surrealism)ର ପ୍ରଭାବ ଯୋଗୁଁ ଏବଂ ମହାକାବ୍ୟଧର୍ମୀ ଉପନ୍ୟାସର ପ୍ରୟୋଗଜନିତ ପ୍ରାଚୀନତା ଯୋଗୁଁ କୌଣସି ଘଟଣାର ସୂକ୍ଷ୍ମ ବିଶ୍ଳେଷଣ କିମ୍ୱା କୌଣସି ସୀମିତ ଆଞ୍ଚଳିକ ଚିତ୍ରଣର ପରିପୂର୍ଣ୍ଣତା ଆଡ଼କୁ ଅଗ୍ରସର । ଅତଏବ ଆଧୁନିକ ଉପନ୍ୟାସ ହେଉଛି ଯେ କୌଣସି ବ୍ୟକ୍ତି ବସ୍ତୁ ବା ସମାଜର ସୂକ୍ଷ୍ମରୁ ସୂକ୍ଷ୍ମତର ଅଭିବ୍ୟକ୍ତି । ‘କଲକାତାର କାଛେଇ’ରେ ଏହାହିଁ କରାଯାଇଛି । କଲିକତାକୁ କେନ୍ଦ୍ରକରି ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକ-ଜୀବନ, ଆଚାର ବ୍ୟବହାର, ରାଜନୀତି, ମନସ୍ଥିତି ଓ ଜୀବନାତିବାହିତ ପଦ୍ଧତିକୁ ଏଥିରେ ବିଶ୍ଳେଷିତ କରାଯାଇଛି । ଏହି ଉପନ୍ୟାସ ବିଷୟରେ ଲେଖକଙ୍କର ସ୍ୱକୀୟ ବକ୍ତବ୍ୟ ମଧ୍ୟ ଅଛି । ନିଜେ ଲେଖକ Indian literatureର ତୃତୀୟବର୍ଷ ପ୍ରଥମ ସଂଖ୍ୟାରେ ତାଙ୍କ ଉପନ୍ୟାସ ବିଷୟରେ କହିଛନ୍ତି ଯେ, ରବୀନ୍ଦ୍ରନାଥଙ୍କ ଗୋଟିଏ ବାକ୍ୟ ତାଙ୍କୁ ପଥ ପ୍ରଦର୍ଶିତ କରିଛି, ଯାହାକି ତାଙ୍କୁ ଡିକେନ୍‌ସ, ବଲ୍‌ଜକ, ଟଲଷ୍ଟୟ ଏବଂ ଜନ୍‌ ଅଷ୍ଟିନ୍‌ ପ୍ରଭୃତିଙ୍କ ଆଡ଼କୁ ଟାଣି ନେଇଛି । ପୁନଶ୍ଚ ବାଲ୍ୟକାଳରୁ ତାଙ୍କର ଇଚ୍ଛାଥାଏ ଯେ ସେ ଏପରି କିଛି ଲେଖିବେ ଯାହା ମାନବୀୟ ସତ୍ୟର କେନ୍ଦ୍ର ଉପରେ ଆଧାରିତ ହୋଇଥିବ ଏବଂ ସମୟଦ୍ୱାରା ପରୀକ୍ଷିତ ହେଲେ ହେଁ ପ୍ରାଚୀନ ବିବେଚିତ ହେବନାହିଁ । ଏହାଛଡ଼ା ପ୍ରାଥମିକ ଜୀବନରେ କଲିକତା ନିକଟସ୍ଥ କୌଣସି ଗ୍ରାମରେ ସେ ବାସ କରୁଥିବା ଏବଂ ସେଇ ମଳିମୁଣ୍ଡିଆମାନଙ୍କ ବିଷୟରେ ଭବିଷ୍ୟତରେ ଯଦି ଲେଖକ ହୁଅନ୍ତି କିଛି ଲେଖିବା ଅଭୀପ୍‌ସା ବିଷୟରେ ନିଜେ ସ୍ୱୀକାର କରିଛନ୍ତି ।

 

ଏଣୁ କୁହାଯାଇପାରେ ଯେ ‘କଲକାତାର କାଛେଇ’ ଲେଖକଙ୍କର ଆଭ୍ୟନ୍ତରୀଣ ଓ ବାହ୍ୟ ପ୍ରେରଣାର ଏକ ସମନ୍ୱିତ ରୂପ ମାତ୍ର ।

 

ବସ୍ତୁତଃ, ‘କଲକାତାର କାଛେଇ’ର ପ୍ରଧାନ ଆଭିମୁଖ୍ୟ ହେଉଛି ନିମ୍ନ ମଧ୍ୟ ଶ୍ରେଣୀର ଯଥାର୍ଥ ଚିତ୍ରଣ । ନରେନ୍‌ର ଚରିତ୍ରହୀନତା ଓ ଦାୟିତ୍ୱହୀନତା, ଦେବେନ୍‌ର ଅସତ୍‌ଚରିତ୍ରତା ଭିତରେ ସ୍ୱାର୍ଥପରତା, ଶରତର ଚାରିତ୍ରିକ ପତନ ଭିତରେ ଥିବା ସ୍ପଷ୍ଟବାଦିତା ଓ ଉଦ୍ଦାତ୍ତ ପ୍ରେମ, ବିଧବା ରାସମଣିର ଜୀବନ ସଂଘର୍ଷ, ଶ୍ୟାମାମଣିର କଠୋର ଅଗ୍ନିପରୀକ୍ଷା ଏବଂ ଉମାର ଅସ୍ଥିର ଜୀବନ-ବେଦନା ପ୍ରଭୃତି ଉପନ୍ୟାସଟିକୁ ଅତ୍ୟନ୍ତ ବାସ୍ତବ, ମାର୍ମିକ ଏବଂ ପ୍ରଭାବପୂର୍ଣ୍ଣ କରିଦେଇଛି । ଉପନ୍ୟାସଟିରେ ଚିତ୍ରିତ ଶ୍ୟାମାଠାକୁରାଣୀର ବୁଭୁକ୍ଷାଜନିତ ପୀଡ଼ା, ଅନିଚ୍ଛାମୂଳକ ସନ୍ତାନ-ପ୍ରଜନନ ଓ ସେମାନଙ୍କର ପାଳନ ପୋଷଣ ସମ୍ପର୍କୀୟ କାରୁଣ୍ୟ ‘ପଥେର ପାଞ୍ଚାଳୀ’ଠାରୁ ବଳି ପଡ଼ିଛି । ମୋଟାମୋଟି-ଭାବରେ କହିବାକୁ ଗଲେ ପାରିବାରିକ କୁଟିଳତା, ନିମ୍ନ ମଧ୍ୟବର୍ଗୀୟ ପୁରୁଷମାନଙ୍କର ଚରିତ୍ରହୀନତା, ଅଭାବଜନିତ ମନୁଷ୍ୟର ସ୍ୱାଭାବିକ ପ୍ରବୃତ୍ତି, ପତିତ୍ୟକ୍ତ ଯୁବତୀର ଚିତ୍ତବୃତ୍ତି ଏବଂ ସମାଜର ତଥାକଥିତ ସଭ୍ୟ ଓ ସାଧୁ ସନ୍ଥମାନଙ୍କର ମନୋବୃତ୍ତି ଏହି ଉପନ୍ୟାସଟିରେ ଉଦ୍‌ଘାଟିତ ହୋଇଛି ।

 

ଉପନ୍ୟାସଟିରେ ନରେନ୍‌ ଓ ଦେବେନ୍‌ ଦୁହେଁ କୁସଂସ୍କାରପୂର୍ଣ୍ଣ ସହର ସମୀପସ୍ଥ ଗ୍ରାମ୍ୟ ବ୍ୟକ୍ତିମାନଙ୍କର ପ୍ରତୀକ । ସେପରି ଶରତ ସହରସ୍ଥିତ ନିମ୍ନ ମଧ୍ୟଶ୍ରେଣୀର କୁଶିକ୍ଷାଗ୍ରସ୍ତ ବ୍ୟକ୍ତିମାନଙ୍କର ପ୍ରତିନିଧି । ରାସମଣି ବହୁକନ୍ୟା ପ୍ରସବିଣୀ ବିଧବା ମାତାର କରୁଣ ଛବି । ଶ୍ୟାମା ଓ ଉମାର ଶାଶୁଦ୍ୱୟ ପରସ୍ପରବିରୋଧୀ ଚରିତ୍ର-ସୃଷ୍ଟି । ଉପନ୍ୟାସଟିରେ ରାସମଣିର ସ୍ଥେର୍ଯ୍ୟ, ଶ୍ୟାମାମଣିର ଧୈର୍ଯ୍ୟ ଏବଂ ଉମାର ବିବିଧ କାର୍ଯ୍ୟ ବା କର୍ମାନ୍ୱେଷଣାକାଂକ୍ଷା ନିମ୍ନମଧ୍ୟବିତ୍ତ ନାରୀମାନଙ୍କର ଜୀବନ ସଂଘର୍ଷର ଜ୍ୱଳନ୍ତ ଚିତ୍ରଣ । ଉପନ୍ୟାସଟିରେ କଥାବସ୍ତୁର ବିଶେଷ କିଛି ଅଭାବ ନ ଥିଲେ ହେଁ ତା’ର ଯଥାର୍ଥ ପ୍ରତିପାଦନ ହିଁ ଏହାର ପ୍ରକୃତ ଆଭିମୁଖ୍ୟ । ବିଶେଷତଃ ଜୀବନର ଦୁଃଖଦ ପରିସ୍ଥିତି ସହିତ ମନୁଷ୍ୟର ସଂଘର୍ଷ ଏବଂ ‘ଅପରାଜିତ’ ହୋଇ ଅସ୍ତିତ୍ୱର ସୁରକ୍ଷା ଏହି ଦୁଇଟି ତତ୍ତ୍ୱ ଉପରେ ସମଗ୍ର ଉପନ୍ୟାସଟି ଆଧାରିତ ।

 

ଶୈଳୀ ଦୃଷ୍ଟିରୁ ଦେଖିବାକୁ ଗଲେ, ସର୍ବପ୍ରଥମେ ଲେଖକ ହାବଡ଼ା ଷ୍ଟେସନଠାରୁ ଧୀରେ ଧୀରେ ନିକଟସ୍ଥ ଗ୍ରାମଆଡ଼କୁ ପାଠକଙ୍କୁ ଟାଣିନେଇ ଶ୍ୟାମା ଠାକୁରାଣୀ ବୃଦ୍ଧା ସହିତ ପରିଚିତ କରାଇବାକୁ ଯାଇ ସମସ୍ତ କଥା କହି ଯାଇଛନ୍ତି । ଉପନ୍ୟାସଟି ବଂଶର ତିନି ପୁରୁଷ ବା ତିନୋଟି ସ୍ଥିତିକୁ ସ୍ପର୍ଶ କରେ । ଅର୍ଥାତ୍‌ ରାସମଣି, ଶ୍ୟାମା ଏବଂ ତା’ର ସନ୍ତାନମାନଙ୍କ ପର୍ଯ୍ୟନ୍ତ କଥାବସ୍ତୁ ଧାରାବାହିକ ବ୍ୟାପ୍ତ । ତେବେ ଶେଷୋକ୍ତ ଧାରାର ପାତ୍ରଗୁଡ଼ିକରେ ସ୍ୱଭାବିକତା ଥିଲେହେଁ ପରିପୂର୍ଣ୍ଣତା ନାହିଁ । ଏହାଛଡ଼ା ଏଥିରେ ନାରୀ ଜାତିର ବାଲ୍ୟ, କୈଶୋର, ପ୍ରୌଢ଼ ଏବଂ ବୃଦ୍ଧାବସ୍ଥାର ଯେପରି ବିଶ୍ଳେଷଣ କରାଯାଇଛି, ପୁରୁଷ ଚରିତ୍ରଗୁଡ଼ିକର ସେପରି କରାଯାଇ ନାହିଁ । ଅବଶ୍ୟ ମୁସଲମାନ ବୃଦ୍ଧ, ଶ୍ୟାମର ସନ୍ତାନଗଣ ଏବଂ ଉପନ୍ୟାସସ୍ଥ ବିବିଧ ଯୁବକ ପାତ୍ର ପୁରୁଷ ଜାତିର ବିଭିନ୍ନ ଅବସ୍ଥାକୁ ସ୍ପର୍ଶ କରନ୍ତି, ତେବେ ପ୍ରତ୍ୟେକ-ଜୀବନ ସ୍ଥିତି କିମ୍ୱା ପ୍ରତ୍ୟେକ ଚରିତ୍ରର ସମ୍ପୂର୍ଣ୍ଣତା ଏଥିରେ ନାହିଁ କି ଏହା ଏହି ଉପନ୍ୟାସର ଲକ୍ଷ୍ୟ ମଧ୍ୟ ନୁହେଁ । ଏଣୁ ‘କଲକାତାର କାଛେଇ’କୁ ଏପିକ ନଭେଲ କହିବା ଯୁକ୍ତିସଙ୍ଗତ ନୁହେଁ ।

 

ଏହାଛଡ଼ା ରାସମଣି ଏବଂ ରବୀନ୍ଦ୍ରନାଥଙ୍କ କାକତାଳୀୟ ସମ୍ପର୍କ ଉପନ୍ୟାସଟିକୁ ସ୍ୱାଭାବିକତାରେ ବାଧା ସୃଷ୍ଟି କରେ । ଗୋଟିଏ କଥାବସ୍ତୁ ଜରିଆରେ ଅବାସ୍ତବ ବା କଳ୍ପିତ ଚରିତ୍ରଗୁଡ଼ିକୁ ଅତିବାସ୍ତବ ରୂପ ଦେବାବେଳେ ଜଣେ ବାସ୍ତବ ବିଶ୍ୱବିଶ୍ରୁତ ବ୍ୟକ୍ତିଙ୍କୁ ଚରିତ୍ର ରୂପେ ବର୍ଣ୍ଣନା କରିବା ଅତିରଞ୍ଜିତ ଏବଂ ଅବାସ୍ତବ ବୋଧହୁଏ । ଏଥିଦ୍ୱାରା ଉପନ୍ୟାସଟି ଅତିବାସ୍ତବ ହେବା ପରିବେର୍ତ୍ତେ ଅବାସ୍ତବତାର ସୂଚନା ଦିଏ । ଉପନ୍ୟାସର ପ୍ରାରମ୍ଭରେ ଲେଖକ ଏହାର କୈଫିୟତ ଦେଇଥିଲେହେଁ ଆଲୋଚ୍ୟ ଗ୍ରନ୍ଥଟିକୁ ଗୋଟିଏ ସଂପୂର୍ଣ୍ଣ କଳାକୃତି ଦୃଷ୍ଟିରୁ ବିବେଚନା କଲାବେଳେ ଉକ୍ତ ଅଭାବ ବା ଦୁର୍ବଳତା ଅଛପା ରହିପାରୁ ନାହିଁ । (ହୁଏତ ଲେଖଙ୍କର ଅନ୍ୟ ଖଣ୍ଡମାନଙ୍କରେ ଏହା ଅନ୍ୟ ରୂପ ଧାରଣ କରିପାରେ) ।

 

ସମସାମୟିକ ଅନ୍ୟ ଭାରତୀୟ ଆଞ୍ଚଳିକ ଉପନ୍ୟାସମାନଙ୍କ ସହିତ ତୁଳନାକରି ଦେଖିଲେ ‘କଲକାତାର କାଛେଇ’ର ଉତ୍କର୍ଷ ପ୍ରତିପାଦିତ ହୋଇପାରିବ । ହିନ୍ଦୀ ସାହିତ୍ୟର ଏକାଡେମୀ ପୁରସ୍କାର-ପ୍ରାପ୍ତ ଅନ୍ୟ ଏକ ରଚନା ‘‘ମୈଲାଆଁ ଚଲ୍‌’’ ସହିତ ଏହା ତୁଳନୀୟ । ଏହି ଉପନ୍ୟାସଟିର ଲେଖକ ହେଉଛନ୍ତି ଶ୍ରୀ ଫଣୀଶ୍ୱରନାଥ ରେଣୁ । ‘କଲକାତାର କାଛେଇ’ରେ ଯେପରି ଆଖପାଖ ଅଞ୍ଚଳକୁ ଜୀବନ୍ତ କରି ପ୍ରସ୍ତୁତ କରିବା ଉଦ୍ୟମ ଦେଖାଦେଇଛି, ଠିକ୍‌ ସେପରି ‘ମୈଲାଆଁ ଚଲଁ’ରେ ମଧ୍ୟ ପୂର୍ଣ୍ଣିୟା ଜିଲାର ଗୋଟିଏ ସହର ନିକଟସ୍ଥ ଗ୍ରାମର ରାଜନୀତି, ସାମାଜିକ ସ୍ଥିତି, କୃଷକ ଏବଂ ଶାସକମାନଙ୍କର କ୍ରିୟାକଳାପ ଉପରେ ଯଥାର୍ଥ ଭାବେ ଆଲୋକପାତ କରାଯାଇଛି । ଏଥିରେ ୧୯୪୨ ପରବର୍ତ୍ତୀ କାଳରୁ ସ୍ୱତନ୍ତ୍ରତା ପ୍ରାପ୍ତି ଏବଂ ଗାନ୍ଧିଜୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ନାନାଦି ଘଟଣା ସ୍ୱଚ୍ଛ ରୂପରେ ବର୍ଣ୍ଣିତ । ଅନେକ ଆଲୋଚକ ଏହାକୁ ଗୋଦାନ ପରବର୍ତ୍ତୀ ବଳିଷ୍ଠ କଳାକୃତି ବୋଲି ସ୍ୱୀକାର କଲେ ହେଁ ଏଥିରେ ଅନେକ ଅଭାବ ବା ଅସ୍ୱାଭାବିକତା ରହିଯାଇଛି । ଆବଶ୍ୟକତାରୁ ଅଧିକ ଭାବପ୍ରବଣତା, ଲୋକନୃତ୍ୟ ଓ ଗୀତର ବର୍ଣ୍ଣନାତିରେକତା ଏବଂ ଅସ୍ୱାଭାବିକ ପରିବର୍ତ୍ତନ ଏବଂ ସ୍ୱୀକରଣ ଯୋଗୁ ଉପନ୍ୟାସଟି ନିଜର ସ୍ୱାଭାବିକ ସଂଯମ ହରାଇ ବସିଛି । ଉପନ୍ୟାସସ୍ଥ ତହସିଲଦାରଙ୍କ ଦ୍ୱାରା ସାତଶହ ବିଘା ଜମି ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରିବା, ନିଜ ଝିଅର ଡାକ୍ତରଙ୍କ ଦ୍ୱାରା ଅବୈଧ ଗର୍ଭ ହେବା ବିଷୟ ଜାଣିଶୁଣି ତାକୁ ପ୍ରତିକ୍ରିୟାହୀନ ଭାବରେ ସ୍ୱୀକାର କରିନେବା ପ୍ରଭୃତି କଥା ପ୍ରବୃତ୍ତି-ବିରୋଧୀ ଏବଂ ଅସ୍ୱାଭାବିକ ବୋଧହୁଏ । ଏହି ଉପନ୍ୟାସଟିରେ ପୂର୍ଣ୍ଣିୟାର ଆଖପାଖ ଅଞ୍ଚଳର ଯଥାର୍ଥ ଚିତ୍ରଣଗତ ଅଭାବ ପରିଲକ୍ଷିତ ନହେଉଥିଲେହେଁ, ଯଥାର୍ଥ ଭାରସାମ୍ୟହୀନତା ଓ ଅତି ଭାବପ୍ରବଣତା ହେଉଛି ଏହାର କଳାହୀନତା ବା ଦୁର୍ବଳତା । କିନ୍ତୁ ‘କଲକାତାର କାଛେଇ’ରେ କଲିକତାର ପାର୍ଶ୍ୱବର୍ତ୍ତୀ ଗ୍ରାମ୍ୟ ସମସ୍ୟା, ରାଜନୀତି ଓ ଗୃହନୀତି ପ୍ରଭୃତି ଅତି ବାସ୍ତବରୂପ ଧାରଣ କରିଛି । କେବଳ ପୂର୍ବସୂଚିତ ରବୀନ୍ଦ୍ରନାଥ ଓ ରସମଣିଗତ ସମ୍ୱନ୍ଧ ସମ୍ପର୍କ ଛଡ଼ା ଅନ୍ୟସବୁ ଯଥାର୍ଥ ବୋଧହୁଏ । ଏହା ବ୍ୟତୀତ ଏଥିରେ ଭାବପ୍ରବଣତା ନାହିଁ କିମ୍ୱା ବିଷୟଗତ ପିଷ୍ଟପେଷଣ ନାହିଁ । ଏଣୁ ମୌଳିକ ଦୃଷ୍ଟିରୁ ‘କଲକାତାର କାଛେଇ’ ‘ମୈଲାଆଁ ଚଲ୍‌’ ଅପେକ୍ଷାକୃତ ସଂଯତ ଏବଂ କଳାତ୍ମକ ।

 

ଅତଏବ ପରିଶେଷରେ ଏତିକି କୁହାଯାଇପାରେ ଯେ, ଆଲୋଚ୍ୟ ଉପନ୍ୟାସଟିରେ ଯାଥାର୍ଥ୍ୟର ଅଭାବ ନାହିଁ । ନରେନ୍‌, ଦେବେନ୍‌ ଓ ଶରତ୍‌ ଅସାମାଜିକ ବୋଧହେଲେହେଁ ଅତି ଯଥାର୍ଥ । ରାସମଣି, ଶ୍ୟାମା ଓ ଉମା ପ୍ରଭୃତି ଚରିତ୍ରମାନଙ୍କର ସମାଜରେ ଅଭାବ ନାହିଁ । ଉପନ୍ୟାସଟିରେ ରାସମଣି ନିସ୍ପନ୍ଦ ଅଟଳ ପର୍ବତ ପରି ଦଣ୍ଡାୟମାନ, ଶ୍ୟାମା ଉଚ୍ଚାବାଚ ବନ୍ଧୁର ପ୍ରଦେଶ ଅତିବାହିତା ସ୍ରୋତସ୍ୱିନୀ ପରି ଆଗକୁ ଅଗ୍ରସର ଏବଂ ଉମା ଫଳ-ପୁଷ୍ପହୀନ ବନ୍ଧ୍ୟା ଲତାଟି ପରି ନିଷ୍ଫଳ...ନିସ୍ପନ୍ଦ । ଏପରି ସମସ୍ତ ଉପନ୍ୟାସଟି ଧୈର୍ଯ୍ୟ ଓ ସହନଶୀଳତା, ସଂଘର୍ଷ ଓ ସଫଳତା, ଚରମ ଅସଫଳତାର ବା ବିଫଳତାର ତିନୋଟି ବିନ୍ଦୁ ଉପରେ ଆଧାରିତ । ଚରିତ୍ର ଚିତ୍ରଣଗତ ଏବଂ ଆଞ୍ଚଳିକ ବର୍ଣ୍ଣନାଗତ ସ୍ୱାଭାବିକତା ହିଁ ଏହି ଉପନ୍ୟାସର ଯଥାର୍ଥତା ବା ପ୍ରକୃତ ସଫଳତା ।

☆☆☆

 

 

 

 

 

 

 

 

 

 

 

ହିନ୍ଦୀ ସାହିତ୍ୟ

ପ୍ରେମଚନ୍ଦ...

ଗୋଦାନ

 

‘‘ଗୋଦାନ’’ ପ୍ରେମଚନ୍ଦ୍‌ଙ୍କର ସର୍ବଶ୍ରେଷ୍ଠ ଔପନ୍ୟାସିକ କୃତି । ଏହି ଉପନ୍ୟାସରେ ସେ ନିଜକୁ ଆଦର୍ଶବାଦର ଆବରଣ ଭିତରୁ ମୁକ୍ତକରି ବାସ୍ତବ ଓ ଯଥାର୍ଥ ଧରାତଳରେ ଉପନୀତ କରାଇପାରିଛନ୍ତି । ଏହି ଉପନ୍ୟାସ-ରଚନା ପୂର୍ବରୁ ପ୍ରେମଚନ୍ଦ୍‌ ଅନୁଭବୀ ଏବଂ ନିରୀକ୍ଷକ ଲେଖକଭାବେ ପରିଚିତ ହୋଇଥିଲେହେଁ ଆଦର୍ଶବାଦର ଲୋଭ-ସ୍ତୂପ ତଳେ ଆବୃତ୍ତ ଥିଲେ । ଏଣୁ ତାଙ୍କର ତତ୍‌କାଳୀନ ରଚନାମାନ ଆଦର୍ଶ-ବୋଝଦ୍ୱାରା ଭାରାକ୍ରାନ୍ତ ହୋଇ କେବଳ କୃତ୍ରିମତାର ସୃଷ୍ଟି କରୁଥିଲା । କିନ୍ତୁ ସର୍ବଶେଷରେ ‘ଗୋଦାନ’ ରଚନାକରି ସେ ପ୍ରମାଣିତ କରିଯାଇଛନ୍ତି ଯେ, ଭାରତୀୟ ଜନ-ଜୀବନକୁ ବିଶ୍ୱସାହିତ୍ୟ କ୍ଷେତ୍ରରେ ଉପସ୍ଥାପିତ କରିବାପାଇଁ ଯଦି କୌଣସି ଭାରତୀୟ ଉପନ୍ୟାସ ଥାଏ, ତା’ହେଲେ ତା’ ହେଉଚି ‘ଗୋଦାନ’ ।

 

‘ଗୋଦାନ’ ବସ୍ତୁତଃ ଭାରତୀୟ ଆତ୍ମାର କରୁଣ-କ୍ରନ୍ଦନ, ସହନ ଏବଂ ସଂଯମର ପରାକାଷ୍ଠା-ଏହା ଗ୍ରାମ ଓ କୃଷକ ଜୀବନର ସୁନ୍ଦର ନିରୀକ୍ଷଣ ଏବଂ ସରଳ ବିଶ୍ଳେଷଣ-ତଥାକଥିତ ମାନବିକତାର ଆବରଣ ତଳେ ଚାଲିଥିବା ଶୋଷଣ ଏବଂ ନିଷ୍ପେଷଣ ବିରୁଦ୍ଧରେ ଉତ୍‌ଥିତ ଉଦାତ୍ତ ବିଦ୍ରୋହ !

 

କିନ୍ତୁ ‘ଗୋଦାନ’ର ଏହି ବିରୋଧ କ୍ରାନ୍ତି ଆଉ ରକ୍ତପାତରେ ନାହିଁ, ଅଛି ଶାନ୍ତି ଆଉ ସହିଷ୍ଣୁତା ଭିତରେ । ଗୋଦାନର ନାୟକ ‘ହୋରୀ’ ଧାରାବାହିକ ଅଭାବ ଅସୁବିଧା ଦ୍ୱାରା ଗ୍ରସ୍ତ ଏବଂ ବୁଭୁକ୍ଷା ଦ୍ୱାରା ପୀଡ଼ିତ ହୋଇ ଶେଷରେ ଶ୍ରମ କରୁ କରୁ ମୂର୍ଚ୍ଛିତ ହୋଇପଡ଼ି ମରିଯାଇଛି । କିନ୍ତୁ ସାହୁକାର କିମ୍ୱା ରାୟସାହେବଙ୍କ ବିରୋଧ କରି ପଦେହେଲେ ପାଟି ଫିଟାଇ କିଛି କହିନାହିଁ । ଏଣୁ କୁହାଯାଇପାରେ ଯେ, ଗୋଦାନରେ ପ୍ରେମଚନ୍ଦ୍‌ଙ୍କର ଉଦାତ୍ତ ସରଳ ବ୍ୟକ୍ତିତ୍ୱ ଏବଂ ଭାରତୀୟ ଶାନ୍ତି ଓ ସହନଶୀଳତାର ଆଦର୍ଶ ଫୁଟି ଉଠୁଛି । ସେ ଗାନ୍ଧୀବାଦ ବା ଭାରତୀୟ ଶାନ୍ତିବାଦ ଦ୍ୱାରା ପ୍ରଭାବିତ ।

 

ଗୋଦାନ ଉପନ୍ୟାସରେ ଯୁଗକୁ ବଦଳାଇ ମହାନ ପରିବର୍ତ୍ତନ ଆଣିବାର ଶକ୍ତି ନାହିଁ–ଅଛି ବିଶ୍ଳେଷଣ ଆଉ ଯୁଗଚିତ୍ରଣ । ଏହି କୃତିଟିର ଉଦ୍ଦେଶ୍ୟ ବର୍ଗସଂଘର୍ଷ ନୁହେଁ, ବର୍ଗ ସନ୍ତୁଳନ ।

 

ଏଥିରେ ଗ୍ରାମ ଓ ସହର, ପୁଞ୍ଜିପତି ଏବଂ ସର୍ବହରା, ବୃଦ୍ଧ ବୃଦ୍ଧା, ବାଳକ-ବାଳିକା ଏବଂ ଯୁବକ-ଯବତୀଙ୍କର ଚିତ୍ର ପୂରି ରହିଛି । ଏହାଛଡ଼ା ଏଥିରେ ସାମ୍ୱାଦିକ, ନର୍ସ, ଓକିଲ, ମିଲ୍‌ ମାଲିକ, ପ୍ରଫେସର, ଲେଡ଼ି ଡାକ୍ତର, ଜମିଦାର ଏବଂ କୃଷକଙ୍କର ଚିତ୍ର ସନ୍ନିହିତ ହୋଇଛି । ଗୋଦାନର ବିଭିନ୍ନ ବର୍ଗ (ଶ୍ରେଣୀର)ର ଚିତ୍ରଣ ବିଭିନ୍ନ ରୂପରେ ଏବଂ ବିଭିନ୍ନ ବ୍ୟକ୍ତିଙ୍କ ଚିତ୍ରଣ ଭିନ୍ନ ଭିନ୍ନ ବୟଃକ୍ରମରେ କରି ପ୍ରେମଚନ୍ଦ୍‌ ମାନବୀୟ ପରିପୂର୍ଣ୍ଣତାର ହିଁ ସୂଚନା ଦେଇଛନ୍ତି । ଏହି ପୂର୍ଣ୍ଣତା ଟଲଷ୍ଟୟଙ୍କ ’ଯୁଦ୍ଧ ଓ ଶାନ୍ତି’ ପରି ସଂପୂର୍ଣ୍ଣ ନ ହେଲେହେଁ ଅପରିପୂର୍ଣ୍ଣ ନୁହେଁ ।

 

ଗୋଦାନର ପାତ୍ରଗୁଡ଼ିକ ବ୍ୟକ୍ତି ନୁହନ୍ତି, ଗୋଟିଏ ଗୋଟିଏ ବର୍ଗ ବା ଶ୍ରେଣୀର ପ୍ରତୀକ । ହୋରୀ, ଧନିଆଁ, ଝୁନିଆଁ, ଗୋବର, ସୋନା, ରୋପା ଆଦି ଗରିବ କୃଷକବର୍ଗର ପ୍ରତିନିଧି-ଏପରିକି ରାୟସାହେବ, ମାଳତୀ, ମେହତ.. ପ୍ରଭୃତି ସଭ୍ୟବର୍ଗର ପ୍ରତିନିଧି ଏବଂ ଦେଶର ତତ୍‌କାଳୀନ ପରିସ୍ଥିତି ଓ ସ୍ଥିତିଗତିର ପରିଚାୟକ । ଏଣୁ ଗୋଦାନ ବିଶ୍ଳେଷଣ, ସମନ୍ୱୟ ଏବଂ ସମଗ୍ରତା ଉପରେ ଅଧିଷ୍ଠିତ ଏକ ଗଦ୍ୟ ମହାକାବ୍ୟ ।

 

ଗୋଦାନ ଗ୍ରାମୀଣ ସାମାଜିକ ବିଶ୍ଳେଷଣ-ପ୍ରଧାନ ଉପନ୍ୟାସ । ଏଥିରେ ଅପରିପକ୍ୱ ଯୁବତୀର ଅନ୍ତର୍ଦାହ, ଯୌବନର ଆକାଂକ୍ଷା, ବୈଧବ୍ୟ ଜୀବନର ପୀଡ଼ା, ପ୍ରେମ, ସ୍ନେହ, ଆଶା-ନିରାଶା ଏବଂ ମନୁଷ୍ୟର ଦୁର୍ବଳତା ପୂରି ରହିଛି । ଗୋବର ଏବଂ ଝୁନିଆଁର ପ୍ରେମ, ଗୋବରର ପଳାୟନ, ହୋରୀର ଗୋହତ୍ୟାକାରୀ ଭାଇର ସମ୍ମାନରକ୍ଷା ସକାଶେ ଦାରୋଗାକୁ ଉତ୍‌କୋଚ ଦାନ, ସ୍ୱକୀୟ ସ୍ତ୍ରୀ ସହିତ ଅଯଥା ସଂଘର୍ଷ ଓ ସାହୁଆଣୀ ପ୍ରତି ଆକର୍ଷଣ ପ୍ରଭୃତିରୁ ମାନବୀୟ ଦୁର୍ବଳତାର ହିଁ ସୂଚନା ମିଳେ । ଏଣୁ ଗୋଦାନର କଥାବସ୍ତୁ କୃଷକ ପରିବାରର ବର୍ଣ୍ଣନ ଏବଂ ଗ୍ରାମ୍ୟ ଚିତ୍ରଣ-ପ୍ରଧାନ ହେଲେହେଁ ଏହା ସ୍ୱାଭାବିକ ମନୋବୈଜ୍ଞାନିକ ଚିତ୍ରଣରୁ ମୁକ୍ତ ନୁହେଁ । ଗୋଦାନ ପଢ଼ିଲେ ମନେହୁଏ, ଏହା ଭାରତବର୍ଷର ଗୋଟିଏ ସଂକ୍ଷିପ୍ତ ବର୍ଣ୍ଣନା-ପେଟିକା ।

 

କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଭାରତବର୍ଷର ସଂପୂର୍ଣ୍ଣ ଚିତ୍ରଣ ଗୋଦାନରେ ନାହିଁ । ଏହା କେବଳ ଉତ୍ତର ଭାରତର ଚିତ୍ରଣରେ ସୀମିତ । ପୁନଶ୍ଚ ଏଥିରେ ଗ୍ରାମ୍ୟ ଚିତ୍ରଣ ଅପେକ୍ଷା ସହରର ଚିତ୍ରଣ ସେତେ ଅଧିକ ସଫଳତା ଲାଭ କରିପାରି ନାହିଁ । ଏହା ମହାନ ସନ୍ଦେଶବାହୀ ଯୁଗପ୍ରବର୍ତ୍ତନ କୃତୀ ନୁହେଁ–କେବଳ ଶାନ୍ତ ଉଦାତ୍ତ ବିଶ୍ଳେଷଣ ମାତ୍ର ।

 

ତେବେ ଉତ୍ତର ଭାରତର ଗ୍ରାମ୍ୟ କୃଷକ-ଜୀବନ ସମ୍ୱନ୍ଧରେ ଚର୍ଚ୍ଚା କରାଯାଇଥିବା ଯୋଗୁଁ ଗୋଦାନ ଭାରତର ମୌଳିକ ସମସ୍ୟାକୁ ସ୍ପର୍ଶ କରିପାରିଛି । ହୋରୀର ସମସ୍ୟା ସଂପୂର୍ଣ୍ଣ ଭାରତୀୟ କୃଷକର ସମସ୍ୟା କିନ୍ତୁ ପ୍ରେମଚନ୍ଦ୍‍ଙ୍କର ସହ ସମ୍ୱନ୍ଧୀ ଚିତ୍ରଣ ଅବଶ୍ୟ ସୀମିତ । ସହରରୁ ଗ୍ରାମ ଏବଂ ଗ୍ରାମରୁ ସହର ଆଡ଼କୁ ବାରମ୍ୱାର ପଦକ୍ଷେପ କରି ସେ ସ୍ୱକୀୟ ଲେଖନୀର ଦୁର୍ବଳତାର ହିଁ ପରିଚୟ ଦେଇଛନ୍ତି । କିନ୍ତୁ ଯଦି ଏକ ଉପନ୍ୟାସରେ ଗୋର୍କୀଙ୍କ ‘‘ମା’’ ଉପନ୍ୟାସ ଭଳି କ୍ରାନ୍ତିର ବାଣୀ ଫୁଟି ଉଠିଥାନ୍ତା ତା’ହେଲେ ‘ହୋରୀ’ ଆଉ ଭାରତୀୟ ଆତ୍ମାର ପ୍ରତୀକ ହୋଇ ରହିନଥାନ୍ତା-

 

ଗୋଦାନର ସାର୍ଥକତା ଓ ପ୍ରେମଚନ୍ଦ୍‌ଙ୍କ କଳାକୁଶଳତା ଶରତବାବୁଙ୍କର ଶ୍ରୀକାନ୍ତ ସଙ୍ଗେ ତୁଳନୀୟ । ଶରତବାବୁଙ୍କର ନାରୀପାତ୍ର ପ୍ରେମଚନ୍ଦ୍‌ଙ୍କ ପାତ୍ରମାନଙ୍କଠାରୁ ନିଃସନ୍ଦେହରେ ଅଧିକ ଜୀବନ ଓ ସଫଳ । ତେବେ ‘ହୋରୀ’ର ମଧ୍ୟ ସ୍ୱକୀୟ ସ୍ୱତନ୍ତ୍ର ସ୍ଥାନ ରହିଛି । ଶରତ ବାବୁଙ୍କ ଉପନ୍ୟାସ ପ୍ରେମଧର୍ମୀ ଆଉ ବ୍ୟକ୍ତିମୂଳକ ରଚନା । ସେଥିରେ କଳାକୁଶଳତା ଏବଂ ସୁନ୍ଦର ଚିତ୍ରଣ ଥିଲେହେଁ ନିର୍ବାକାର-ପୁରୁଷ ଓ କର୍ମଠ ପ୍ରକୃତିରୂପା ନାୟିକାର ପିଷ୍ଟପେଷଣ ରହିଛି । ଶରତ ବାବୁଙ୍କ ଶ୍ରୀକାନ୍ତ କେବଳ ପ୍ରାଦେଶିକ ସୀମା ଭିତରେ ସୀମିତ–ପ୍ରେମଚନ୍ଦ୍‌ଙ୍କର ଗୋଦାନର କଥାବସ୍ତୁ ପରି ବ୍ୟାପକ ଏବଂ ପ୍ରତିନିଧିମୂଳକ ନୁହେଁ, କିନ୍ତୁ କଳାତ୍ମକ ! ତେଣୁ ବିଶ୍ୱ ସାହିତ୍ୟିକ ଦୃଷ୍ଟିରୁ ଦେଖିବାକୁ ଗଲେ ‘ଶ୍ରୀକାନ୍ତ’ ଗୋଟିଏ ପାତ୍ର କିନ୍ତୁ ‘ହୋରୀ’ ବ୍ୟକ୍ତି ହେଲେହେଁ ଗୋଷ୍ଠୀ ଆଉ ଜାତିର ପ୍ରତିନିଧି-ଭାରତୀୟ ସମାଜର ପ୍ରତୀକ ।

 

ଅତଏବ ଅନେକ ଅଭାବ ସତ୍ତ୍ୱେ ବି ବର୍ତ୍ତମାନ ସୁଦ୍ଧା ‘ଗୋଦାନ’ ଯେ ଭାରତୀୟ ଜନଜୀବନ ଓ ଆତ୍ମାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିପାରୁଥିବା ଗୋଟିଏ ପ୍ରତିନିଧି ରଚନା, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

☆☆☆

 

 

 

 

 

 

 

 

 

 

 

ନରଓ୍ୱେଜିୟନ୍‌

ନୁଟ୍‍ ହାମ୍‍ ସୁନ୍‍...

ଗ୍ରୋଥ୍‌ ଅଫ ଦ’ ସୟଲ୍‌

 

‘ଗ୍ରୋଥ ଅଫ୍‌ ଦି ସୟଲ’ ନ୍ୟୁଟ୍‌ ହାମସୁନଙ୍କର ଏକ ବଳିଷ୍ଠ କଳାକୃତି । ଅନେକଙ୍କ ମତ ଯେ, ଏହି ଉପନ୍ୟାସଟିର ସଫଳତା ଓ ମାନବିକତା ଯୋଗୁହିଁ ସେ ନୋବେଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେଲେ । ଏହି ଉପନ୍ୟାସଟି ପାଶ୍ଚାତ୍ୟ ହୋଇଥିଲେହେଁ ଅପେକ୍ଷାକୃତ ଭାରତୀୟ–ଯଥାର୍ଥ ଚିତ୍ରଣଯୁକ୍ତ ହେଲେହେଁ ନିଖୁଣ ଆଦର୍ଶବାଦୀ, ଆଧୁନିକ ଯନ୍ତ୍ର ଯୁଗର ବର୍ଣ୍ଣନାରେ ପୂର୍ଣ୍ଣ ହେଲେହେଁ ପ୍ରାଚୀନ ମାନବର ବ୍ୟାଖ୍ୟା । ଏହି ଉପନ୍ୟାସଟିର ଲକ୍ଷ୍ୟ ହେଉଛି, ନରଉଏ କୃଷକ ଜୀବନର ବାସ୍ତବ ଚିତ୍ରଣ କରିବା ଅର୍ଥାତ୍‌ ମାଟିର ବାସ୍ତବତା ଓ ମାନବମନୋବୃତ୍ତିର କ୍ରମବିକାଶ ଉପରେ ଆଲୋକପାତ କରିବା । କିନ୍ତୁ ଗିସଲର ସାହେବଙ୍କ ଦୀର୍ଘ ଭାଷଣ ଏବଂ ଇସାକର ଜୀବନବ୍ୟାଖ୍ୟାରୁ ଉକ୍ତ ଉଦ୍ଦେଶ୍ୟ ସିଦ୍ଧ ହେଉଥିବା ଯୋଗୁଁ ଉପନ୍ୟାସଟି ମହାନ୍‌ ସନ୍ଦେଶବାହୀ ହେଲେହେଁ କଳାଦୃଷ୍ଟିରୁ ସାଧାରଣ ଶିଥିଳ ଏବଂ ପ୍ରଚାରଧର୍ମୀ ବୋଧହୁଏ ।

 

ଉପନ୍ୟାସଟିର ପ୍ରାରମ୍ଭରେ ରହିଛି ଯନ୍ତ୍ରଯୁଗରୁ ପଳାୟନ, ପ୍ରାକୃତିକ ଜୀବନଯାପନ ଏବଂ ମାଟିର ମହତ୍ତ୍ୱବୋଧ । ତେବେ ଉପନ୍ୟାସଟିରେ ଅରଣ୍ୟବାସୀ ନରଉଏ-କୃଷକ-ଜୀବନର ନିଖୁଣଚିତ୍ରଣ ଅପେକ୍ଷା ଅଧିକ ସମର୍ଥନୀୟ ତା’ର ଯୁଗ-ସନ୍ଦେଶ, ତୁଳନା, ପରୀକ୍ଷଣ ଏବଂ ପ୍ରୟୋଗ-

 

‘‘ଗ୍ରୋଥ ଅଫ୍‌ ଦ ସୟଲ’ ଉପନ୍ୟାସର ନାୟକ ଇସାକ୍‌ ଅକୃତ୍ରିମ ଆଦିମ ମାନବର ପ୍ରତୀକ । ଏଇ ଇସାକ ଓ ତା’ର ସଙ୍ଗିନୀ ଇନାରକୁ କେନ୍ଦ୍ରକରି ଉପନ୍ୟାସଟିର ଅବତାରଣା । ଇସାକ ଉପନ୍ୟାସର କେନ୍ଦ୍ର । ସେ ସୂର୍ଯ୍ୟପରି ଗୋଟିଏ ଜାଗାରେ ରହିଛି ଏବଂ ତା’ର ଚତୁର୍ଦ୍ଦିଗରେ ଭ୍ରମଣ କରୁଛନ୍ତି ଗିସଲର, ବାରୁ ଏଲେସସ ଏବଂ ଏକସଲ ଆଦି ପାତ୍ର, ସମୁଜ୍ଜ୍ୱଳ ଜୋତିଷ୍କ ପୁଞ୍ଜଭଳି ।

 

ମାନବୀୟ ଚିରନ୍ତନ ପ୍ରବୃତ୍ତିର ପ୍ରତୀକ ଇସାକ୍‌ ମନରେ ଦିନେ ଯେଉଁ ଘରକରଣା ସ୍ପୃହା ଜାଗିଛି, ତାହା ତାକୁ ଟାଣି ନେଇଛି ଜଙ୍ଗଲ ଆଉ ମାଟି ଆଡ଼କୁ । ମାଟିର ମଣିଷ ମାଟିରେ ମିଶି କାଠ କୁଟା ଆଉ ମାଟିର ଘର କରିବାକୁ ଚାହିଁଛି । କାରଣ, ମନୁଷ୍ୟର ଏଇ ସୃଜନାତ୍ମକ ପ୍ରବୃତ୍ତିଟି ଧ୍ୱଂସ ଅପେକ୍ଷା ଅଧିକ ବଳିଷ୍ଠ । ଇସାକ୍‌ ବି ଏଇ ମନୁଷ୍ୟ । ଏଣୁ ତା’ର ଲକ୍ଷ୍ୟ ସୃଜନ, ବିଧ୍ୱଂସ ନୁହେଁ । ଅତଃ ତା’ର ଅଜ୍ଞାତସାରରେ ସେ ଚାହିଁଛି ନାରୀ । ରୂପସୀ ନୁହେଁ, ସହଧର୍ମିଣୀ, ସହକର୍ମିଣୀ ନାରୀ !

 

ଇସାକ୍‌ର ଏଇ ଅଭାବ ପୂରଣ କରିବା ଦିନେ ଆସିଯାଇଛି ନାରୀ ପ୍ରବୃତ୍ତିର ପ୍ରତୀକ ‘ଇନାର’ । ଯେ ପ୍ରଥମ ରାତ୍ରିର ଘନ ଅନ୍ଧାର ଭିତରେ ନିଜକୁ ନିଃସଙ୍କୋଚ ଭାବରେ ଅର୍ପଣ କରିଦେଇଛି ଇସାକ୍‌ ହାତରେ । ତା’ ସଙ୍ଗେ ସଙ୍ଗେ ଢାଳିଦେଇଛି ତା’ର ମନ, ପ୍ରାଣ, ପ୍ରେମ ଓ ସହାନୁଭୂତି । ଗହନ ଅନ୍ଧକାର ଭିତରେ ଇସାକ୍‌ ମଧ୍ୟ ତାକୁ ନିଜ କୋଳକୁ ଟାଣିନେଇଛି । କାରଣ ସେ ମନୁଷ୍ୟ । ମନୁଷ୍ୟ ମାଟି ନୁହେଁ-ଚେତନାର ସ୍ୱରୂପ ସେ । ଏହି ବିଶିଷ୍ଟ ଚେତନା ଯୋଗୁଁ ତ ସେ ମନୁଷ୍ୟ, ଅନ୍ୟଥା ପଶୁ, ଜଙ୍ଗଲି ପଶୁ । ପୁଣି ପଶୁ ଓ ମନୁଷ୍ୟ ଭିତରେ ଏଇ କେତୋଟି ପ୍ରବୃତ୍ତିର ସାମ୍ୟ ଥିବାରୁ ହିଁ ଉଭୟେ ‘ପ୍ରାଣୀ’ ପଦବାଚ୍ୟ । ‘ଗ୍ରୋଥ ଅଫ୍‌ ଦି ସୟଲ’ ଏପରି ନର ଓ ନାରୀ ପଦବାଚ୍ୟ ଦୁଇଟି ପ୍ରାଣୀ ସମୁଦାୟର ବ୍ୟାଖ୍ୟା ।

 

ଏହି ଉପନ୍ୟାସଟିର ମାନବ ପ୍ରକୃତି ସହିତ ସଂଘର୍ଷ କରି ଶେଷରେ ତାକୁ ନିଜର କରିନେଇଛି । ଏଥିରେ ମନୁଷ୍ୟର ପ୍ରକୃତି ଏବଂ ବିକୃତି ଉଭୟ ବିଷୟ ଉପରେ ସମାନଭାବେ ଆଲୋକପାତ କରାଯାଇଛି । ଇସାକ ପୁରୁଷ ସୁଲଭ ସୌର୍ଯ୍ୟ, ଧୈର୍ଯ୍ୟ, ସୃଜନାତ୍ମକ ଇଚ୍ଛା, ଗାମ୍ଭୀର୍ଯ୍ୟ, ଦୟା, କ୍ଷମା ଏବଂ ସହିଷ୍ଣୁତାର ପରିଚାୟକ ଏବଂ ଇନାର ନାରୀର ଭାବପ୍ରବଣତା, ପ୍ରଭାବଗ୍ରାହିତା, ଚାଞ୍ଚଲ୍ୟ, ଅନ୍ଧବିଶ୍ୱାସ, ପରଶ୍ରୀକାତରତା, ପରପୁରୁଷ ଲୋଲୁପତା, ପ୍ରଶଂସା-ପ୍ରିୟତା, ପ୍ରତ୍ୟୁତ୍ପନ୍ନମତିତା, ସାଂସାରିକତା, ଅଳଂକରଣ ଓ ପ୍ରଦର୍ଶନ-ପ୍ରିୟତାର ପରିଚାୟିକା । ଏଇ ଇନାର ହାମସୁନଙ୍କର ପ୍ରାଚୀନ ଏବଂ ଆଧୁନିକ ସଭ୍ୟତାର ପ୍ରୟୋଗ ବା Experiment ର କେନ୍ଦ୍ର ।

 

ଦିନେ ଯେଉଁ ଅନ୍ଧକାରାଚ୍ଛନ୍ନ ସନ୍ଧ୍ୟାରେ ଇନାର ବିଜନନିବାସୀ ଇସାକ କୁଟୀରରେ ପଥିକ ରୂପେ ଆସି ପହଞ୍ଚିଛି, ସେ ଆଦମ୍‌ ପାଖରେ ‘ଇବ୍‌’ ଭଳି ଚିରଦିନ ପାଇଁ ରହିଯାଇଛି । ଇସାକ ହୁଏତ କାଠ ବାଉଁଶର ଘର ନିର୍ମାଣ କରିଛି କିନ୍ତୁ ଇନାର କରିଛି ପ୍ରକୃତ ଗୃହ ବା ଗାର୍ହସ୍ଥ୍ୟର ନିର୍ମାଣ-। ନାରୀ ଇନାର ଅନ୍ଧବିଶ୍ୱାସ ଦ୍ୱାରା ପ୍ରେରିତା ହୋଇ ତା’ର ସଦ୍ୟଜାତ ଶିଶୁକୁ ହତ୍ୟା କରିଛି-। ‘ଓଲିନ’ ସହିତ କଳହ କରିଛି–ଯୌବନରେ ଇସାକ୍‌ ଆଖିରେ ଧୂଳି ପକାଇ ଅନ୍ୟ ପୁରୁଷ ହାତରେ ନିଜକୁ ଅର୍ପଣ କରିଦେଇଛି । କିନ୍ତୁ ସେଇ ଇନାର ବୟସ ଗଡ଼ିବପରେ ଧର୍ମ-ପୁସ୍ତକରେ ମନଦେଇଛି–ନିଜ ସନ୍ତାନମାନଙ୍କର ଯୌବନର ଉଚ୍ଛ୍ୱାସକୁ ଅବୈଧ ବୋଲି ମନେକରି ଶାସନ କରୁଛି ।

 

ଇନାର ନାରୀ-ବାସନାର ପ୍ରତିନିଧି । ସେ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ପ୍ରଦର୍ଶନ ଉଦ୍ଦେଶ୍ୟରେ ସହରକୁ ଯାଇଛି । କାରଣ ନାରୀ ନିଜକୁ ସୁନ୍ଦର କରିବାକୁ ଯେତିକି ଚାହେଁ, ତା’ଠାରୁ ଅଧିକ ସୁନ୍ଦରତା ପ୍ରଦର୍ଶନ କରି ଅନ୍ୟମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ମଧ୍ୟ ଚାହେଁ । ବସ୍ତୁତଃ ନାରୀର ଯେ ପ୍ରଧାନ ପ୍ରଶଂସକ ସେହି ତା’ର ପ୍ରିୟପାତ୍ର....ଏବଂ ପରେ ହୁଏ ପ୍ରେମିକ । ନାରୀ ସାଧାରଣ ପ୍ରଶଂସାରେ ଆତ୍ମହରା ହୋଇପଡ଼େ, ନିଜକୁ ଅର୍ପଣ କରିବାକୁ ତତ୍ପର ହୋଇଯାଏ । କିନ୍ତୁ ପୁରୁଷ ନେଇପାରେ କିନ୍ତୁ ଦେଇପାରେନା ।

 

ଇନାରର ଗୁପ୍ତ ପ୍ରେମିକ କୋଇଲାଖଣିର ଜଣେ ସାଧାରଣ ଶ୍ରମିକ । ତା’ର ସୁସ୍ଥ ସବଳ ଦେହ, ମଧୁବୋଳା କଥା ଇନାରର ପ୍ରୌଢ଼ ଦେହରେ ଉନ୍ମତ୍ତତା, କିଶୋରୀର ମଦକତା ଖେଳାଇ ଦେଇଥିଲା । କିନ୍ତୁ ସେଇ ପୁରୁଷ ତାକୁ ଏକ ନିଶ୍ୱାସରେ ନିଃଶେଷକରି ଚାଲିଗଲା ବିଟପ ଭ୍ରମର ପରି । ସେ ଗ୍ରାମକୁ ଫେରିଯାଉଥିବାବେଳେ ଇନାର ପାଇଁ ଦିନେ ସୁଦ୍ଧା ଅଟକି ରହିପାରିଲା ନାହିଁ । ସୁଲୁସୁଲିଆ ବାଆରେ ମନ ଫୁଲାଣିଆ ଗୀତଟିଏ ଗାଇ ଚାଲିଗଲା ନିଜ ଗ୍ରାମ ଅଭିମୁଖରେ । ଇନାର ଖାଲି କରୁଣ ଆଖିରେ ଚାହିଁ ରହିଥାଏ, ସେ ଲତାନ୍ତରାଳରେ ଲୁଚିଯିବାଯାଏଁ ।

 

କିନ୍ତୁ ଇସାକ୍‌ ଭୀମକାୟ ବୃକ୍ଷଟି ଭଳି ମୂକଭାବେ ଦଣ୍ଡାୟମାନ ହୋଇ ପରୋକ୍ଷଭାବେ ସବୁ ଦେଖିଛି । ସବୁ ଦେଖି କ୍ଷମା ମଧ୍ୟ କରିପାରିଛି । କିନ୍ତୁ ଇନାର କାନ୍ଦି କ୍ଷମା ପ୍ରାର୍ଥନା ମାଗିବା ଛଡ଼ା ଆଉ କିଛି କରିପାରି ନାହିଁ । ନାରୀ ଏହାଛଡ଼ା ଆଉ ବା କ’ଣ କରିପାରେ ।

 

ଉପନ୍ୟାସଟିରେ ଏହି ଇସାକ୍‌ ଆଉ ଇନାରକୁ ସମାନ୍ତରାଳ କରିଚାଲିଛି ଆଉ ଏକ ସଭ୍ୟତାର ରେଖା । ତା’ର ପ୍ରତିନିଧି ହେଉଛନ୍ତି ‘ଏଲେସସ୍‌’ ଆଉ ‘ବାରୁ’ । କିନ୍ତୁ ବାରୁ କ୍ରମେ ଏଲେସସ୍‌ଠାରୁ ଦୂରେଇ ଯାଇ ମିଳିମିଶିଯାଇଛି ପୂର୍ବ କେନ୍ଦ୍ର ଏକ୍‌ସଲ ସହିତ । ଏହିପରି ଆଉ ଯେତୋଟି ରେଖା ଧୂସରଭାବେ ଦେଖା ଦେଇଛନ୍ତି, ସେଗୁଡ଼ିକ ମଧ୍ୟରୁ ପ୍ରଧାନ ‘ଓଲିନ୍‌’ । ବୃଦ୍ଧା ‘ଓଲିନ୍‌’ ଇନାର ପାତ୍ରର ପରିପୂରକ । ସେ ନାରୀ ଜାତିର ଆଉ କେତୋଟି ଗୁଣ ପ୍ରଦର୍ଶନ କରି ଫକୀରମୋହନଙ୍କ ମାମୁଁ ଉପନ୍ୟାସର ‘‘ନାକଫୋଡ଼ିଆ ମା’’ର ସ୍ମରଣ କରାଇଦିଏ । ଏହି ବୃଦ୍ଧା ନିତାନ୍ତ କଳହପ୍ରିୟା ହେଲେହେଁ ଯୁବତୀ ବାରୁ ଓ ତରୁଣୀ ଇନାରର ସହାୟିକା । ସେ ଗୃହହୀନା ହେଲେହେଁ ଗୃହଯୁକ୍ତା, ନିଜେ ଅସହାୟା ହେଲେହେଁ ଅନ୍ୟର ସହାୟିକା, ଦୁଷ୍ଟା ହେଲେ ହେଁ ସ୍ୱୟଂ ଦୋଷଦ୍ରଷ୍ଟୀ । ଇନାରର ଦୋଷ ପ୍ରଦର୍ଶନ କରି ତାକୁ ସହରସ୍ଥ ଜେଲକୁ ପଠାଇ ଗ୍ରାମୀଣ ନାରୀ ଭିତରେ ସହରୀ ସଭ୍ୟତାର ବିଷ ପ୍ରୟୋଗ ବନ୍ଦ କରିବାର ବୁଢ଼ୀ ଓଲିନର କର୍ତ୍ତୃତ୍ୱ ବେଶୀ ।

 

ଆଧୁନିକ ମଣିଷ ପ୍ରକୃତିଠାରୁ ଯେତିକି ଅଧିକ ଦୂରେଇ ଯାଏ, ତା’ର ବିକୃତି ସେତିକି ବଢ଼ିଯାଏ । ସେ ଯନ୍ତ୍ରର ଯେତିକି ନିକଟବର୍ତ୍ତୀ ହୁଏ, ସେତିକି ଯାନ୍ତ୍ରିକ ହୋଇଉଠେ । ପୁଣି ତା’ର ମସ୍ତିଷ୍କ ଯେତିକି ପରିପକ୍ୱ ହୁଏ ଏବଂ ବୁଦ୍ଧି ତୀବ୍ର ହୁଏ, ହୃଦୟ ସେତିକି ସମ୍ୱେଦନାହୀନ ହୋଇପଡ଼େ ।

 

ସଂଶିତ ଉପନ୍ୟାସଟିରେ ନ୍ୟୁଟ୍‌ ହାମ ସୁନ୍‌ ଇନାରକୁ ସହରୀ ବାତାବରଣର ଗୋଟିଏ ବନ୍ଦୀଗୃହରୁ ଯେତିକି ପ୍ରଭାବ ଗ୍ରହଣ କରାଇ ପାରିଛନ୍ତି, ତାହା ଉକ୍ତ ପ୍ରୟୋଗ ପାଇଁ ପର୍ଯ୍ୟାପ୍ତ । କାରଣ ଇନାର ପ୍ରଥମେ ଜେଲଖାନାରୁ ଶିଶୁହତ୍ୟାର ଦଣ୍ଡଭୋଗ କରିସାରି ଘରକୁ ଫେରି ଇସାକ୍‌କୁ ଦେଖି ବିଶେଷ ଆନନ୍ଦ ଅନୁଭବ କରିପାରି ନ ଥିଲା । ଘରର ଛୋଟ ମେଣ୍ଢାଛୁଆଗୁଡ଼ିକୁ ଦେଖି ସେ ପୂର୍ବପରି ଖୁସିହୋଇ ନ ଥିଲା । ସହର ଆଡ଼କୁ ତା’ ମନ ଟାଣି ହେଉଥାଏ, ରେଶମୀ ପୋଷାକର ଝଲମଲ ବେଶଭୂଷା ପ୍ରଦର୍ଶନ କରିବା ପାଇଁ । କୃତ୍ରିମ ସଭ୍ୟତାର ସାମୟିକ ସ୍ପର୍ଶରେ ଆସି ସେ ପତି ଇସାକ୍‌କୁ ପ୍ରଦର୍ଶନର ଉପଯୁକ୍ତ ପାତ୍ର ମନେକରିପାରିଲା ନାହିଁ । ଏଣୁ ତା’ର ଅପୂର୍ଣ୍ଣ ଇଚ୍ଛାକୁ ପୂର୍ଣ୍ଣ କରିବାପାଇଁ ଦଳେ ଆଗନ୍ତୁକଙ୍କ ଆଗରେ ମାତାଲ ହୋଇ ନାଚିଲା–ଆଉଦିନେ ଅନ୍ୟଜଣେ ଯୁବକ ହାତରେ ନିଜକୁ ଅର୍ପଣ କରି ବସିଲା ।

 

କିନ୍ତୁ ଇନାରଠାରୁ ‘ବାରୁ’ ଉପରେ ଆଧୁନିକ ସଭ୍ୟତାର ପ୍ରଭାବ ଅଧିକ ଭାବରେ ପଡ଼ିଛି । ଏଣୁ ଆଧୁନିକା ‘ବାରୁ’ ଗତ ଶିଶୁହତ୍ୟାକୁ ଗୋଟିଏ ମାତ୍ର ଫୁତ୍‌କାରରେ ଉଡ଼େଇ ଦେଇଛି-। ଯୌବନକୁ ଉପଭୋଗ୍ୟ ସାମଗ୍ରୀ ଆଉ ପ୍ରେମକୁ ଫେସନ ଭାବି ସେ ମାତୃତ୍ୱ ଗ୍ରହଣ କରିବାକୁ ସ୍ୱୀକାର କରିନାହିଁ । ଗର୍ଭଜାତ ଶିଶୁକୁ ଯନ୍ତ୍ରପ୍ରସୂତ ପଦାର୍ଥ ଭଳି ତଳକୁ ଠେଲିଦେଇଛି । ଯନ୍ତ୍ରର ଯେପରି ମାୟା-ମମତା ନାହିଁ, ହୃଦୟ ନାହିଁ ବାରୁଠାରେ ମଧ୍ୟ ସେପରି ମମତା ନାହିଁ । ଆଧୁନିକ କୃତ୍ରିମ ସଭ୍ୟତାର ନାୟିକା ‘ବାରୁ’ ମତରେ–‘‘ଏ ସବୁ ବିଷୟରେ ଆଇନ ତେତେ କଡ଼ା ନୁହେଁ । ତାହା କେବଳ ମାଂସ ମେଞ୍ଚାଏ ।’’ ଏଣୁକରି ସେ ଖବରକାଗଜରେ ନିଜ ପିଲାର ମୃତ୍ୟୁ ଖବର ପଢ଼ି ଆନନ୍ଦ ପାଏ, ଯେଉଁ ଛୁଆକୁ କି ସେ ବାକ୍‌ସରେ ବନ୍ଦକରି ଭୁଲିବା ଛଳନାରେ ବନ୍ଦରରେ ଛାଡ଼ି ଆସିଥାଏ ।

 

କିନ୍ତୁ ରୂପସୀ ବାରୁ ରୂପର ପ୍ରମାଦରେ ପଡ଼ି, ବିବାହ ଏବଂ ସନ୍ତାନ ପ୍ରସବର ବିଦ୍ରୋହ କରି ଏବଂ ପ୍ରକୃତ ପ୍ରେମକୁ ପଦାଘାତ କରି ପରିଶେଷରେ ପୁଣି ଫେରିଆସିଛି ପୂର୍ବ ପ୍ରଣୟୀ ଏକ୍‌ସଲ କୋଳକୁ । ଅନ୍ଧକାର, ମେଘ ମେଦୁର ଆକାଶର ବର୍ଷାରାତି-ସେତିକିବେଳେ ସତେଅବା ଜୀବନରେ ଘାତ ପ୍ରତିଘାତ ଭିତରେ ‘ବାରୁ’ ସହରକୁ ପଦାଘାତ କରି ଫେରିଆସିଛି ଗ୍ରାମର ଶାନ୍ତିମୟ କ୍ରୋଡ଼କୁ । କିନ୍ତୁ ପୂରାପୂରି ସହରୀ ବାତାବରଣରେ ପାଳିତ ତଥାକଥିତ ସଭ୍ୟ ଯୁବକ ଏଲେସସ୍‌ ଗ୍ରାମକୁ ଆଉ ଫେରି ନାହିଁ । ସେ ଦେଖିଛି ଆମେରିକା ଯିବାର ସ୍ୱପ୍ନ ! ସେ ଅର୍ବାଚୀନ କୃତ୍ରିମତା-ରୋଗରେ ଏତେଦୂର ପୀଡ଼ିତ ଯେ ଆଉ ଭଲ ହେବାର ନୁହେଁ ।

 

ଏପରି ସଂପୂର୍ଣ୍ଣ ଉପନ୍ୟାସଟି ଅଧ୍ୟୟନ କଲେ ଜଣାଯାଏ ଯେ, ହାମସୁନ୍‌ ଇସାକ୍‌ ପରିବାରକୁ କେନ୍ଦ୍ର କରି ସହର ସଭ୍ୟତା ଓ ଗ୍ରାମ ସଭ୍ୟତା, ପ୍ରାଚୀନ ଏବଂ ଅର୍ବାଚୀନ ସଭ୍ୟତାର ସଂଘର୍ଷ ବା ଦ୍ୱନ୍ଦ୍ୱ ଉପସ୍ଥାପିତ କରିଛନ୍ତି । ସେ ଇସାକ୍‌ ଗୃହରେ ଆଧୁନିକତାର ବିଷ ପ୍ରୟୋଗ କରି ତା’ର ବିକୃତ ରୂପ ବିଶ୍ଳେଷଣ କରି ଆମ ଆଗରେ ଥୋଇ ଦେଇଛନ୍ତି । ଇସାକର ଚରିତ୍ର ଚିତ୍ରଣ କରି ହାମ୍‌ସୁନ ଆଧୁନିକ ମାନବର ଯାନ୍ତ୍ରିକତା ପ୍ରତି ବିଦ୍ରୋହ କରି ମଣିଷକୁ ମାଟି ଆଡ଼କୁ ଟାଣି ନେଇଛନ୍ତି । ଏ ବିଷୟରେ ସେ ଗିସ୍‌ଲାର ସାହେବ ମୁହଁରେ କହିଛନ୍ତି–

 

‘‘ଅର୍ଥ ଉପାର୍ଜନ କରିବାଟା ବଞ୍ଚି ରହିବାର ଗୋଟିଏ ଉପାୟ ମାତ୍ର; କିନ୍ତୁ ଏମାନେ ଖଣି ବ୍ୟବସାୟ କରି ଟଙ୍କାଟାକୁ ଜୀବନର ଉଦ୍ଦେଶ୍ୟ କରିନେଲେ । ଏମାନେ ବଞ୍ଚିବାର ଉଦ୍ଦେଶ୍ୟ ଜାଣନ୍ତି ନାହିଁ–ଜୀବନକୁ ନେଇ ଏମାନେ ଜୁଆ ଖେଳନ୍ତି । ସେମାନେ ପ୍ରକୃତ ସୁଖର ସନ୍ଧାନ କରନ୍ତିନି–କେବଳ କଳହ କରି ମରାଧରା ହୁଅନ୍ତି, କୃତ୍ରିମ ସୁଖର ଆଶାରେ ।’’

 

ଗିସ୍‌ଲାର ସାହେବ ଖଣି ବିକ୍ରିକରି ଦେଇଥିବାରୁ ସମସ୍ତ ଦୋଷକୁ ନିଜର ବୋଲି ସ୍ୱୀକାର କରିନେଇଛନ୍ତି । ଖଣିକାର୍ଯ୍ୟ ବନ୍ଦ ହେବାପରେ କେତେକ ବେପାରୀ ତାଙ୍କୁ ହତ୍ୟା କରିବାକୁ ଚାହିଁଥିଲେ ହେଁ, ସେ କହିଛନ୍ତି, ‘‘ଖଣିଟି କିଣି ମୁଁ ଆଉ ନୂଆ ଭାବରେ ଆରମ୍ଭ କରିବି ନାହିଁ । ମୁଁ ଲୋକଙ୍କ ଦୃଷ୍ଟିରେ ସୈତାନ–ସେମାନଙ୍କର ସର୍ବନାଶ କରେ, ତେବେ ମୁଁ ଆଉ ଏ ମାଟିକୁ ଅପମାନିତ ହେବାକୁ ଦେବି ନାହିଁ ।

 

ଉପନ୍ୟାସଟିରେ ହାମସୁନ୍‌ ନିଜ ଆଦର୍ଶବାଦିତା ଦ୍ୱାରା ମାଟିକୁ ଫେରାଇ ଆଣି କୃଷକଙ୍କ ହାତରେ ଦେଇଥିଲେ ହେଁ ବର୍ତ୍ତମାନ ତାହା କ’ଣ ସମ୍ଭବପର ହୋଇପାରିଛି ? ସଂସାରରୁ ଆଜି ତମ୍ୱା, କୋଇଲା ଖଣିମାନ ଶେଷ ହେବା ଉପରେ । ଏଣୁ ମନୁଷ୍ୟ ଏଣିକି ସିଧାସଳଖେ ବାୟୁମଣ୍ଡଳରୁ ପରମାଣୁ ଆଣି ବସ୍ତୁ ନିର୍ମାଣର ପରିକଳ୍ପନାରେ ବ୍ୟସ୍ତ । ତେବେ ହାମୁସନ୍‍ଙ୍କର ଯାନ୍ତ୍ରିକ କୃତ୍ରିମ ସଭ୍ୟତା ବିରୁଦ୍ଧରେ ଉତ୍‌ଥିତ ‘ବିଦ୍ରୋହ’ ଅବଶ୍ୟ ମାନବିକତାର ସପକ୍ଷରେ ।

 

ଏଣୁ ସର୍ବଶେଷରେ ସ୍ୱୀକାର କରିବାକୁ ପଡ଼ୁଛି ଯେ, ଏହି ଉପନ୍ୟାସଟି କେବଳ ନରଉଏ କୃଷକ ଜୀବନର ସଜୀବ, ଚିତ୍ରଣ ନୁହେଁ କିମ୍ୱା ମାଟିର ବିକାଶୋନ୍ମୁଖୀ ସଭ୍ୟତାର ଅନାବୃତ୍ତ ଇତିହାସ ନୁହେଁ, ଏହା ମୂଳ ପ୍ରବୃତ୍ତି (Instinct) ଓ ଅର୍ଜିତ ପ୍ରବୃତ୍ତି, ଅର୍ବାଚୀନତା ଓ ପ୍ରାଚୀନତା, ପ୍ରାକୃତିକତା ଓ କୃତ୍ରିମତା ଭିତରେ ଚାଲିଥିବା ଚରାଚରିତ ଦ୍ୱନ୍ଦ୍ୱର ସୂଚନା; ଶେଷରେ ଯେଉଁଠି ଅର୍ବାଚୀନତା ପ୍ରାଚୀନତା ଆଡ଼କୁ, କୃତ୍ରିମତା ପ୍ରାକୃତିକତା ଆଡ଼କୁ ଏବଂ ଯାନ୍ତ୍ରିକତା ମନୁଷ୍ୟତା ଆଡ଼କୁ ଢଳି ପଡ଼ିଛି ଏବଂ ଅର୍ଥ ପିପାସା ‘ପବିତ୍ରଶ୍ରମ’ ଓ ମୃତ୍ୟୁ ‘ଜୀବନ’କୁ ଫେରି ପାଇଛି ।

☆☆☆

 

 

 

 

 

 

 

 

 

 

 

ପରାସୀ

ଆନ୍ଦ୍ରେଜିଦ୍‍...

ଷ୍ଟ୍ରେଟ୍‌ ଇଜ୍‌ ଦ ଗେଟ୍‌

 

‘ଷ୍ଟ୍ରେଟ୍‌ ଇଜ୍‌ ଦ ଗେଟ୍‌’ ଫରାସୀ ଔପନ୍ୟାସିକ ଏବଂ ଆଲୋଚକ ଶ୍ରୀ ଆନ୍ଦ୍ରେଜିଦ୍‌ଙ୍କର ଗୋଟିଏ ବିଶିଷ୍ଟ କଳାକୃତି । ଏହି ଉପନ୍ୟାସଟିର ପ୍ରଧାନ ନାୟକ ଓ ନାୟିକା ଯଥାକ୍ରମେ ଜେରୋମ ଓ ଆଲିସା । କିନ୍ତୁ ଆଲିସା ଜୁଲିୟତ, ଜେରୋମ ଆଦି ବିଭିନ୍ନ ପାତ୍ର ଉପରେ ଉପନ୍ୟାସଟି ଆଧାରିତ ହେଲେହେଁ ମୂଳତଃ ଏହା ଜଣେ ଯୁବକ ଓ ଜଣେ ଯୁବତୀର କଥା । ଉପନ୍ୟାସଟିରେ ଜେରୋମ ନିଜ ମାତୁଳ କନ୍ୟା ଆଲିସାକୁ ଭଲପାଏ । ଆଲିସା ମଧ୍ୟ ଠିକ୍‌ ଏହିପରି ଜେରୋମକୁ ଖୁବ୍‌ ଭଲପାଏ । ଏହି ଭଲପାଇବାର ଅର୍ନ୍ତଦ୍ୱନ୍ଦ୍ୱ ଭିତରେ ହିଁ ସମଗ୍ର କଥାବସ୍ତୁର ଆରମ୍ଭ ଏବଂ ପରିସମାପ୍ତି ।

 

କାବ୍ୟ ସୃଜନପାଇଁ ବାସ୍ତବତା ଯେତିକି ଆବଶ୍ୟକ, ତା’ଠାରୁ ଅଧିକ ଆବଶ୍ୟକ କଳ୍ପନା-। କିନ୍ତୁ କେବଳ ବାସ୍ତବ କିମ୍ୱା କେବଳ କଳ୍ପନା ଉପରେ ଆଶ୍ରିତ କାବ୍ୟ ଅପରିପୂର୍ଣ୍ଣ । ଏଣୁ ପ୍ରକୃଷ୍ଟ କାବ୍ୟ ସୃଷ୍ଟି ପାଇଁ ଉଭୟେ ଅପେକ୍ଷିତ । କଳ୍ପନା ପ୍ରତ୍ୟକ୍ଷଜ୍ଞାନ କିମ୍ୱା ପୂର୍ବ-ଜ୍ଞାନ ଉପରେ ନିର୍ଭରଶୀଳ । ବାସ୍ତବତାର ସ୍ପର୍ଶରେ ହିଁ କଳ୍ପନା ଜାଗୃତ । ଅତଏବ ଆନ୍ଦ୍ରେଜିଦ୍‌ଙ୍କର କଳ୍ପନା ନିଜ କୈଶୋର ଜୀବନର ସହଚାରିଣୀ ମାତୁଳ କନ୍ୟାଙ୍କ ସ୍ମୃତି-ସନ୍ନଦ୍ଧ ହୋଇ କୈଶୋର ଜୀବନର ବାସ୍ତବ ଚିତ୍ର ଅଙ୍କନ କରିବାରେ ସମର୍ଥ ହୋଇଛି । ସମ୍ଭବତଃ ଲେଖକଙ୍କ ବାଲ୍ୟଜୀବନର ମଧୁମୟ ସ୍ମୃତି ଅଗାଧ ପ୍ରେମ ଓ ଆସକ୍ତି ଆଦର୍ଶବାଦର ଆବରଣ ନେଇ କାବ୍ୟଟିକୁ କୃତ୍ରିମ ଏବଂ ଅସ୍ୱାଭାବିକ କରିଦେଇଛି । (ବିଶେଷତଃ ଆଲିସାର ଦେହଜନିତ ପ୍ରେମକୁ ଦେହାତୀତକୁ ଟାଣିନେଇ) ।

 

ଆଧୁନିକ ପ୍ରାଣୀବିଜ୍ଞାନ କିମ୍ୱା ମନୋବିଜ୍ଞାନ ଦୃଷ୍ଟିକୋଣରୁ ଦେଖିଲେ ଜଣାଯାଏ ଯେ, ମାନସିକ ପ୍ରେମଜନିତ ଆସ୍ଫାଳନ ଏବଂ ଉଦ୍‌ବେଳନର ଶେଷ ପରିଣତି ବା ଚରମ ଅବସାନ ହେଉଛି ଦୈହିକ ମିଳନ । ଯଦି ଜ୍ଞାନ ଓ ଅନୁଭବ ପରେ କ୍ରିୟାତ୍ମକତା ଅନିବାର୍ଯ୍ୟ, ତେବେ ପ୍ରେମର ଏହି ପହିଲି ପରଶ ଆଉ ଉଦ୍‌ବେଳନର ଆତିଶଯ୍ୟ ପରେ ମିଳନର ଆକାଂକ୍ଷା ସହ ଦୈହିକ ସମ୍ପର୍କର ଅବହେଳନା ଏବଂ ଆଦର୍ଶ-ପରିକଳ୍ପନା କେତେଦୂର ସମ୍ଭବ ?

 

ଯଦି ଭାରତୀୟ ଦୃଶ୍ୟକାବ୍ୟ ଶକୁନ୍ତଳାରେ କାଳିଦାସ ଏହାହିଁ ପ୍ରତିପାଦିତ କରିଥାଆନ୍ତେ, ତା’ହେଲେ ହୁଏତ ପାଶ୍ଚାତ୍ୟ ଆଲୋଚକ-ବର୍ଗ ତା’ର କଳା-ସୌଷ୍ଠବାକୁ ସମର୍ଥନ କରିନଥାନ୍ତେ । କାଳିଦାସ ବନବାସିନୀ ନିରୀହ ଶକୁନ୍ତଳାର ଆବିଳ ଯୌବନ-ଉନ୍ମାଦନା ଏବଂ ଅନ୍ଧ-ପ୍ରେମକୁ ପ୍ରଥମେ ସ୍ୱୀକାର କରିଛନ୍ତି ଏବଂ ପରେ ରଚିଛନ୍ତି ଭାରତୀୟ ଆଦର୍ଶ ! କିନ୍ତୁ ଆଲୋଚ୍ୟ ଉପନ୍ୟାସରେ ଯୌନପ୍ରେମକୁ ଲୋକୋତ୍ତର ପ୍ରେମରେ ପରିଣତ କରି ଆନ୍ଦ୍ରେଜିଦ୍‌ ନିଜ ପ୍ରଚେଷ୍ଟାକୁ ଛପାଇ ପାରିନାହାନ୍ତି ।

 

‘‘କାବ୍ୟ ହୃଦୟକୁ ସ୍ପର୍ଶ କଲେ ପାଠକ ଆପେ ଆପେ ଆଲୋଚକ ହୋଇଥାଏ ।’’

 

‘‘ଯେକୌଣସି ମହାନ ଲେଖକ ନିଜ ବଳିଷ୍ଠ କଳାକୃତି ଭିତରେ ନିଜର ପ୍ରାଚୁର୍ଯ୍ୟ ଠିକ୍‌ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷ ଭାବରେ ଢାଳି ଦେଇଥାଏ, ଅଥବା ନିଜ ବିଚାର ବୁଦ୍ଧି, ବିବେକ କିମ୍ୱା ନିରୀକ୍ଷଣ ଶକ୍ତିକୁ ଅତିମାତ୍ରାରେ ପ୍ରତିପାଦିତ କରିଥାଏ ।’’ ଉକ୍ତ ଅଭିକଥନଟିର ଆଧାର ଉପରେ ପ୍ରଶ୍ନ ଉଠେ : (୧) ଆଲୋଚକ ଆନ୍ଦ୍ରେଜିଦ୍‌ଙ୍କର ଉପନ୍ୟାସଟି ପଢ଼ି ସ୍ୱତଃପ୍ରଣୋଦିତ ହୋଇ ଅଥବା ଦ୍ୱନ୍ଦ୍ୱରେ ପଡ଼ି ଆଲୋଚନା କରେ ? (୨) ଏହି ଔପନ୍ୟାସିକ କଳାକୃତିଟିରେ ଆନ୍ଦ୍ରେଜିଦ୍‌ ନିଜ ଅନୁଭୂତିଗତ ପ୍ରାଚୁର୍ଯ୍ୟ, ବ୍ୟକ୍ତିତ୍ୱ କିମ୍ୱା ନିରୀକ୍ଷଣ ନୈପୁଣ୍ୟ କେତେଦୂର ସଫଳତାର ସହିତ ବ୍ୟକ୍ତ କରିପାରିଛନ୍ତି ? (୩) ପ୍ରେମମୂଳକ କଥାବସ୍ତୁଟି କୈଶୋର ଜୀବନର ବିଶ୍ଳେଷଣରେ କେତେଦୂର ସମର୍ଥ ଏବଂ ସାଫଲ୍ୟମଣ୍ଡିତ ? ଇତ୍ୟାଦି ।

 

ଏହି ଉପନ୍ୟାସଟିର ଆଲୋଚନା କଲାବେଳେ ମନେପଡ଼େ ଷ୍ଟିଫାନ୍ ହୁଇଗ୍‌ଙ୍କ Letter From an unknown Women । ଏଥିରେ ଜଣେ କିଶୋରୀର ମନୋଭାବ ଯେପରି ବର୍ଣ୍ଣିତ ତା’ର ପୂର୍ଣ୍ଣତା ଆଲୋଚ୍ୟ ଉପନ୍ୟାସରେ ନାହିଁ । ଆନ୍ଦ୍ରେଜିଦ୍‌ ତରୁଣ ଏବଂ ଯୌବନର ଆଶା-ନିରାଶା, ଆକର୍ଷଣ-ବିକର୍ଷଣକୁ କେନ୍ଦ୍ରକରି ଉପନ୍ୟାସଟି ଲେଖିଥିଲେ ହେଁ, ଏହି କ୍ଷେତ୍ରରେ ଶୁଦ୍ଧ ଆଦର୍ଶୋନ୍ମୁଖୀ । ଏଥିରେ ବିଶ୍ଳେଷଣ ଅପେକ୍ଷା କାରୁଣ୍ୟ ଆଉ ଉଚ୍ଛ୍ୱାସ ଅଧିକ ମାତ୍ରାରେ ପୂରି ରହିଛି । ଏଣୁ ଗୋଟିଏ ବାକ୍ୟରେ କୁହାଯାଇପାରେ ଯେ, ଏହା ତରୁଣ-ପ୍ରେମମୂଳକ ଆଦର୍ଶଧର୍ମୀ ଉପନ୍ୟାସ । ଏଥିରେ ତରୁଣ ଜୀବନର ସମ୍ପୂର୍ଣ୍ଣ ବିଶ୍ଳେଷଣ ନ ଥିଲେହେଁ ତତ୍‌ସମ୍ପର୍କୀୟ ତଥ୍ୟ ନିହିତ ରହିଛି । ଶୈଳୀବୈଚିତ୍ୟହିଁ ଏହାର ମୌଳିକତା–ଏଥିରେ ଥିବା ବିବିଧତା ହିଁ ଏହାର ଏକତା । କାରଣ ଉପନ୍ୟାସଟିରେ ଧାରାବାହିକ ଚିତ୍ରଣ ଅଥବା ବର୍ଣ୍ଣନ ବଦଳରେ ମନୋସ୍ଥିତିର ପରିମାପକ ବା ପରିଚାୟକ ରୂପେ କେତୋଟି ପତ୍ର ବା ଡାଇରୀର ଅଂଶ ପରିଶେଷରେ ସଂଶ୍ଳିଷ୍ଟ ।

 

ଉପନ୍ୟାସଟି ପଢ଼ିଲେ ମନେହୁଏ, ଲେଖକ କ୍ଷିପ୍ରତା ସହକାରେ ଏହାର ପରିସମାପ୍ତି ଚାହିଛନ୍ତି । ବୋଧେ ଅର୍ବାଚୀନ ଯାନ୍ତ୍ରିକ ସଭ୍ୟତାର ସମୟ ସଂକୋଚତାର ସୂଚକ ରୂପେ ‘ଯେନକେନ ପ୍ରକାରେଣ’ ପତ୍ରଗୁଚ୍ଛ ଅଥବା ଡାଇରୀର ସଂଯୋଗରେ ଉପନ୍ୟାସଟିର ଶେଷ କରାଯାଇଛି । ତେବେ ଉପନ୍ୟାସଟିରେ ଆଧୁନିକ ମାନବର ବ୍ୟଗ୍ରତା ଓ ଯାନ୍ତ୍ରିକତା ଅପେକ୍ଷା ଭାବପ୍ରବଣତା ଏବଂ ପୁରାତନ ବିଶ୍ୱାସର ମାତ୍ରା ବେଶି । ବାସ୍ତବତା ଅପେକ୍ଷା ଆଦର୍ଶର ମାତ୍ରା ତତୋଽଧିକ । ଶୈଳୀ ଅର୍ବାଚୀନ ବା ନୂତନ ଥିଲେହେଁ-ଭାବଧାରା ଅତ୍ୟନ୍ତ ପ୍ରାଚୀନ । ବିଶେଷତଃ କଳାକୃତିଟି ଫ୍ରାନ୍‌ସର ନିତ୍ୟ ନୂତନ ଫେସନ୍ ଲାଳସା ନେଇ ନବୀନ ଶୈଳୀ ପ୍ରତିଷ୍ଠାଜନିତ ଭାବନା ଦ୍ୱାରା ଗ୍ରସ୍ତ । ଆଉ ଏଇ ନୂତନତା ହିଁ ତାଙ୍କ ଭିନ୍ନତା ଅଥବା ମୌଳିକତା ।

 

ଉପନ୍ୟାସ ଭିତରେ ଯେପରି ଆଲିସା ଜେରୋମକୁ ପାଇବାକୁ ଚାହିଁ ପାଇନାହିଁ, ଆଲିଙ୍ଗନ ଓ ମନପ୍ରାଣ ଦେଇ ଶରୀର ଦେଇପାରି ନାହିଁ, ଠିକ୍‌ ସେହିପରି ଆନ୍ଦ୍ରେଜିଦ୍‌ଙ୍କ ଏହି ଉପନ୍ୟାସଟି ପାଠକ ବା ଆଲୋଚକଙ୍କ ସମର୍ଥନ ପାଇବାକୁ ଯାଇ ପୂର୍ଣ୍ଣମାତ୍ରାରେ ପାଇପାରି ନାହିଁ ।

 

ଏହି ଉପନ୍ୟାସଟିରେ କେତେକ ସ୍ୱାଭାବିକତା ଦୃଷ୍ଟ ହେଲେହେଁ ଅସ୍ୱାଭାବିକତା ପୂରି ରହିଛି; ବାସନା ଥିଲେ ହେଁ ଧର୍ମ ରହିଛି; ଆବିଳ ଅବୈଧ ପ୍ରେମ ଥିଲେହେଁ ଅନାବିଳ ଶୁଦ୍ଧ ପ୍ରେମର ଦୁନ୍ଦୁଭି ବାଜିଉଠୁଛି । ଯେଉଁ ଉପନ୍ୟାସରେ ମାତା ଦୁଶ୍ଚରିତ୍ରା, ପରପୁରୁଷ ଗାମିନୀ, ସେଥିରେ ଝିଅ ଆଲିସା ଦୈହିକ ବାସନାର ତିରସ୍କାର କରି ଶୁଦ୍ଧ ପ୍ରେମର ଆଶାୟୀ । କେବଳ ଏତିକି ନୁହେଁ ନିଜ ପ୍ରେମିକକୁ ଭଗ୍ନୀ ଜୁଲିୟତ ପାଇଁ ଉତ୍ସର୍ଗ କରିବାକୁ ମଧ୍ୟ କୁଣ୍ଠିତ ନୁହେଁ ।

 

ଏକଦିଗରେ ବୁକ ଲୋଁ-ଦମ୍ପତି ଆଉ ଅନ୍ୟ ଦିଗରେ ଜେରୋମ ଓ ଆଲିସା ପ୍ରେମ ନଦୀର ଦୁଇଟି ଉପକୂଳ । ଜୁଲିୟତ ମଧ୍ୟସ୍ରୋତରେ ଭାସିଯାଉଥିଲେ ହେଁ, ଥରେ ମାତ୍ର କୈଶୋର ଜୀବନରେ ଜେରୋମ ପ୍ରତି ଆକୃଷ୍ଟ ହୋଇ ଅନ୍ୟତ୍ର କୂଳ କିନାରା ପାଇଛି । କିନ୍ତୁ ଆଲିସା ଓ ଜେରୋମର ପ୍ରେମଧାରା ଶେଷ ପର୍ଯ୍ୟନ୍ତ ବହି ଚାଲିଛି । ଆଲିସାର ଛିନ୍ନ ଡାଇରୀର କେତେକ ପୃଷ୍ଠା ଏହାକୁ ଆହୁରି ତୀବ୍ରତର କରିଦେଇଛି । କିଛିଦିନ ପରେ ହୁଏତ ଆଲିସାର ସ୍ମୃତି ଲୁପ୍ତ ହୋଇଯାଇଛି–ତା’ର ଡାଇରୀ ଜଳିପୋଡ଼ି ଯାଇଛି । ସେ ହୁଏତ ଜୁଲିୟତ ଘରେ କିମ୍ୱା ଅନ୍ୟତ୍ର ଜନ୍ମ ହୋଇଛି ନୂତନ ରୂପରେ । ତେବେ ଔପନ୍ୟାସିକଙ୍କ ଶତଚେଷ୍ଟା ସତ୍ତ୍ୱେ ବି ଆଲିସାର ବାସନା ଅଥବା ମାନବୀୟ ଶାଶ୍ୱତ ବାସନାର ଅବସାନ ଘଟିନାହିଁ–ଧର୍ମ, ଶୁଦ୍ଧି ଏବଂ ତପସ୍ୟାର ଭସ୍ମ ତଳୁ ତାହା ଉଙ୍କିମାରୁଚି ।

 

ପରିଶେଷରେ ଆନ୍ଦ୍ରେଜିଦ୍‍ଙ୍କର ନିଖୁଣ ଆଦର୍ଶଧର୍ମୀ ପାତ୍ର ଆଲିସା ବିଷୟରେ ଏତିକି କୁହାଯାଇପାରେ ଯେ, ଆଲିସା ଏକାଧାରରେ ଅଶୁଭ ଏବଂ ଅନାଚାରର ବିରୋଧୀ, ପ୍ରକୃତ ପ୍ରେମର ସମର୍ଥକ ଆଉ ତ୍ୟାଗ ଓ ତପସ୍ୟାର ପ୍ରତିମୂର୍ତ୍ତି । ସେ ବାଲ୍ୟାବସ୍ଥାରେ ନିଜ ମା’ଙ୍କ ଆଗରେ ପରପୁରୁଷ ସମ୍ୱନ୍ଧୀୟ ପ୍ରେମର ବିରୋଧ କରି ନପାରି ପଲଙ୍କ ଉପରେ ମୁଣ୍ଡ ପାତି କାନ୍ଦିଚି । ଜେରୋମଠାରେ ସମତା ଆଉ ସହାନୁଭୂତିରେ ହୃଦୟ ପାଇ ତାକୁ ସ୍ନେହ ଆଉ ପ୍ରେମ କରିଚି । କିନ୍ତୁ ବିବାହ କରିନାହିଁ । ଏଣୁ ଯେଉଁ ଆଲିସା ଜେରୋମ ସହିତ ବିବାହ ନ କରି ଆଦର୍ଶବାଦର ଅନୁଗାମିନୀ ହୋଇ ପାଠକଙ୍କୁ ବିଶ୍ରଦ୍ଧ କରିଦେଇଛି, ଲେଖକ ସମାଲୋଚିତ ହୋଇଛନ୍ତି, ତାରି ମୂଳରେ ଯେ ମା’ଙ୍କ ପାପପ୍ରଣୟଜନିତ ବାଲ୍ୟକାଳର ସେଇ ପ୍ରତିକ୍ରିୟାତ୍ମକ ଭାବନା ଛପି ନ ରହିଛି, ତାହା କିଏ କହିପାରିବ ?

 

ଏପରି ଅନେକ ଯୁକ୍ତି ବାଢ଼ି ବସି ଉପନ୍ୟାସଟିକୁ ଶୈଳୀ ବୈଚିତ୍ର କିମ୍ୱା ମନୋବିଜ୍ଞାନର ପରଦା ଦେଇ ଢାଙ୍କିବାକୁ ଚେଷ୍ଟା କରାଗଲେ ହେଁ ପ୍ରସ୍ତୁତ ଉପନ୍ୟାସ-ରଚନା କ୍ଷେତ୍ରରେ ଆନ୍ଦ୍ରେଜିଦ୍‌ଙ୍କର ଅଭାବ ରହିଯାଉଛି । ଉପନ୍ୟାସଟିରେ ବିଶେଷତଃ ବିଂଶ ଶତାବ୍ଦୀରେ ଦୈହିକ ପ୍ରେମକୁ ଦେହାତୀତକୁ ଟାଣିନେବା ଭାବନା ସ୍ୱାଭାବିକ ମନେହେଉନି । ଏଣୁ ଉପନ୍ୟାସଟିରେ ମନୋବୈଜ୍ଞାନିକ ସତ୍ୟ ଅପେକ୍ଷା ଆଦର୍ଶର ମାତ୍ରା ବଳିପଡ଼ିଛି କହିଲେ ଚଳେ । ତଥାପି ଏଇ ବିକ୍ଷିପ୍ତତା, ଅସ୍ୱାଭାବିକତା ଆଉ ସଂକୀର୍ଣ୍ଣତା ଭିତରେ ଯେଉଁ ବାସ୍ତବିକତା, ଶୈଳୀ ଏବଂ ନୂତନତ୍ୱ ରହିଛି, ତାହାହିଁ ଉପନ୍ୟାସଟିକୁ ବଞ୍ଚାଇ ରଖିଛି । ଏଣୁ ବୋଧହୁଏ ‘‘ଲେଖକ ଆତ୍ମବିଶ୍ୱାସ ଏବଂ ନୂତନ ପ୍ରୟୋଗ ପାଇଁ ସଞ୍ଜୀବିତ-କିନ୍ତୁ ସମର୍ଥନ ଅଥବା ବିଜ୍ଞାପନ ପାଇଁ ନୁହେଁ ।’’

☆☆☆

 

 

 

 

 

 

 

 

 

 

 

ଆମେରିକାନ୍‌

ହେମିଂଉଏ...

ଓଲଡ଼ ମେନ୍‌ ଏଣ୍ଡ୍‌ ଦ ସି

 

‘‘ଓଲ୍‌ଡ଼ ମେନ୍‌ ଏଣ୍ଡ ଦ ସି’’ ହେମିଂଉଏଙ୍କର ଆଧୁନିକତମ ଉପନ୍ୟାସ । ଏହି ଉପନ୍ୟାସଟିରେ ଜୀବନର ଅନୁଭୂତିଗତ ବ୍ୟାପକତା ଏବଂ ପରିପୂର୍ଣ୍ଣତା ଦୃଷ୍ଟ ନ ହେଲେହେଁ ସଂକ୍ଷିପ୍ତ ସାଙ୍କେତିକ ଆକାରରେ ଦେଖାଦେଇଛି । ଲେଖକ ଉପନ୍ୟାସଟିରେ ଜଣେ ବୃଦ୍ଧର ମାଛଧରିବା କଥାଟିକୁ ନେଇ ତିଳକୁ ତାଳକରି ଥୋଇଛନ୍ତି । ଏହି ପରିବର୍ଦ୍ଧନ ଓ ବିଶ୍ଳେଷଣ ଭିତରେ ରହିଛି ଲେଖକଙ୍କର ଅନ୍ତର୍‌ଦର୍ଶନ; ମାନସିକ ଦ୍ୱନ୍ଦ୍ୱ...ପାପପୁଣ୍ୟର ବିଚାର-ସଘଂର୍ଷ, ହତ୍ୟା ଆଉ ରକ୍ତପାତ ଭିତରେ ସ୍ନେହ, ପ୍ରେମ, ଶାନ୍ତି, ମୈତ୍ରୀ ଆଉ ହାର୍ଦ୍ଦିକତାର ବାଣୀ । ଏଣୁ ଉପନ୍ୟାସଟି କ୍ଷୁଦ୍ର ହେଲେହେଁ ମହାନ, ସଙ୍ଘର୍ଷ-ଦ୍ୟୋତକ ହେଲେହେଁ ଶାନ୍ତିକାମୀ, ମରଣ ଏବଂ ବିଲୟ-ଧର୍ମୀ ହେଲେହେଁ ଜୀବନ ଆଉ ଆଲୋକର ଆଶାୟୀ ।

 

ଏହି ଉପନ୍ୟାସଟି ପଢ଼ିବାପରେ ନିମ୍ନଲିଖିତ ସିଦ୍ଧାନ୍ତରେ ଉପନୀତ ହୁଅନ୍ତି । ଯଥା- (୧) ମନୁଷ୍ୟ ମନୁଷ୍ୟ, ପଶୁ ନୁହେଁ । (୨) ମନୁଷ୍ୟ ସାମାଜିକ ପ୍ରାଣୀ । ସେ ନିଜ ବେଦନାକୁ ବିଶ୍ୱବେଦନା ଭିତରେ ଦେଖେ । (୩) କର୍ତ୍ତବ୍ୟ ପାଇଁ ସଘଂର୍ଷ ଆବଶ୍ୟକ ଏବଂ ଅନିବାର୍ଯ୍ୟ । (୪) ହତ୍ୟା ବୁଦ୍ଧିମତ୍ତାର ପରିଚାୟକ ନୁହେଁ । ମନୁଷ୍ୟ ଅସ୍ତ୍ରଶସ୍ତ୍ର ବଳରେ ହିଁ ବଳୀୟାନ–ସେ ପାଶବିକତା ଦ୍ୱାରାହିଁ ସଂସାରକୁ ଜୟ କରିପାରିଛି । (୫) ମନୁଷ୍ୟ ଚିର ଅବିଜିତ; ଇତ୍ୟାଦି ।

 

ଉପନ୍ୟାସଟିର କଥାବସ୍ତୁ ଜଣେ ବୃଦ୍ଧ ଆଉ ଗୋଟିଏ ବୃହତ୍‌ ମତ୍ସ୍ୟର ସଙ୍ଘର୍ଷ ଉପରେ ଆଧାରିତ । କିନ୍ତୁ ବସ୍ତୁତଃ ଏହି ସଙ୍ଘର୍ଷ ଗୋଟିଏ ମତ୍ସ୍ୟ ଆଉ ଜଣେ ବୃଦ୍ଧର ସଙ୍ଘର୍ଷ ଭିତରେ ସୀମାବଦ୍ଧ ନୁହେଁ–ତାହା ମନୁଷ୍ୟ ଆଉ ପ୍ରକୃତିର ଚିରସଂଘର୍ଷ । ଏହା ଚିରସ୍ଥାୟୀ; କର୍ତ୍ତବ୍ୟ ଦୃଷ୍ଟିରୁ ତାକୁ ବାଦଦେଇ ହେବନାହିଁ । ମନୁଷ୍ୟ ପକ୍ଷରେ ଜୀଇଁବାଟା ଯେତିକି ଆବଶ୍ୟକ ସଙ୍ଘର୍ଷ ମଧ୍ୟ ସେତିକି ଆବଶ୍ୟକ । କିନ୍ତୁ ସଙ୍ଘର୍ଷଟା କେବଳ ଆବଶ୍ୟକତାରୁ ବଢ଼ି ସ୍ୱାର୍ଥବିଜଡ଼ିତ ହେଲେ ଅର୍ଥାତ୍‌ ମାତ୍ରାରୁ ବଳିଗଲେ ପ୍ରାଣୀ-ପ୍ରାଣୀ ଏବଂ ଦେଶ-ଦେଶ ଭିତରେ ବିସ୍ଫୋଟ ଆଣିଦିଏ । ହୋମିଂଉଏଙ୍କର ମତରେ ଏହି ସଙ୍ଘର୍ଷ ବା ଯୁଦ୍ଧ କେବଳ ଜୀବିକା ସକାଶେ ଆବଶ୍ୟକ । କିନ୍ତୁ ଦଶ ପାଞ୍ଚ ବ୍ୟକ୍ତି କିମ୍ୱା ଦେଶକୁ ଦବାଇ, ଶାସନ ଲୋଭରେ ରକ୍ତ ଶୋଷଣକରି ଶସ୍ତ୍ରବଳରେ ମାରିବା ପାଇଁ ନୁହେଁ । ଆଜି ସଂସାରରେ ଆତ୍ମରକ୍ଷା ଏବଂ ଖାଦ୍ୟ ଅନ୍ୱେଷଣ ପ୍ରବୃତ୍ତିଠାରୁ ଅନ୍ୟଉପରେ ଶାସନ କରିବା ପ୍ରବୃତ୍ତି (Over ruling instinct) ଟି ବଳିପଡ଼ିଛି । ଏଇଥିଲାଗି ବିଶ୍ୱରେ ଏହି ବିଦ୍ରୋହ ଆଉ ଅଶାନ୍ତି ।

 

ଆଜି ମଣିଷ ଖାଇବାକୁ ପାଉଥିଲେ ସୁଦ୍ଧା ମଣିଷର ରକ୍ତ ଶୋଷଣ କରିବାକୁ ଉଦ୍ୟତ କାହିଁକି ? ଅନ୍ୟର ଗଳାରେ କୂଟନୀତିର ପାଶ ଲଗାଇ ତାକୁ ପାଶବଦ୍ଧ କରି ରଖିବାକୁ ଉଦ୍ୟତ କାହିଁକି ? ଏହା କ’ଣ ବାସ୍ତବିକ ବଞ୍ଚିବାର ଇଚ୍ଛା ? ଉପନ୍ୟାସଟିରେ ଜୀବିକା ପାଇଁ, ବଞ୍ଚିବା ପାଇଁ, ଏହି ନ୍ୟାଯ୍ୟ ଦାବିଟିକୁ ପ୍ରମାଣିତ କରିବା ପାଇଁ ବୃଦ୍ଧ ଧୀବରକୁ ବହୁତ କିଛି ଭାବିବାକୁ ପଡ଼ିଛି । ନିଜ ଦୋଷର କାରଣ ନିର୍ଦ୍ଦେଶ କରି ଆତ୍ମଶୁଦ୍ଧି କରିବାକୁ ପଡ଼ିଛି । ସେ ଶେଷରେ ଚାରିଆଡ଼କୁ ଶୁଣାଇ ବଡ଼ପାଟିରେ କହିଛି–ସମ୍ଭବତଃ ମାଛଟାକୁ ମାଛ ହୋଇ ଏବଂ ମୋତେ ଧୀବର ହୋଇ ଜନ୍ମହେବା ଉଚିତ ହୋଇଛି । ଆଉ ମୁଁ କର୍ତ୍ତବ୍ୟ ଦୃଷ୍ଟିରୁ ସଦ୍‌ଭାବନା ସହ ତାକୁ ମାରିଛି । ତାକୁ ପୂର୍ବେ ଭଲପାଇଛି, ମରିବା ପରେ ମଧ୍ୟ ଭଲପାଇଛି । ମାଛଟାକୁ ମାରିଦେବା ପରେ ବୃଦ୍ଧ ମନରେ ଅନେକ ଦ୍ୱନ୍ଦ୍ୱ ଖେଳିଯାଇଛି । ସେ ଶେଷ ସିଦ୍ଧାନ୍ତରେ ପହଞ୍ଚି କହିଛି-ମାଛଟି ମୋଠାରୁ ଶକ୍ତିଶାଳୀ ଏବଂ ଉଦାର, କିନ୍ତୁ ମୁଁ ହୁଏତ ତାକୁ ଅସ୍ତ୍ରଶସ୍ତ୍ର ବଳରେ ହିଁ ମାରିଦେଇଛି ।

 

ବସ୍ତୁତଃ ଆଜିକାଲି ସଂସାର ଅସ୍ତ୍ରଶସ୍ତ୍ରରେ ହିଁ ବଳୀୟାନ, ମଣିଷ ମଣିଷକୁ କିମ୍ୱା ନିଜଠାରୁ ଦୁର୍ବଳ ରାଷ୍ଟ୍ରକୁ ସଙ୍ଗୀନ ମୁନରେ କିମ୍ୱା ବିସ୍ଫୋରଣକାରୀ ଅସ୍ତ୍ର ବଳରେ ହିଁ ଜବତ କରିନେଉଛି । କିନ୍ତୁ ବୃଦ୍ଧ ଧୀବର ବର୍ଚ୍ଛାବିଦ୍ଧ କରି ମାଛକୁ ମାରିଲାବେଳେ ମାଛର କ୍ଷୁଧା ତୃଷା ବିଷୟରେ ଯେତେ ଭାବିଛି, ଆଧୁନିକ ବୈଜ୍ଞାନିକ ବା ଆକ୍ରମକ ବିଷାକ୍ତ ଗ୍ୟାସ କିମ୍ୱା ଅଣୁବୋମା ବ୍ୟବହୃତ କଲାବେଳେ ତା’ର ଶତାଂଶରୁ ଅଂଶେ ସୁଦ୍ଧା ଯଦି ଭାବିପାରନ୍ତା, ତା’ ହେଲେ ମାନବତା ଏତେ ଅଧୋଗତି ପ୍ରାପ୍ତ କରିନଥାନ୍ତା ।

 

ମନୁଷ୍ୟ ସାମାଜିକ ପ୍ରାଣୀ, ସେ ସମାଜ ସହ ମିଳିମିଶି ରହିବାକୁ ଭଲପାଏ, ଏଣୁ ଅପାର ସମୁଦ୍ର ମଝିରେ ବିପତ୍ନୀକ ବୃଦ୍ଧ ତା’ର ସଙ୍ଗୀ ବାଳକଟିକୁ ମନେପକାଏ । ଅଭାବ ପୀଡ଼ିତ ହୋଇ ସେ ସମୁଦ୍ର-ପକ୍ଷୀ ସହିତ ମିତ୍ରତା ସ୍ଥାପନ କରେ । ପକ୍ଷୀର ପଳାୟନରେ ଅଭାବ ଅନୁଭବ କରେ । ଭୟଙ୍କର ମାଛଟି ସହିତ ମିତ୍ରତା ସ୍ଥାପନ କରେ, କଥା କହେ । ନିଜ ବେଦନାଟିକୁ ବିଶ୍ୱର ଚାରିଆଡ଼େ ବିଞ୍ଚିଦେଇ ସମୁଦ୍ର-ପକ୍ଷୀ, ମତ୍ସ୍ୟଦଳ ଏବଂ କଚ୍ଛପଯୁଗଳର କ୍ରୀଡ଼ା ଦେଖି ଆନନ୍ଦିତ ହୁଏ-। ଆଉ ଭାବେ–ମନୁଷ୍ୟଭଳି ସେମାନେ ବି ହସଖେଳ କରନ୍ତି, ତାଙ୍କର ବି ଆନନ୍ଦ ଅଛି, ସେମାନେ ବି ପରସ୍ପରକୁ ଭଲପାଆନ୍ତି । ଏହାଛଡ଼ା ବୃଦ୍ଧ ନିଜ କର୍ମକ୍ଳାନ୍ତ ଶ୍ରାନ୍ତିକୁ ଅନୁଭବ କରିଛି-ଉଡ଼ନ୍ତା ପକ୍ଷୀର ଶ୍ରାନ୍ତକ୍ଳାନ୍ତ ପକ୍ଷ ଦେହରେ, ସମସ୍ତ ପ୍ରାଣୀ-ଜଗତକୁ ଭାଇ ବୋଲି ସମ୍ୱୋଧନ କରିଛି ।

 

ପୁରୁଷାର୍ଥ ଉପରେ ଦୃଢ଼ବିଶ୍ୱାସ ଥିଲେହେଁ, ଭାଗ୍ୟବାଦ ଆଉ କର୍ମକୁ ସମର୍ଥନ କରି ନୌକାର-ଦଉଡ଼ି ଉପରେ ବସିଥିବା ପକ୍ଷୀଟିକୁ ବୃଦ୍ଧ କହିଛି-ରାତିରେ ପ୍ରବଳ ପବନ ନ ଥିଲା । ତୁମେ ଏତେ କ୍ଳାନ୍ତ ହୋଇପଡ଼ିବା ଉଚିତ ନୁହେଁ । ଆଜିକାଲିର ପକ୍ଷୀମାନଙ୍କର କ’ଣ ହେଲା କି ? ବାଜପକ୍ଷୀମାନେ ଏମାନଙ୍କ ଅପେକ୍ଷାରେ ସମୁଦ୍ରଆଡ଼କୁ ମାଡ଼ି ଆସନ୍ତି । କ୍ଷୁଦ୍ରପକ୍ଷୀ ଭଲଭାବେ ବିଶ୍ରାମ ନିଅ । ତା’ପରେ ବାହାରିପଡ଼, ଦେଖ ତୁମ ଭାଗ୍ୟରେ କ’ଣ ଅଛି ? ପ୍ରତ୍ୟେକ ମଣିଷ, ପକ୍ଷୀ ଆଉ ମାଛକୁ ଏହାହିଁ କରିବାକୁ ପଡ଼େ ।

 

ପ୍ରକୃତରେ ମଣିଷର ଭାଗ୍ୟରେ କ’ଣ ଅଛି କିଏ କହିପାରେ ? ଆଜି ମନୁଷ୍ୟ ଭାଗ୍ୟ ଅସ୍ଥିର । ଝାମ୍ପ ମାରିବା ଦଳର ସଂଖ୍ୟା ଅଧିକ । ଆଜି ସୀମାକୁ ଟପି ଆକ୍ରମଣ ଚାଲେ । ଜୀବନଟା ଖାଲି ବିପଦସଙ୍କୁଳ ।

 

ତତ୍ପରେ କର୍ତ୍ତବ୍ୟ ଦୃଷ୍ଟିରୁ ବୃଦ୍ଧ ଧୀବର ବଞ୍ଚିବାପାଇଁ ସଂଘର୍ଷ କରେ; ଖାଇବା ପାଇଁ, ଶକ୍ତି ସଂଗ୍ରହ କରିବା ପାଇଁ ଛୋଟିଆ ଛୋଟିଆ ମାଛ ଖାଏ । ପୁଣି କର୍ମରେ ଲାଗିପଡ଼େ । ତେବେ ସେ ବଞ୍ଚିବା ପାଇଁ ଖାଏ, ଖାଇବାପାଇଁ ବଞ୍ଚେ ନାହିଁ । ବିରାଟ ସମୁଦ୍ର ମଧ୍ୟରେ ନିଜେ ସଂଘର୍ଷରତ ହେଲେ ହେଁ ହତ୍ୟାକୁ ସମର୍ଥନ କରିପାରେ ନାହିଁ । ସଂଘର୍ଷ ଆଉ ଯୁଦ୍ଧ ଭିତରେ ଶାନ୍ତି, ମାନବିକତା, ହାର୍ଦ୍ଦିକତା ଏବଂ ସହାନୁଭୂତିର ସନ୍ଦେଶ ଶୁଣାଏ ।

 

ସମ୍ପୂର୍ଣ୍ଣ ଉପନ୍ୟାସଟିରେ ହେମିଂଉଏ ମନୁଷ୍ୟ ଭିତରେ ଥିବା ବର୍ବର ପାଶବିକତା, ଯୁଦ୍ଧ, ରକ୍ତପାତ ଆଉ ଧ୍ୱଂସ ଭିତରେ ଶାନ୍ତି, ସୁରକ୍ଷା ମାନବର ଚିର ପୋଷିତ ଜିଜୀବିଷା ଏବଂ ମାନବିକତାର ସାଙ୍କେତିକ ସମର୍ଥନ କରିଛନ୍ତି । ଏହାଛଡ଼ା ମାନବ ତଥା ପ୍ରକୃତିର ସଂଘର୍ଷ ଭିତରେ ମନୁଷ୍ୟର ଚିରବିଜୟ ଘୋଷଣା କରି ଆଶାବାଦର ସୂଚନା ଦେଇଛନ୍ତି ।

 

ଏଣୁ ପରିଶେଷରେ କୁହାଯାଇପାରେ ଯେ, ପ୍ରସ୍ତୁତ ଉପନ୍ୟାସଟିରେ ମୌଳିକ ପ୍ରବୃତ୍ତିର ପ୍ରାଧାନ୍ୟ ଥିଲେ ହେଁ ସଂବେଗରେ ଅଭାବ ନାହିଁ–ବୁଦ୍ଧି ଆଉ ଶକ୍ତିର ପ୍ରାଚୁର୍ଯ୍ୟ ଥିଲେହେଁ ସହୃଦୟତାର ଅଭାବ ନାହିଁ । ଏହା ସାଧାରଣ କଥାଶ୍ରୟୀ ହେଲେହେ ମହାନ୍‌ ସନ୍ଦେଶବାହୀ । ଆଲୋଚକ ଏଥିରେ ବିଜୀଗିଷାର ଆଧିକ୍ୟ ଅନୁଭବ କଲେହେଁ ଜିଜୀବିଷାର ପ୍ରଧାନ୍ୟ ଦେଖେ । ଅତଏବ କଥାବସ୍ତୁଟିର ପରିସର କ୍ଷୁଦ୍ର ବା ସଙ୍କୁଚିତ ଏବଂ ଜୀବନାନୁଭୂତି ସୀମିତ ହେଲେହେଁ ଉଦ୍ଦେଶ୍ୟ ମହତ୍‌ ଓ ବ୍ୟାପକ ।

☆☆☆

 

 

 

 

 

 

 

 

 

 

 

ସୋଭିଏତ୍‌

ବୋରିସ୍‍ ପେସ୍ତରନାକ୍‍...

ଡକ୍ଟର ଜୀବାଗୋ

 

‘‘ଡକ୍ଟର ଜୀବାଗୋ’’ ସ୍ୱର୍ଗତ ବୋରିସ୍‌ ପେସ୍ତରନାକ୍‌ଙ୍କ ବିଶ୍ୱ-ପ୍ରସିଦ୍ଧ ରଚନା । ଏହି ଉପନ୍ୟାସ ସକାଶେ ତାଙ୍କୁ ୧୯୫୮ରେ ନୋବେଲ ପୁରସ୍କାର ଦିଆଯିବା ଘୋଷଣା କରାଯାଇଥିଲେ ହେଁ ସେ ରାଜନୈତିକ ଚାପ ଯୋଗୁଁ ତାହା ଅସ୍ୱୀକାର କରିଥିଲେ । ଏଣୁ ‘ଡକ୍ଟର ଜୀବାଗୋ’ ନାମକ ଉପନ୍ୟାସର ସାହିତ୍ୟିକ ମୂଲ୍ୟ ଏକ ବିବାଦମାନ ବିଷୟ ହୋଇ ପଡ଼ିଛି । କେତେକ ଆଲୋଚକ ଏହି ଉପନ୍ୟାସଟିକୁ ରୁଷୀୟକ୍ରାନ୍ତି ପରବର୍ତ୍ତୀ ବଳିଷ୍ଠ ରଚନା ଏବଂ ଟଲଷ୍ଟୟଙ୍କ War and Peaceର ସମକକ୍ଷ କଳାକୃତି ବୋଲି କହନ୍ତି । ଅନ୍ୟମାନେ ଏହାକୁ କେବଳ ସାମ୍ୟବାଦ-ବିରୋଧୀ ଅଥବା ରୁଷୀୟକ୍ରାନ୍ତି ବିରୋଧୀ ରୁଚିବାଦୀ ଉପନ୍ୟାସ ବୋଲି କହିଥାଆନ୍ତି । ସଂକ୍ଷେପରେ କହିବାକୁ ଗଲେ ରୁଷ ଏହି ଉପନ୍ୟାସଟିକୁ ନିଜ ଦେଶର ନିଖୁଣ ଚିତ୍ରଣ ବୋଲି ସ୍ୱୀକାର କରେ ନାହିଁ, କିନ୍ତୁ ଆମେରିକା ମହାନ୍‌ କଳାକୃତି ବୋଲି ପ୍ରଚାର କରେ ।

 

ବୋରିସ୍‌ ପେସ୍ତରନାକ୍‌ଙ୍କ ନୋବେଲ୍‌ ପୁରସ୍କାର ଗ୍ରହଣ ବିଷୟରେ ‘‘ଲିଟିରେଚନାୟା ଗେଜେଟା’’ରେ ଯେଉଁ ବିବୃତି ପ୍ରକାଶିତ ହୋଇଥିଲା, ତା’ର ସାର ହେଉଛି–

 

‘‘ଡକ୍ଟର ଜୀବାଗୋ’’ ପାଶ୍ଚାତ୍ୟ ଆଲୋଚକମାନଙ୍କ ମତରେ ପ୍ରଥମେ କଳାଦୃଷ୍ଟିରୁ ନିମ୍ନସ୍ତରର ଉପନ୍ୟାସ ବୋଲି ଆଲୋଚିତ ହୋଇଥିଲା । କିନ୍ତୁ ଥରେ ଆମେରିକୀୟ ପତ୍ରିକା ସାପ୍ତାହିକ ‘ନେସନ୍‌’ରେ ପ୍ରକାଶିତ ହେଲା, ପାସ୍ତେରନାକ୍‌ଙ୍କୁ ନୋବେଲ ପୁରସ୍କାର ନ ଦେବା ନିତାନ୍ତ ଅସଙ୍ଗତ, ଆଗାମୀ ଲେଖକ ନିର୍ବାଚନବେଳେ ଏହି ଭୁଲଟି ସୁଧାରିଦେବା ଆବଶ୍ୟକ... ।’’ ଏହା ପ୍ରକାଶିତ ହେବାପରେ ପେସ୍ତରନାକ୍‌ଙ୍କୁ ନୋବେଲ ପୁରସ୍କାର ଦିଆଗଲା । ଗେଜେଟାର ମତରେ ଯେତେବେଳେ ଚେଖବ୍‌ କିମ୍ୱା ଟଲଷ୍ଟୟଙ୍କୁ ଏହି ସମ୍ମାନ ଦିଆଯାଇ ନ ଥିଲା, ସେତେବେଳେ ବୋରିସ ପେସ୍ତରନାକ୍‌ଙ୍କୁ ଏହି ପୁରସ୍କାର ଦେବା କେବଳ ଅଭିସନ୍ଧିମୂଳକ । କେବଳ ପୁଞ୍ଜିବାଦୀ ଦେଶଗୁଡ଼ିକର ପ୍ରରୋଚନାରେ ରୁଷୀୟ ଅପପ୍ରଚାରର ଅସ୍ତ୍ରରୂପେ ବିନିଯୋଗ କରିବା ପାଇଁ ରୁଷ କ୍ରାନ୍ତି-ବିରୋଧୀ ଉପନ୍ୟାସ ‘‘ଡକ୍ଟର ଜୀବାଗୋ’’ ସକାଶେ ପେସ୍ତରନାକ୍‌ଙ୍କୁ ନୋବେଲ ପୁରସ୍କାର ଦିଆଯାଉଛି । ଅନେକ ପ୍ରତିଭାବାନ୍‌ ଲେଖକ ଥିବା ସତ୍ତ୍ୱେ କେବଳ ୧୯୩୩ରେ ଇଭାନ୍‌ ବୁନୀନଙ୍କୁ ଏହି ପୁରସ୍କାର ଦିଆଯାଇଥିଲା, କିନ୍ତୁ ସେ ଥିଲେ ଜଣେ ଦେଶତ୍ୟାଗୀ ଶ୍ୱେତପ୍ରହରୀ–ରୁଷ ସହିତ ତାଙ୍କର କୌଣସି ସମ୍ପର୍କ ନ ଥିଲା ।

 

‘‘ଡକ୍ଟର ଜୀବାଗୋ’’ ବିଷୟବସ୍ତୁ ଦୃଷ୍ଟିରୁ ସୋଭିୟେତ ସାହିତ୍ୟରେ ଏକ ବିଜାତୀୟ ବିଷୟ । କେବଳ ଶତ୍ରୁମାନେ ଏହାକୁ ଯେକୌଣସି ପ୍ରକାରେ ରାଷ୍ଟ୍ରୀୟ ପରମ୍ପରା ସହିତ ସଂଲଗ୍ନ କରିବାକୁ ଚାହାନ୍ତି । ସ୍ୱୀଡ଼େନର ଭାଷାବିଦ୍‌ଗଣ ଯଦି ଉପଯୁକ୍ତ ବ୍ୟକ୍ତିଙ୍କୁ ସମ୍ମାନ ଦେବାକୁ ଚାହାନ୍ତି, ତା’ହେଲେ ତାଙ୍କୁ ବହୁ ପାଠକ ଓ ଜନତା ଦ୍ୱାରା ସମ୍ମାନିତ ଅନେକ ରୁଷୀୟ ଲେଖକ ମିଳିଯାଆନ୍ତେ ପୁଣି ପେସ୍ତରନାକ୍‌ଙ୍କୁ ଯେଉଁ ପୁରସ୍କାର ଦିଆଗଲା ତାହା ବଡ଼ ନୁହେଁ । ସୋଭିୟତ୍‌ ବିରୋଧୀ ପ୍ରଚାର ଦୃଷ୍ଟିରୁ ହିଁ ତାହା ଦିଆଯାଇଛି...’’ ଇତ୍ୟାଦି ।

 

ଏହି ସମ୍ୱାଦପତ୍ରୀୟ ସଙ୍ଘର୍ଷର ତାତ୍ପର୍ଯ୍ୟ ଯାହାହେଉ ପଛକେ, ଏଥିରୁ ସ୍ପଷ୍ଟ ହୁଏ ଯେ ନୋବେଲ ପୁରସ୍କାର କମିଟି ରାଜନୀତିକ ଦଳଦ୍ୱାରା ନିୟନ୍ତ୍ରିତ ଏବଂ ଲେଖକ ରାଜନୀତିକ ଚାପଦ୍ୱାରା ଅବଦମିତ ଓ ମୃତ । ବସ୍ତୁତଃ ଏପରି ଅନେକ ସାହିତ୍ୟିକ ଅଛନ୍ତି ଯେଉଁମାନେ କି, ନୋବେଲ ପୁରସ୍କାର-ପ୍ରାପ୍ତ ବ୍ୟକ୍ତିମାନଙ୍କଠାରୁ ମହାନ୍‌, କାଳଜୟୀ ଏବଂ ଅମର ହେଲେହେଁ କମିଟି ସେମାନଙ୍କୁ ସମ୍ମାନିତ କରିନାହିଁ । ଉଦାହରଣ ସ୍ୱରୂପ, ଟଲଷ୍ଟୟ, ଚେଖବ୍‌ ଓ ଗୋର୍କୀଙ୍କୁ ପୁରସ୍କାର ନ ଦେଇ ଇଭାନ୍‌ ବୁନୀନଙ୍କୁ ଏହି ପୁରସ୍କାର ଦିଆଯାଇଛି । ରୁଉୟାର୍ଡ଼କପ୍‌ଲିଂ ଭଳି ସଙ୍କୁଚିତ ମତସଂପନ୍ନ ବ୍ୟକ୍ତିଙ୍କୁ ଏହି ପୁରସ୍କାର ଦିଆଯାଇଛି । ପୁଣି ଏହି ପୁରସ୍କାର ପାଇବା ସମସ୍ତ ଲେଖକ ରବୀନ୍ଦ୍ରନାଥ, ରୋମାରୋଁଲା କିମ୍ୱା ବର୍ଣ୍ଣାର୍ଡ଼ଶ ନୁହନ୍ତି । ଏହା ବ୍ୟତୀତ ଅଧିକାଂଶ ପୁରସ୍କାର-ବିଜେତା ଫ୍ରାନ୍‌ସର ନଚେତ୍‌ ପାଶ୍ଚାତ୍ୟ ଦେଶର, କିନ୍ତୁ ସେଇ ଯୋଗ୍ୟତା ସଂପନ୍ନ କିମ୍ୱା ତା’ଠାରୁ ଅଧିକ ଉନ୍ନତ ବ୍ୟାପକ ଦୃଷ୍ଟିକୋଣ ବିଶିଷ୍ଟ ଏସିଆର ଲେଖକ ତାହା ପାଇ ନ ଥାଏ । ଏଣୁ ନୋବେଲ କମିଟିର ପକ୍ଷପାତିତା ଏବଂ ସଂକୀର୍ଣ୍ଣତା ଆଜି ବି ବିଶ୍ୱ ସାହିତ୍ୟିକମାନଙ୍କ ଆଗରେ ଅଛପା ରହିନାହିଁ ।

 

ନୋବେଲ କମିଟିର ନିର୍ଣ୍ଣୟ ଏବଂ ରୁଷୀୟ ପତ୍ରିକାମାନଙ୍କର ମତ ପାର୍ଥକ୍ୟ ଥିବାବେଳେ ପାସ୍ତେରନାକ୍‌ଙ୍କ ‘‘ଡକ୍ଟର ଜୀବାଗୋ’’ ଉପନ୍ୟାସର ସମାଲୋଚନା ଶୁଦ୍ଧ ସାହିତ୍ୟିକ ଓ ମାନବତାବାଦୀ ଦୃଷ୍ଟିକୋଣରୁ ହେବା ଆବଶ୍ୟକ । ପାଶ୍ଚାତ୍ୟ ଗୋଷ୍ଠୀଙ୍କ ପକ୍ଷରେ ସାମ୍ୟବାଦୀ ନୀତି କିମ୍ୱା ରୁଷୀୟକ୍ରାନ୍ତିଜନିତ ଅସଫଳତାର କୁତ୍ସାରଟନା ପାଇଁ ଇଚ୍ଛୁକ ହେବା ଯେତିକି ଘାତକ, ରୁଷପକ୍ଷ ପ୍ରକୃତ ମାନବିକତା ଏବଂ ବ୍ୟକ୍ତି ସ୍ୱାତନ୍ତ୍ର୍ୟକୁ ଦମିତ କରି ବ୍ୟକ୍ତିବେଦନାକୁ ଅଗ୍ରାହ୍ୟ କରିଦେବା ସେତିକି ସାଂଘାତିକ । ଏଣୁ ନୋବେଲ ପୁରସ୍କାର ଗ୍ରହଣ କରିବାପାଇଁ ପେସ୍ତରନାକ୍‌ ଅନିଚ୍ଛା ପ୍ରକାଶ କରିବା ପରେ ବିଶ୍ୱର ବିଭିନ୍ନ ପତ୍ରପତ୍ରିକାରେ ଘମାଘୋଟ ଆଲୋଚନା ଚାଲିଥିଲାବେଳେ ନିଜେ ଲେଖକ ଯାହା କହିଥିଲେ ତାହାହିଁ ଉପନ୍ୟାସଟିର ପ୍ରକୃତ ଆଲୋଚନା ବୋଲି ମନେହୁଏ । ସଂସାରର ବିବିଧ ପତ୍ରିକା ଏହି ବିଷୟରେ ଆଲୋଚନାମୁଖର ହେଉଥିବାବେଳେ ବୋରିସ୍‌ ପେସ୍ତରନାକ୍‌ ନିଜେ କହିଥିଲେ-‘‘ଏଇ ପୁସ୍ତକ ଲେଖି ମୁଁ ଆନନ୍ଦିତ, କିନ୍ତୁ ଏହା ବିଷୟରେ ଯେଉଁ ଅନାବଶ୍ୟକ କଥା ଶୁଣାଯାଏ, ସେଥିପାଇଁ ମୁଁ ଦୁଃଖିତ । ଜୀବନକୁ ଯଥାର୍ଥ ଭାବେ ପ୍ରତିପାଦନ କରିବାପାଇଁ ମୁଁ ଏହି ଉପନ୍ୟାସଟି ଲେଖିଛି, ରାଜନୀତିକ ପରିପତ୍ରରୂପେ ନୁହେଁ । ମୁଁ କୌଣସି ପ୍ରଚାରକ ନୁହେଁ, ମୋର ପୁସ୍ତକର ମଧ୍ୟ ଏହା ବକ୍ତବ୍ୟ ନୁହେଁ । ଏହା ରୁଷୀୟକ୍ରାନ୍ତିକାଳୀନ ଅଗ୍ନିପରୀକ୍ଷାର ଦିନମାନଙ୍କ ବିଷୟରେ ଲିଖିତ ଏକ ମାର୍ମିକ ଐତିହାସିକ ଉପନ୍ୟାସ-।’’

 

ବର୍ତ୍ତମାନ ପ୍ରଶ୍ନଉଠେ ଯେ, ଡକ୍ଟର ଜୀବାଗୋ ‘‘ରୁଷୀୟକ୍ରାନ୍ତିକାଳୀନ ବାସ୍ତବବାଦୀ ଉପନ୍ୟାସ ଅଥବା ନୋବେଲ୍‌ କମିଟିଙ୍କ ମତାନୁସାରେ’’ ସମକାଳୀନ ଗୀତିକାବ୍ୟ ଏବଂ ରୁଷୀୟ ମହାକାବ୍ୟ (Epic) ପରମ୍ପରାରେ ରଚିତ ମହତ୍ତ୍ୱପୂର୍ଣ୍ଣ ଅବଦାନ ଅଥବା ରୁଷ-ସାହିତ୍ୟ ପରମ୍ପରା ରହିତ ଲାଲସେନା ଓ କ୍ରାନ୍ତି-ବିରୋଧୀ ଅପ୍ରଗତିଶୀଳ ରୁଚିବାଦୀ ଉପନ୍ୟାସ ? ଅବଶ୍ୟ ରୁଷବିପ୍ଳବ ପରେ ପରେ ବର୍ତ୍ତମାନ ସୁଦ୍ଧା ରୁଷରେ ଭୟଙ୍କର ପ୍ରଗତି ଦେଖାଦେଉଛି । ତେବେ ‘ଡକ୍ଟର ଜୀବାଗୋ’ର ଲେଖକ ପେସ୍ତରନାକ୍‌ଙ୍କ ମତରେ ତାହା କ’ଣ କେବଳ ଭୌତିକ ପ୍ରଗତି ? ସେଠାରେ କ’ଣ ପ୍ରକୃତ ମାନବିକତାର ପ୍ରଗତି ଦେଖାଦେଉ ନାହିଁ ?

 

ବର୍ତ୍ତମାନ ରାଜନୀତି କ୍ଷେତ୍ରରେ ରୁଷ ଓ ଆମେରିକା ଉଭୟଙ୍କଠାରୁ ଭାରତବର୍ଷ ଯାନ୍ତ୍ରିକତା ଓ ଭୌତିକତା ବଦଳରେ ଚିର ଶାନ୍ତି ଏବଂ ମାନବିକତା ଚାହିଁଛି । ଉଭୟ ଦେଶଠାରେ ଶକ୍ତି ଦେଖିଛି, କିନ୍ତୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଚାହିଁଛି । ଜୀବାଗୋ ଉପନ୍ୟାସର ନାୟକ ୟୁରା ମଧ୍ୟ ଏହାହିଁ ଚାହିଁଛି–କ୍ରାନ୍ତି ଏବଂ ସଙ୍ଘର୍ଷ କବଳରୁ ରକ୍ଷା ପାଇବା ପାଇଁ ଶାନ୍ତିର ଅନ୍ୱେଷଣରେ ଅନ୍ୟତ୍ର ଚାଲି ଯିବାକୁ ଚାହିଁଛି । ତା’ର ଏହି ପଳାୟନ ଓ ଅସଫଳତା ଉପରେ ହିଁ ଉପନ୍ୟାସଟିର ସମଗ୍ର କାହାଣୀ ଆଧାରିତ ।

 

 

‘‘ଡକ୍ଟର ଜୀବାଗୋ’’ର ପ୍ରକୃତ ଆଲୋଚନା କରିବାକୁ ହେଲେ ଉପନ୍ୟାସଟିର ବିଷୟବସ୍ତୁର ବିଶ୍ଳେଷଣ ଓ ପରୀକ୍ଷଣ ଏବଂ ସମକାଳୀନ ଅନ୍ୟ ବିଶ୍ୱ-ଉପନ୍ୟାସ ସହିତ ତା’ର ତୁଳନାତ୍ମକ ମୂଲ୍ୟ ନିର୍ଦ୍ଧାରଣ ଏକାନ୍ତ ଆବଶ୍ୟକ ।

 

ବସ୍ତୁତଃ ଡକ୍ଟର ଜୀବାଗୋ ଅକ୍ଟୋବର କ୍ରାନ୍ତିକାଳୀନ ରୁଷର ନିଖୁଣ ଚିତ୍ରଣ । ଏଥିରେ କ୍ରାନ୍ତିଦ୍ୱାରା ଗୃହଶୂନ୍ୟ ଓ ବିଚ୍ଛିନ୍ନ ରୁଷୀୟ ପାରିବାରିକ ଜୀବନର ବର୍ଣ୍ଣନା କରାଯାଇଛି । ଲାରା ଓ ପାଶା ଏବଂ ୟୁରା ଓ ଟୋନ୍ୟାଙ୍କ ପରିବାର ଦୁଇଟିକୁ କେନ୍ଦ୍ର କରି ଏବଂ ଅନ୍ୟ କେତୋଟି କ୍ରାନ୍ତି-ନିଷ୍ପେଷିତ ଚରିତ୍ରକୁ ନେଇ ‘‘ଡକ୍ଟର ଜୀବାଗୋ’’ ଉପନ୍ୟାସର ସୃଷ୍ଟି । ଡକ୍ଟର ଜୀବାଗୋ ନିଜେ ଜଣେ ଡକ୍ଟର, କଳା-ପ୍ରେମୀ ଓ କବି । ତାଙ୍କ ପିତା କୋଟିପତି ଥିଲେ । ତେବେ ସେ ବାପାଙ୍କ ଆତ୍ମହତ୍ୟା ପରେ ସେଇ ସମ୍ପତ୍ତିରୁ କୌଣସି ଆନନ୍ଦ ବା ଆରାମ ପାଇପାରି ନ ଥିଲେ । ସେ ଶିକ୍ଷିତ ଯୁବକ ହେବା ପରେ ପରେ ରୁଷରେ ବିପ୍ଳବ ଆରମ୍ଭ ହୁଏ । ପରେ ତାହା ଏକପ୍ରକାର ଥଣ୍ଡା ପଡ଼ିଯାଇଥାଏ । କିନ୍ତୁ କ୍ରାନ୍ତିକାରୀ ସେନାମାନଙ୍କୁ ମୂଳପୋଛ କରିବାକୁ ବିଶ୍ୱର ସମସ୍ତ କ୍ରାନ୍ତିବିରୋଧୀ ରାଷ୍ଟ୍ରଦ୍ୱାରା ରୁଷୀୟ ସେନାଧ୍ୟକ୍ଷ ଏଡ୍‌ମିରଲ୍‍ ଡେନ୍‌କିନ୍‌ ଓ କୋଲ୍‌ଚକ ନାମକ ବ୍ୟକ୍ତିଙ୍କ ନେତୃତ୍ୱରେ ଗୃହଯୁଦ୍ଧ ପ୍ରାରମ୍ଭ ହୁଏ । କେତେବେଳେ କ୍ରାନ୍ତିକାରୀମାନଙ୍କର ଜୟ ହୁଏ ତ କେତେବେଳେ ପ୍ରତି କ୍ରାନ୍ତିକାରୀମାନଙ୍କର । ଏହି ଉଭୟ ଦଳର ସଂଘର୍ଷ ଭିତରେ ଡକ୍ଟର ଜୀବାଗୋ (ୟୁରା) ପ୍ରଥମେ ପ୍ରତି-କ୍ରାନ୍ତିକାରୀମାନଙ୍କ ଦ୍ୱାରା ଓ ପରେ କ୍ରାନ୍ତିକାରୀମାନଙ୍କଦ୍ୱାରା ଧୃତ ହୋଇ ନିଷ୍ପୀଡ଼ିତ ହୁଅନ୍ତି । ଡକ୍ଟର ଜୀବାଗୋ କୌଣସି ଦଳକୁ ସମର୍ଥନ କରନ୍ତି ନାହିଁ । ସେ ଚାହାନ୍ତି ଶାନ୍ତିପୂର୍ଣ୍ଣ ଅବସ୍ଥା–ନିଜ ସ୍ତ୍ରୀ ଓ କନ୍ୟା ସହ କୌଣସି ସ୍ଥାନରେ ଶାନ୍ତିପୂର୍ଣ୍ଣ ଜୀବନଯାପନ । କିନ୍ତୁ ପରିସ୍ଥିତି କ୍ରମେ କୌଣସି ସ୍ଥାନରେ ନିରାପଦରେ ରହିନପାରି ସେ ଭୟାବହ ପରିସ୍ଥିତିର ସମ୍ମୁଖୀନ ହୋଇ ଶେଷରେ ପ୍ରାଣତ୍ୟାଗ କରନ୍ତି ।

 

ଡକ୍ଟର ଜୀବାଗୋ ବା ୟୁରା ଉପନ୍ୟାସର ମୁଖପାତ୍ର ବା ମୁଖ୍ୟପାତ୍ର । ଲାରା ଦୁଃଖାନ୍ତ ଯୁଗଚିତ୍ରର ପ୍ରତୀକ । ତାନ୍ୟା, ୟୁରା ଓ ଲାରାଙ୍କ ସମ୍ଭୂତ ଭାଗ୍ୟହୀନା କନ୍ୟା । ‘କୁମାରୋବୟସ୍କୀ’ ଲାରା-ଜୀବନର ଘାତକ ଏବଂ ଯୁବଗ୍ରାଫ୍‌ ଓ ସାମଦେବାତୋର ଜୀବାଗୋ ଓ ଲାରାଙ୍କ ଜୀବନର ସହାୟକ ଭାବେ ଚିତ୍ରିତ, ବାସ୍ୟା ୟୁରାଭଳି ଜଣେ ନିଷ୍ପେଷିତ ଅଳ୍ପବୟସ୍କ ଯୁବକ ଏବଂ ପରେ ଜୀବାଗୋ ସାହିତ୍ୟର ପ୍ରକାଶକ ଭାବେ ପରିଚିତ । ଏମାନଙ୍କ ଛଡ଼ା ମରୀନା ଜାବାଗୋର ତୃତୀୟ ପତ୍ନୀରୂପେ ଉପନ୍ୟାସଟିରେ ବର୍ଣ୍ଣିତ ହୋଇଚି । ପାରିବାରିକ ଶାନ୍ତି ଆଶାରେ ଜୀବାଗୋ ଅବଚେତନରେ ମନର ପ୍ରେରଣାରୁ ଟୋନ୍ୟାକୁ ହରାଇ ଯଥାକ୍ରମେ ଲାରା ଏବଂ ମରୀନା ପ୍ରତି ଆକୃଷ୍ଟ ହୋଇଛି, ସେପରି ପାଶକୁ ହରାଇ ଲାରା ତା’ର ଅଭାବ ପୂରଣ ପାଇଁ ୟୁରା ପ୍ରତି ଆକୃଷ୍ଟ ହୋଇଛି–ଆଦମ୍‌ ଆଉ ଈଭ୍‌ର ଚିରନ୍ତନ ପ୍ରେରଣାକୁ ନେଇ । ପରିଶେଷରେ ଲାରା କୁମାରୋବୟସ୍କୀଦ୍ୱାରା ଅପହୃତା ହୋଇଛି, ପାଶା ଆତ୍ମହତ୍ୟା କରିଛି ଏବଂ ଜୀବାଗୋଙ୍କ ମୃତ୍ୟୁ ଘଟିଛି । ଏହିପରି ସମଗ୍ର ଉପନ୍ୟାସଟି ମନୁଷ୍ୟ ଜୀବନର ଅସ୍ଥିରତା, ସ୍ଥାନଚ୍ୟୂତି ପାରିବାରିକ ବିଚ୍ୟୂତି, ଅନିଶ୍ଚିତ ଭବିଷ୍ୟତତା, ଭୟ, ସଙ୍କୋଚ ଓ ବେଦନାରେ ପରିପୂର୍ଣ୍ଣ ।

 

ଅକ୍ଟୋବର କ୍ରାନ୍ତି ପରେ ରୁଷର ବିଶେଷ ଉନ୍ନତି ଘଟିଥିଲେହେଁ ଡକ୍ଟର ଜୀବାଗୋ ବା ୟୁରା ତାହାକୁ ପସନ୍ଦ କରି ନାହିଁ । କ୍ରାନ୍ତି ଏବଂ ମାର୍କ୍‌ସବାଦକୁ ସର୍ବସ୍ୱ ମନେକରିବା ବ୍ୟକ୍ତିମାନଙ୍କୁ ସେ ବ୍ୟଙ୍ଗ କରିଛି । ୟୁରା ଦେବତା ନୁହେଁ, ମନୁଷ୍ୟ । ଏଣୁ ମନୁଷ୍ୟର ସ୍ୱାଭାବିକ ଦୋଷ, ଦୁର୍ବଳତା, ସ୍ନେହ-ପ୍ରେମ ସହାନୁଭୂତି ତା’ଠାରେ ଅଛି । ସେ ଯୁଦ୍ଧ କ୍ଷେତ୍ରରେ ବାଧ୍ୟହୋଇ କେବଳ ଶୁଖିଲା ଗଛ ଖୁଣ୍ଟକୁ ଗୁଳି କରିଛି–ଯୁଦ୍ଧକ୍ଷେତ୍ରରେ ଭାଗନେବା ଛାତ୍ରମାନଙ୍କ ପ୍ରତି ତା’ ମନରେ ଦୟାର ଭାବ ଜାଗିଛି । କ୍ରାନ୍ତିବାଦୀମାନଙ୍କ ଦ୍ୱାରା ବଳ-ପୂର୍ବକ ଧୃତହୋଇ କାର୍ଯ୍ୟ କରିବାକୁ ବାଧ୍ୟ କରାଯିବାରୁ ସେ ବ୍ୟକ୍ତିସ୍ୱାତନ୍ତ୍ର୍ୟର ସପକ୍ଷରେ ଏବଂ କ୍ରାନ୍ତି ବିଷୟରେ ନିର୍ଭୀକଭାବେ ଜବାବ ଦେଇଛି–

 

‘‘ମୁଁ ଜାଣେ ଆପଣ ରୁଷର ଉଦ୍ଧାରକ ଓ ଦେଶର ଉଜ୍ୱଳ-ଦୀପକ । ଆପଣମାନଙ୍କ ବ୍ୟତୀତ ଦେଶ ରସାତଳକୁ ଚାଲିଯିବ, ଆପଦ ଘନେଇ ଆସିବ, ଚତୁର୍ଦ୍ଦିଗ ଅନ୍ଧକାର ବ୍ୟାପିଯିବ । ମୁଁ ଆପଣମାନଙ୍କୁ ପସନ୍ଦ କରେ ନାହିଁ, ଖାତିର କରେ ନାହିଁ । X X ସୈନିକମାନଙ୍କୁ ନୈତିକ ଶିକ୍ଷା ଦେଲାବେଳେ ଆପଣମାନେ ଯେଉଁ ଦୟା ପ୍ରଦର୍ଶନ କରନ୍ତି, ଆପଣ ପ୍ରକୃତରେ ଯଦି ସହୃଦୟ ବ୍ୟକ୍ତି ମତେ ଛାଡ଼ିଦିଅନ୍ତୁ–ମୋତେ ଯିବାକୁ ଦିଅନ୍ତୁ । ମୁଁ ମୋର ପରିବାରର ଖୋଜ ଖବର ନେବି । ସେମାନେ କେଉଁଠି ଅଛନ୍ତି ମୁଁ ଜାଣେନା, ଜାଣେନା ସେମାନେ ପ୍ରକୃତରେ ଜୀବିତ କି ମୃତ ! ଏହା କହିବା ପୂର୍ବରୁ ୟୁରା ମନେ ମନେ ଭାବିଛି–

 

‘‘ଏମାନେ ମତେ ବଳପୂର୍ବକ ବନ୍ଦୀ କରିନେଇ ମୋର ଇଚ୍ଛା ବିରୁଦ୍ଧରେ ଏଠାରେ ରଖି ଭାବୁଛନ୍ତି–ତାଙ୍କ ଆଶା ନିରାଶାରେ ମୁଁ ସମଦୁଃଖୀ ହେବି ଆଉ ମତେ ମିଳିବ ଉତ୍ସାହ । ବ୍ୟକ୍ତି କେତେଦୂର ନିର୍ବୋଧ ହୋଇପାରେ । ଏମାନଙ୍କ ବିଚାରରେ ନିଖିଳ ବ୍ରହ୍ମାଣ୍ଡର ଭବିଷ୍ୟତ କେବଳ ଅକ୍ଟୋବର କ୍ରାନ୍ତି ଉପରେ ହିଁ ନିର୍ଭର ।’’

 

ଲାରା ମଧ୍ୟ କ୍ରାନ୍ତି-ଜନିତ ବିଶୃଙ୍ଖଳାକୁ ଆଦୌ ପସନ୍ଦ କରି ନାହିଁ । ଏଇ ଧରଣର ବ୍ୟକ୍ତିମାନଙ୍କ ସ୍ୱାର୍ଥପରତାକୁ ସେ ନିତାନ୍ତ ଘୃଣାକରି ଆସିଛି । ସେ ୟୁରାକୁ କହିଛି–

 

‘‘ଯଦି ମୁଁ ଏ ସମୟରେ ତାଙ୍କର (ପାଶା ବା ଷ୍ଟ୍ରେଲିନ୍‌କୋଭ୍‌) ପତ୍ନୀ ବୋଲି ନିଜକୁ ପ୍ରମାଣିତ କରେ ତେବେ ବି କିଛି ଲାଭ ନାହିଁ । ଏହିପରି ସମୟରେ ସ୍ତ୍ରୀକୁ କିଏ ପଚାରେ ? ସଂସାରର ପୁନର୍ନିର୍ମାଣରେ ଲଗ୍ନ ବ୍ୟକ୍ତି ହିଁ ସବୁ କିଛି । ଆଉ ପତ୍ନୀ ! ସେ ଦୁଇପାଦ ବିଶିଷ୍ଟ ଗୋଟାଏ ପଶୁ ଯା’ର ମୂଲ୍ୟ ଉକୁଣୀ କିମ୍ୱା ପୋକଠାରୁ ବେଶୀ ନୁହେଁ ।’’

 

ଲାରା ନିଜ ପତି ପାଶା ବା ଷ୍ଟ୍ରେଲିନକୋଭ୍‌ର ଭବିଷ୍ୟତ ବିଷୟରେ ଥରେ କହିଛି–‘‘ଯେତେଦିନ ପର୍ଯ୍ୟନ୍ତ ତାଙ୍କ କାମ ଅନୁକୂଳ ଏବଂ ସେ ଉପଯୋଗୀ ବିବେଚିତ ହେବେ ସେତିକି ଦିନ ପର୍ଯ୍ୟନ୍ତ ମାତ୍ର ସେମାନେ ତାଙ୍କୁ ପାଶରେ ରଖିବେ । ପୁଣି ଯେଉଁ ମୁହୂର୍ତ୍ତରେ ତାଙ୍କର ଆବଶ୍ୟକତା ରହିବ ନାହିଁ, ସେମାନେ ତାଙ୍କୁ ନିର୍ଦ୍ଦୟତା ସହକାରେ ବିତାଡ଼ିତ କରିଦେବେ ।’’

 

ରୁଷର ପାରିବାରିକ ବିପର୍ଯ୍ୟୟ ବିଷୟରେ ମଧ୍ୟ ନିତାନ୍ତ ଦୁଃଖିତ ହୋଇ ଲାରା ଡକ୍ଟର ଜୀବାଗୋଙ୍କୁ କହିଛି–‘‘ଆପଣ ବିବେକୀ ମୁଁ ବା ବର୍ତ୍ତମାନ ଜୀବନସ୍ଥିତି ବିଷୟରେ କ’ଣ କହିବି । ଆଜି ରୁଷର ସମସ୍ତ ପରିବାର ଛିନ୍ନଭିନ୍ନ ହୋଇଯାଇଛି, ଏହା କେବଳ ମୋର ଏବଂ ଆପଣଙ୍କର ଘରୋଇ ଜୀବନର ପ୍ରଶ୍ନ ନୁହେଁ, ସମସ୍ତଙ୍କର । x x x ସମାଜର ପୁନଃସଂଗଠନ ଯୋଜନାରେ ସବୁକିଛି ଝାଡ଼ିଝୁଡ଼ି ଫିଙ୍ଗି ଦିଆଯାଇଛି । ଯାହା ଅବଶିଷ୍ଟ ଅଛି ତାହା ମାନବର କମ୍ପିତ ଆତ୍ମା, ଯାହା କି ଏହି ପାଶବିକ ଶକ୍ତି ଆଗରେ ନତମସ୍ତକ ହେବାପାଇଁ ବାଧ୍ୟ ।’’

 

କରୁଣ-ଯୁଗଚିତ୍ରର ମୂକ ସାକ୍ଷୀ ଲାରା ଏବଂ ଅନ୍ୟାନ୍ୟ ଚରିତ୍ର ବିଷୟରେ ଅଧ୍ୟୟନ କଲେ ଜଣାଯାଏ, ବସ୍ତୁତଃ ଡକ୍ଟର ଜୀବାଗୋର କଥାବସ୍ତୁ ହିଁ କ୍ରାନ୍ତି, ବିଦ୍ରୋହ ଓ ଅଶାନ୍ତି ବିରୋଧରେ ଏକ ବିପ୍ଳବ ।

 

ଏହାବ୍ୟତୀତ ଡକ୍ଟର ଜୀବାଗୋର କେତେକ ସିଦ୍ଧାନ୍ତ ମଧ୍ୟ ଦୃଷ୍ଟ ହୁଏ । ଏହି ସିଦ୍ଧାନ୍ତଗୁଡ଼ିକୁ ବିଶ୍ଳେଷଣ କରି ଦେଖିଲେ ସଂସ୍କୃତି, ସାହିତ୍ୟ, କଳା, ନାରୀର ମର୍ଯ୍ୟାଦା ଲେଖକଙ୍କ ବ୍ୟକ୍ତିଗତ ମତ ଏବଂ ଅଭୀପ୍‌ସା ସୂଚିତ ହୋଇଥାଏ ।

 

(କ) ମାର୍କସବାଦ :-

 

ମାର୍କସବାଦ କ’ଣ ଗୋଟାଏ ବିଜ୍ଞାନ ? ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସହିତ ଏହା ବିଷୟରେ ତର୍କ କରିବା ବ୍ୟର୍ଥ । ତେବେ ମୁଁ ଏତିକି କହିପାରେ ଯେ, ମାର୍କସବାଦଠାରେ ଗୋଟିଏ ବିଜ୍ଞାନ ବା ଶାସ୍ତ୍ର ହେବାର ପୂର୍ଣ୍ଣତା ନାହିଁ । ଶାସ୍ତ୍ର ଅପେକ୍ଷାକୃତ ଅଧିକ ସନ୍ତୁଳିତ (Synthetic) ହୋଇଥାଏ ।

 

(ଖ) କଳା :–

 

‘‘ସର୍ବଦା ମୁଁ ଭାବେ, କଳା କୌଣସି ନିଶ୍ଚିତ ଶ୍ରେଣୀର ହୋଇନପାରେ । ଏଥିରେ ବହୁ ବିଚାର ଏବଂ ବହୁ ଲକ୍ଷଣ ଅପେକ୍ଷା ଗୋଟିଏ ସମଗ୍ରତା ଓ ଏକତା ଦେଖା ଦେଇଥାଏ । କଳା ମୂଳରେ ଅନେକ ରୂପତା ନାହିଁ । ଇଜିପ୍‌ଟର କଳା ରୋମୀୟ କଳା ଏବଂ ଆମ ପ୍ରାଚୀନ କଳାର ମୂଳ ସ୍ରୋତ ଏକ, ଯାହା କି ହଜାର ହଜାର ବର୍ଷଧରି ତିଷ୍ଠି ରହିଛି ।’’

 

(ଗ) ସ୍ୱପ୍ନ :–

 

ଏହିପରି କୌଣସି ପଦାର୍ଥ, ଯାହା ପ୍ରତି ଦିନର ଆଦୌ ଦୃଷ୍ଟି ଦିଆଯାଇ ନ ଥାଏ, ତାହା ସେଇ ଉପେକ୍ଷାର ଶାସ୍ତି ସ୍ୱରୂପ ରାତ୍ରିରେ ସ୍ୱପ୍ନର ରୂପ ଧାରଣା କରିଥାଏ ।

 

(ଘ) ବିଜ୍ଞାନ :–

‘‘ବିଜ୍ଞାନର ପ୍ରଗତି ପୂର୍ବ ବ୍ୟକ୍ତିମାନଙ୍କର ଅନୁଭବ ଓ ସିଦ୍ଧାନ୍ତଗତ ଭୁଲର ସଂଶୋଧନ ବା ପରିମାର୍ଜନ ଉପରେ ଆଧାରିତ ।’’

(ଙ) ଇତିହାସ :–

‘‘ତେବେ ଇତିହାସ କ’ଣ ? ମୃତ୍ୟୁର ରହସ୍ୟାଚ୍ଛନ୍ନ ପ୍ରହେଳିକାକୁ ଭେଦକରି ତାକୁ ଜୟ କରିବା ପାଇଁ ଯୁଗ ଯୁଗ ଧରି ଚାଲିଥିବା ମନୁଷ୍ୟର ଚେଷ୍ଟା ହିଁ ଇତିହାସ ।’’

(ଚ) ଆଧ୍ୟାତ୍ମିକତା :–

‘‘ଏଥିପାଇଁ ମନୁଷ୍ୟ ଅନନ୍ତ ସଙ୍ଗୀତ ଲେଖେ, ଗଣିତ ଅସୀମତାର ଅନ୍ୱେଷଣ କରେ, ବିଜ୍ଞାନ ବିଦ୍ୟୁତ୍‌ ଚୁମ୍ୱକୀୟ ତରଙ୍ଗ ଉଦ୍‌ଭାବନ କରେ । ଆଂଶିକ ପ୍ରେରଣା ବ୍ୟତୀତ ଏହି ପ୍ରଗତି, ଅନ୍ୱେଷଣ ଓ ଅନୁସନ୍ଧାନ ଅସମ୍ଭବ । ଏଣୁ ଯିଶୁଖ୍ରୀଷ୍ଟ କହିଛନ୍ତି–ପ୍ରଥମ କଥା ପଡ଼ୋଶୀ ପ୍ରତି ପ୍ରେମ, ଯାହାକି ଜୀବନୀ-ଶକ୍ତିର ଉଚ୍ଚତମ ପରିଷ୍କୃତ ରୂପ । ଯଦି ମନୁଷ୍ୟ ମନରେ ଥରେ ଏହି ଭାବନା ପ୍ରବେଶ କରେ ତେବେ ଶେଷ ପର୍ଯ୍ୟନ୍ତ ତାହା ଅବାଧ ଗତିରେ ଚାଲିଥାଏ ।

(ଛ) ବ୍ୟକ୍ତି ଓ ବ୍ୟକ୍ତିତ୍ୱ :–

‘‘ଜୀବନ ସମ୍ୱନ୍ଧୀୟ ଦୃଷ୍ଟିକୋଣ ଏବଂ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଆଧୁନିକ ମନୁଷ୍ୟର ଅବିଚ୍ଛେଦ୍ୟ ଅଙ୍ଗ, କିନ୍ତୁ ଏହା ନୂତନ ଚିନ୍ତାଧାରା । ସାହିତ୍ୟରେ ଏପରି ପ୍ରୟୋଗର ଇତିହାସ ନାହିଁ । ଇତିହାସରେ ସର୍ବତ୍ର ମିଳିବ–ସଙ୍କୋଚରହିତ ରକ୍ତପାତ, ପାଶବିକତା ଓ କ୍ରୂରତାର ଅଲିଭା ଦାଗ । ତେବେ ଅନ୍ୟକୁ ଦାସ ରଖିବା ବ୍ୟକ୍ତି ନିଶ୍ଚୟ ନିମ୍ନ ଧରଣର ।’’

 

ଉପର୍ଯ୍ୟୁକ୍ତ ସିଦ୍ଧାନ୍ତ ଯୋଗୁଁ ସ୍ପଷ୍ଟତଃ ପ୍ରତିପାଦିତ ହୁଏ ଯେ, ‘ପେସ୍ତରନାକ୍‌ ଆଧ୍ୟାତ୍ମିକ ପ୍ରେରଣା, ପାରସ୍ପରିକ ସ୍ନେହ ସହାନୁଭୂତିର ସମର୍ଥକ’, କିନ୍ତୁ ବ୍ୟକ୍ତିକୁ ଦାସ କରି ରଖିବା ପ୍ରଚାରର ଘୋର ବିରୋଧୀ ।

 

ଡକ୍ଟର ଜୀବାଗୋ ଉପନ୍ୟାସଟି ପଢ଼ିଲେ ଜଣାଯାଏ, ଏହା ଦୂରଦ୍ରଷ୍ଟା ପେସ୍ତରନାକ୍‍ଙ୍କ ଜୀବନକାହାଣୀ । ଏଥିରେ ଜୀବନ ପ୍ରତି ଏକ ସ୍ୱତନ୍ତ୍ର ଦୃଷ୍ଟିକୋଣ ବ୍ୟତୀତ ପେରସ୍ତନାକ୍‌ଙ୍କ ବ୍ୟକ୍ତିଗତ ଜୀବନର ଆଶା-ନିରାଶା ମଧ୍ୟ ମାର୍ମିକ ଭାବରେ ଚିତ୍ରିତ । ପ୍ରଧାନ ନାୟକ ୟୁରା ସହିତ ପେସ୍ତରନାକ୍‌ଙ୍କ ଜୀବନଗତ କେତେକ ସାମ୍ୟ ମଧ୍ୟ ରହିଛି । ପେସ୍ତରନାକ୍‌ଙ୍କ ଜୀବନୀ ସହିତ ପରିଚିତ ସାହିତ୍ୟିକମାନେ ନିମ୍ନଲିଖିତ ଉଦାହରଣରୁ ତାହା ଅବଶ୍ୟ ଅନୁଭବ କରିପାରିବେ ।

 

ଥରେ ଉପନ୍ୟାସଟିରେ ୟୁରା କହୁଛି, ‘‘ଡକ୍ଟର କିମ୍ୱା କୃଷକ ହିସାବରେ ମୁଁ ଜଣେ ଉପଯୋଗୀ ବ୍ୟକ୍ତି ହେବାକୁ ଚାହେଁ । ତା’ ସଙ୍ଗେ ସଙ୍ଗେ ସ୍ଥାୟୀ ମୌଳିକ କୃତିର ସୃଷ୍ଟି କରିବାକୁ ଚାହେଁ । ଯଦି ପାରେ, କଳା କିମ୍ୱା ବିଜ୍ଞାନ କ୍ଷେତ୍ରକୁ କୌଣସି ନୂତନ ଅବଦାନ ଦେବି । ମୁଁ ଡାକ୍ତରୀ, ସାହିତ୍ୟିକ କବିତା ସଞ୍ଚୟନ କିମ୍ୱା ଉଚ୍ଚକୋଟୀର ବିଦେଶୀ ଗ୍ରନ୍ଥ ଅନୁବାଦ କରିବି । ଭାଷାମାନଙ୍କ ଉପରେ ମୋର ଭଲ ଦଖଲ ଅଛି ।’’ ବସ୍ତୁତଃ ଷ୍ଟାଲିନ୍‌ ରାଜତ୍ୱ କାଳରେ ପେସ୍ତରନାକ୍‌ଙ୍କୁ ଅନେକ ଦିନ କେବଳ ଅନୁବାଦ କରି କାଳାତିପାତ କରିବାକୁ ପଡ଼ିଥିଲା ।

 

ଅତଏବ କୁହାଯାଇପାରେ ଯେ ମାର୍କସବାଦକୁ ପ୍ରୟୋଗ କରୁଥିବା କମ୍ୟୁନିଷ୍ଟମାନଙ୍କ ବିରୋଧୀ ଜନୈକ ପୀଡ଼ିତ, ଅବହେଳିତ, ଲାଞ୍ଛିତ ଓ ନିର୍ଯ୍ୟାତିତ ବ୍ୟକ୍ତି ଭାବରେ ୟୁରାକୁ ଚିତ୍ରିତ କରି ପେସ୍ତରନାକ୍‌ ନିଜ ଆତ୍ମକଥାକୁ ହିଁ ବ୍ୟକ୍ତ କରିଛନ୍ତି ।

 

‘ୟୁରା’ ଲିଖିତ କବିତା ସଂଗ୍ରହ ନାମରେ ଗୋଟାଏ କବିତା-ସଂକଳନ ଉପନ୍ୟାସର ପରିଶେଷରେ ସନ୍ନଦ୍ଧ କରି ଲେଖକ ଉପନ୍ୟାସ ଶୈଳୀରେ ଏକ ନୂତନ ପରିବର୍ତ୍ତନ ଆଣିଛନ୍ତି ।

 

ଏହି କବିତାଗୁଡ଼ିକରେ ୟୁରା-ଜୀବନ-ସଙ୍ଘର୍ଷରେ ଚିତ୍ର, ସାମ୍ୟବାଦ ଓ ରାଷ୍ଟ୍ରର ଦୁହାଇ ଦେଇ ରୁଷରେ ଚାଲିଥିବା ଏକଛତ୍ର ଶାସନର ଚକ୍ରତଳେ ଅବଦଳିତ ବ୍ୟକ୍ତିର କରୁଣ ଆର୍ତ୍ତନାଦ ବା ପ୍ରକାରାନ୍ତରେ ପେସ୍ତରନାକ୍‌ଙ୍କ ଜୀବନର କରୁଣ କାହାଣୀର ଅବତାରଣା କରାଯାଇଛି । ଉପନ୍ୟାସର ନାୟକ ୟୁରା ନିଜ କୌଟୁମ୍ୱିକ ବିଚ୍ଛେଦ ବିଷୟରେ ଲେଖିଛି–

 

‘‘I have allowed my

family scatter

all my dear ones

are dispersed

of life long loneliness

Fills nature and my heart.’’

 

ପୁନଶ୍ଚ–

 

‘‘The log walls are sad

Having only us two gaseat

But we never under

took to leap the barriers

We will perish honestly.’’

 

ଠିକ୍‌ ଦିନେ ପେସ୍ତରନାକ୍‌ ଏପରି ଧ୍ୱଂସ ହୋଇ ଯାଇଛନ୍ତି । ଏଣୁ କବିତାଗୁଡ଼ିକ ପାଠକଲେ ବୋଧହୁଏ ୟୁରା ଭଳି ଦିନେ ପେସ୍ତରନାକ୍‌ ନିଜର ଏବଂ ନିଜ କୁଟୁମ୍ୱର ଧ୍ୱଂସ ବିଷୟ ଆଗରୁ ଜାଣି ସାରିଥିଲେ । ସବୁକିଛି ସହ୍ୟ କରି ନୋବେଲ୍‌ ପୁରସ୍କାର ତ୍ୟାଗ କରିବା ଅଳ୍ପକାଳ ପରେ ତାଙ୍କର ମୃତ୍ୟୁ ଘଟିଛି । ତା’ପରେ ରହସ୍ୟଜନକ ଭାବେ ତାଙ୍କ ସ୍ତ୍ରୀ ଓ କନ୍ୟାଙ୍କୁ କୌଣସି କାରଣରୁ ଅଭିଯୁକ୍ତ କରି ସ୍ଥାନାନ୍ତରିତ ଓ ବନ୍ଦୀ କରି ଦିଆଯାଇଛି । ପ୍ରଭେଦ ଏତିକି ଯେ, ୟୁରା ନିଜେ ଟୋନ୍ୟା, ଲାରା ଏବଂ ମରୀନାଙ୍କଠାରୁ ବିଚ୍ଛିନ୍ନ ହୋଇ ପ୍ରାଣ ହରାଇଛି–କିନ୍ତୁ ପେସ୍ତରନାକ୍‌ଙ୍କ ମୃତ୍ୟୁ ପରେ ତାଙ୍କ କନ୍ୟା ଓ ସ୍ତ୍ରୀଙ୍କର ଜୀବନ ବିପନ୍ନ ହୋଇଯାଇଛି । ଏଣୁ ଡକ୍ଟର ଜୀବାଗୋଙ୍କ ଜୀବନ ପେସ୍ତରନାକ୍‌ଙ୍କ ଜୀବନଠାରୁ ଭିନ୍ନ ବୋଲି ଆଦୌ କହି ହେଉନାହିଁ ।

 

(ଗ)

 

ବର୍ତ୍ତମାନ ସମକାଳୀନ ‘ବିଂଶ ଶତାବ୍ଦୀ’’ର ବିଶ୍ୱ ଉପନ୍ୟାସଗୁଡ଼ିକ ସହିତ ତୁଳନା କଲେ ‘‘ଡକ୍ଟର ଜୀବାଗୋ’’ ଉପନ୍ୟାସର ମୁଲ୍ୟ ନିର୍ଦ୍ଧାରଣ କରାଯାଇପାରିବ । ଏହି ଉପନ୍ୟାସଟି ବିଂଶ ଶତାବ୍ଦୀରେ ପ୍ରକାଶିତ ଯୁଦ୍ଧବିରୋଧୀ ଏବଂ ବ୍ୟକ୍ତି ସ୍ୱାତନ୍ତ୍ର୍ୟ-ପ୍ରଧାନ ଉପନ୍ୟାସ ‘ଜାର୍ଜ ଅରଉଏଲ’ଙ୍କର ‘‘1984’’ ଏବଂ ଆର୍ଥର କୋୟେସ୍ଳରଙ୍କ ‘‘Darkness at noon’’ କିମ୍ୱା ଭର୍ଜିଲ ଜାରଜୋଙ୍କର ଯୁଦ୍ଧବିରୋଧୀ ଉପନ୍ୟାସ ସହିତ ତୁଳନୀୟ ।

 

ଭର୍ଜିଲ ଜାରଜୋଙ୍କର ଯୁଦ୍ଧବିରୋଧୀ ଉପନ୍ୟାସ (ହିନ୍ଦୀରେ ‘‘ପଚ୍ଚସବାଁଘଣ୍ଟା’ ନାମରେ ଅନୁଦିତ) ମଧ୍ୟ ମୂଳତଃ ରୁମାନୀୟ ଭାଷାରେ ଲିଖିତ ହୋଇଥିଲେ ହେଁ ପ୍ରଥମେ ଫ୍ରାନ୍‌ସ ଭାଷାରେ ଅନୁଦିତ ହୋଇ ପରେ ଅନ୍ୟାନ୍ୟ ଭାଷାରେ ଅନୁବାଦ କରାଯାଇଥିଲା । ‘‘ଜୀବାଗୋ’’ ଉପନ୍ୟାସଟି ରୁଷୀୟ ଭାଷାରେ ଲିଖିତ ହେଲେ ହେଁ ତା’ର ଇଂରେଜୀ ଅନୁବାଦ ଇଟାଲୀରୁ ପ୍ରଥମେ ପ୍ରକାଶିତ ହେଲା ଏବଂ ପରେ ନିଜ ଭାଷାରେ ତାହା ପ୍ରକାଶିତ ହେଲା । ପେସ୍ତରନାକ୍‌ ଓ ଭର୍ଜିଲ ଜାରଜୋଙ୍କ ଉପନ୍ୟାସଦ୍ୱୟରେ କ୍ରମଶଃ କ୍ରାନ୍ତି ଏବଂ ଯୁଦ୍ଧକାଳୀନ ପାରିବାରିକ ବିଚ୍ଛେଦ ଏବଂ କଠିନ ନିର୍ଯ୍ୟାତନାର ଚିତ୍ରଣ ଉପଲବ୍‌ଧି ହୁଏ । କିନ୍ତୁ ‘‘ଜାନମରୀତ୍ସ’’ର ଜୀବନ ସଙ୍ଘର୍ଷର ତୀବ୍ରତା ‘‘ୟୁରା’’ଠାରେ ନାହିଁ । ଜାରଜୋଙ୍କ ଉପନ୍ୟାସରେ ଅମାନୁଷିକ ବର୍ବରତା ଏବଂ ଯାନ୍ତ୍ରିକତା ପ୍ରତି ପ୍ରବଳ ବିଦ୍ରୋହ ଅଛି–ପେସ୍ତରନାକ୍‌ଙ୍କ ଉପନ୍ୟାସରେ ତାହା ନାହିଁ, ତେବେ କ୍ରାନ୍ତି ପ୍ରତି ଉଦ୍ଦାତ୍ତ ଏବଂ ନିର୍ଭୀକ ବିରୋଧ ଦେଖାଦେଇଛି ।

 

‘‘Darkness at noon’’ ଉପନ୍ୟାସରେ ରୁବାସୋବ୍‌ ବ୍ୟକ୍ତି ସ୍ୱାତନ୍ତ୍ର୍ୟ ପାଇଁ ଯୁଦ୍ଧକରି ଶେଷରେ ମୃତ୍ୟୁଦଣ୍ଡ ପାଇଛି । ମୃତ୍ୟୁ ପୂର୍ବରୁ ବାଧ୍ୟହୋଇ ସେ ସ୍ୱୀକାର କରିଛି । ‘‘ରାଷ୍ଟ୍ରୀୟ ଅନୁସୃତ ନୀତିର ଅନିବାର୍ଯ୍ୟତାକୁ ଅସ୍ୱୀକାର କରିବା ହେଉଛି ମୋର ଅପରାଧ । ମନୁଷ୍ୟ-ସମାଜରେ ମନୁଷ୍ୟକୁ ଉଚ୍ଚ ଆସନ ଦେବା ମୋର ଅକ୍ଷମଣୀୟ ଅପରାଧ’’ । ତା’ପରେ ରୁବାସୋବ ମାନବତାର ମୁକ୍ତି ପାଇଁ ସ୍ୱପ୍ନ ଦେଖିଛି-‘‘ଆଜିଠାରୁ ବହୁ ବର୍ଷ ପରେ ହୁଏତ ଏକ ନୂତନ ରାଜନୀତିଦଳ ଗଠିତ ହେବ । ଯା’ର କର୍ମଚାରୀଙ୍କ ପୋଷାକ ହେବ ଗୈରିକ ବସ୍ତ୍ର ।’’ ବସ୍ତୁତଃ ଏହି ଉପନ୍ୟାସରେ ବ୍ୟକ୍ତି ସ୍ୱାତନ୍ତ୍ର୍ୟର ଅଭୀପ୍‌ସା ସହିତ ମାନବିକ ଆଦର୍ଶବାଦିତାର ସ୍ୱପ୍ନ ଦେଖାଯାଇଛି କିନ୍ତୁ ‘‘ଡକ୍ଟର ଜୀବାଗୋ’’ ଉପନ୍ୟାସରେ କଳ୍ପନା ଓ ଆଦର୍ଶର ସ୍ୱପ୍ନ ନାହିଁ–କ୍ରାନ୍ତିକାଳୀନ ରୁଷ-ଜନତାର ଜୀବନ୍ତ ଇତିହାସ ଅଛି । ମାର୍କସ୍‌ବାଦକୁ ଅନ୍ଧ ଭାବରେ ସମାଜର ପୁନଃନିର୍ମାଣ ପାଇଁ ପ୍ରୟୋଗ କରିବା ପ୍ରଥା ପ୍ରତି ଏକ ବିତୃଷ୍ଣା ଓ ବିପ୍ଳବ ରହିଛି ।

 

ଆଜି ମୁକ୍ତି, ମୈତ୍ରୀ ଏବଂ ଲୋକ ସ୍ୱାତନ୍ତ୍ର୍ୟର ଦୁହାଇ ଦେଇ ଯେଉଁ ଏକଛତ୍ର ରାଷ୍ଟ୍ର ମୁଣ୍ଡ ଟେକି ଉଠିଛି ତା’ର ବିରୋଧରେ ଠିଆ ହୋଇଛି ‘‘The nineteen hundred eightyfour’’ ଏହି ଉପନ୍ୟାସରେ ପରସ୍ପର ସ୍ପର୍ଦ୍ଧାଶୀଳ ତିନୋଟି ଦେଶ ହେଉଛନ୍ତି ଓସନିଆ, ୟୁରେସିଆ ଓ ଇଷ୍ଟେସିଆ । ଭୌତିକ ଶକ୍ତି-ପରିବର୍ଦ୍ଧନ କରି ସଂସାର ଉପରେ ଅଧିକାର ବିସ୍ତାର କରିବା ହେଉଛି ଏହି ରାଜ୍ୟଗୁଡ଼ିକର ଲକ୍ଷ୍ୟ । ଓସନିୟାର ଦେଶୀୟ ବିଧାନାନୁସାରେ ‘‘ସ୍ୱତନ୍ତ୍ର ଚିନ୍ତନ ଏକ ପାପ । ପ୍ରେମ ଏକ ଯୌନ ଅପରାଧ । ଏଣୁ ‘ପୁଲିଆ’ ପ୍ରତି ଜାଗ୍ରତ ‘‘ସ୍ମିଥ୍‌’’ର ପ୍ରେମ ମଧ୍ୟ ଏକ ଯୌନ ଅପରାଧ । ସ୍ମିଥ୍‌ ଇଲେକଟ୍ରିକ୍‌ ଟେବୁଲ ଉପରେ ସହସ୍ର ସୂଚିକାଦ୍ୱାରା ବିଦ୍ଧ ହେଲାବେଳେ ବାଧ୍ୟ ହୋଇ ସ୍ୱୀକାର କରିଛି-‘‘ଦାସତ୍ୱ ହିଁ ସ୍ୱାଧୀନତା’’, ‘‘ଦୁଇ ଦୁଇ ମିଶିଲେ ପାଞ୍ଚ ।’’ ଆଉ ‘‘ଶକ୍ତି-ରାଷ୍ଟ୍ର ହିଁ ଭଗବାନ୍‌’’। ଅବଶ୍ୟ ‘‘ଡକ୍ଟର ଜୀବାଗୋ’’ରେ ଏହିପରି ଭାବରେ ବ୍ୟକ୍ତିର ହତ୍ୟା କରାଯାଇ ନାହିଁ । ତେବେ ଜୀବାଗୋ ବା ୟୁରାକୁ ବନ୍ଦୀକରି ତା’ଠାରୁ କାମ ଆଦାୟ କରାଯାଇଛି–କର୍ତ୍ତବ୍ୟପରାୟଣତା ଓ ସମ ଦୁଃଖ-ସୁଖତାର ଆଶା କରାଯାଇଛି । ଅସୀମ ଯନ୍ତ୍ରଣା ପାଇ ବାଧ୍ୟହୋଇ ସ୍ମିଥ ଯାହା ସ୍ୱୀକାର କରିଛି, ୟୁରା ତାକୁ ଘୃଣା କରିଛି । ସେ ଅସଙ୍ଗତ କଥାକୁ ଅସ୍ୱୀକାର କରି ପ୍ରତିରୋଧ କରିଛି- ତା’ ଜୀବନରେ ସହାନୁଭୂତିର ସ୍ୱାଭାବିକ ଆକର୍ଷଣ ଓ ଗୃହନିର୍ମାଣ ସ୍ପୃହାର ପରିପୂରକରୂପେ ତିନୋଟି ରମଣୀ ସହିତ ପ୍ରେମ କରିଛି ଏବଂ ଶକ୍ତି କିମ୍ୱା କ୍ରାନ୍ତି ଅପେକ୍ଷା ଶାନ୍ତିକୁ ହିଁ ଚାହିଁଛି ।

 

ଜୀବାଗୋ ଉପନ୍ୟାସରେ ‘‘War and Peace’’ର ଗଦ୍ୟ ମହାକାବ୍ୟ (Epic novel) ସମ୍ପର୍କୀୟ ପୂର୍ଣ୍ଣତା ଓ ବ୍ୟାପକତା ଏବଂ ଚରିତ୍ରବାହୁଲ୍ୟ ନ ଥିଲେ ହେଁ ତା’ର ଶୈଳୀଗତ ପ୍ରଭାବ ଅବଶ୍ୟ ରହିଛି । କାରଣ ଏଥିରେ War and Peace ପରି ଏକ ସଂଘର୍ଷ-କାଳୀନ ଚିତ୍ର ସହିତ କଥୋପକଥନ ଛଳରେ ରୁଷୀୟ ସାହିତ୍ୟାଦର୍ଶ, ଦର୍ଶନ, ମନୋବିଜ୍ଞାନ ପ୍ରଭୃତି ବିଷୟରେ ଚର୍ଚ୍ଚା କରାଯାଇଛି । ‘‘ଡକ୍ଟର ଜୀବାଗୋ’’ ଉପନ୍ୟାସଟିକୁ ମେକ୍‌ସିମ୍‌ ଗୋର୍କୀଙ୍କର ‘ମା’ ଉପନ୍ୟାସର ଏକ ପ୍ରତୀପ ଉପନ୍ୟାସ କହିଲେ ଚଳେ । ଏଥିରେ ମା’ ଉପନ୍ୟାସର ଭାଷଣ-ବାହୁଲ୍ୟ ନାହିଁ । ମା’ ଉପନ୍ୟାସର ବୁର୍ଜ୍ଜୁଆମାନଙ୍କ ଅତ୍ୟାଚାର ଓ ଅମାନୁଷିକତାର ନିଛକ ଚିତ୍ରଣ ସହିତ ମାର୍କସ୍‌ବାଦର ପ୍ରଚାର ଅଛି; ଜୀବାଗୋ ଉପନ୍ୟାସରେ କ୍ରାନ୍ତିକାଳୀନ ଯଥାର୍ଥ ଚିତ୍ରଣ ସହିତ ମାର୍କସ୍‌ବାଦର ପ୍ରୟୋଗଜନିତ କ୍ରାନ୍ତି ପ୍ରତି ପ୍ରବଳ ବିରୋଧ ବା ଅସମର୍ଥନ ରହିଛି । ସଂକ୍ଷେପରେ କହିବାକୁ ଗଲେ ଏହା ସଂସାରର ଯେ କୌଣସି କ୍ରାନ୍ତି ଓ ବିଶୃଙ୍ଖଳା ବିରୁଦ୍ଧରେ ଏକ ଉଦାତ୍ତ ବିଦ୍ରୋହ ! ଏହାର ଶାନ୍ତିକାମନା ହିଁ ଅଶାନ୍ତି ଓ କ୍ରାନ୍ତି ବିରୋଧରେ ଏକ ବିରାଟ ଅଭିଯାନ ।

 

ଏହା ହେବାସତ୍ତ୍ୱେ ପରିଶେଷରେ ଗୋଟିଏ ପ୍ରଶ୍ନ ଉଠେ–ରୁଷୀୟ କ୍ରାନ୍ତି ପରେ ଏତେ ଉନ୍ନତି ଓ ଅଗ୍ରଗତି ଦେଖାଗଲେ ହେଁ ପେସ୍ତରନାକ୍‌ ତାକୁ ସ୍ୱୀକାର କରିପାରି ନାହାନ୍ତି କାହିଁକି ? ଯଦି ଭାରତର ସ୍ୱାଧୀନତା ଆନ୍ଦୋଳନ ବିରୁଦ୍ଧରେ ବା ତା’ର କୁତ୍ସାରଟନା କରି କୌଣସି ଉପନ୍ୟାସ ଲେଖାଯାଇଥାନ୍ତା, ତେବେ ଭାରତରେ ତା’ର ଆଦର କିପରି ହୁଅନ୍ତା ? ଏଥିଯୋଗୁଁ କେତେକ ପେସ୍ତରନାକ୍‌ଙ୍କୁ ସଙ୍କୁଚିତ ମତବାଦୀ ପ୍ରାଚୀନପନ୍ଥୀ ମଧ୍ୟ କହିଥାନ୍ତି । କିନ୍ତୁ ପେସ୍ତରନାକ୍‌ ନିଜେ ଏହାର ଉତ୍ତର ଦେଇଛନ୍ତି । ତେବେ ଯାହା ହେଉନା କାହିଁକି ତତ୍‌କାଳୀନ ରୁଷୀୟ ସାମ୍ୟବାଦର ଲୌହ ପରଦାକୁ ଭେଦକରି ନିର୍ଭୀକ ଚିନ୍ତକଭାବେ ପେସ୍ତରନାକ୍‌ ‘‘ଡକ୍ଟର ଜୀବାଗୋ’’ର ଉଦ୍ଦାତ୍ତ ବିଶ୍ଳେଷଣଦ୍ୱାରା ଯେଉଁ ସାହସିକତା ପ୍ରଦର୍ଶନ କରିଛନ୍ତି ଏବଂ ମାନବୀୟ ବ୍ୟକ୍ତି-ସ୍ୱାତନ୍ତ୍ର୍ୟ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ପାରିବାରିକ ଏକତ୍ୱ ଚାହିଁଛନ୍ତି, ତାହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଏଣୁ ରାଜନୀତିକ ମତପାର୍ଥକ୍ୟ ଯୋଗୁଁ କଳାକୃତିଟିର ପ୍ରଚାର ଓ ପ୍ରସାର ଅଧିକ ବ୍ୟାପୃତ ହେବା ସତ୍ୟ ହେଲେ ହେଁ ଏହାର ଯେ ସ୍ୱତନ୍ତ୍ର ସାହିତ୍ୟିକ ମୂଲ୍ୟ ରହିଛି ଏଥିରେ କୌଣସି ସନ୍ଦେହ ନାହିଁ ।

☆☆☆

 

 

 

 

 

 

 

 

 

 

 

ଇଂରେଜ

ଟି. ଏସ୍‍. ଇଲିଏଟ୍‍...

ଦି’ ଓ୍ୱେଷ୍ଟଲେଣ୍ଡ

 

ଆଧୁନିକ କବିଗଣ ଆଧୁନିକ ସମସ୍ୟାକୁ ସେମାନଙ୍କର କାବ୍ୟରେ ଫୁଟାଇଥାନ୍ତି । କିନ୍ତୁ ଆଧୁନିକ କବିତାର ମହାନ୍‌ ପୁରୋଧା ସ୍ୱର୍ଗୀୟ ଟି. ଏସ୍‌. ଇଲିଏଟ୍‌ ପରମ୍ପରା ଓ ପ୍ରାଚୀନତା ଭିତରେ ଆଧୁନିକତାକୁ ଧ୍ୱନିତ କରିଥାନ୍ତି । ଦି’ ଓ୍ୱେଷ୍ଟଲେଂଡ୍‌ ତାଙ୍କର ଏକ ପ୍ରସିଦ୍ଧ କଳାକୃତି । ଏହା ପ୍ରଥମେ ୧୯୨୨ ଖ୍ରୀ:ରେ ପ୍ରକାଶିତ ହୁଏ । ଠିକ୍‌ ସେହି ବର୍ଷ ଜେମ୍‌ସ ଜ୍ୱାୟସ୍‌ଙ୍କର ପ୍ରସିଦ୍ଧ ଉପନ୍ୟାସ ‘ୟୁଲିସିସ୍‌’ ମଧ୍ୟ ପ୍ରକାଶ ପାଏ । ୟୁଲିସିସ୍‍ର ଶୈଳୀ ହେଉଛି ବ୍ୟାସଶୈଳୀ ଆଉ ଓ୍ୱେଷ୍ଟଲେଂଡ୍‌ର ଶୈଳୀ ସମାସ ଶୈଳୀ । ପ୍ରଥମଟିରେ Stream Consciousness ବା ଚେତନା-ପ୍ରବାହର ବିକ୍ଷିପ୍ତ ବିବରଣୀ ବ୍ୟାଖ୍ୟା ଆକାରରେ ଉପନ୍ୟାସର ରୂପଧାରଣ କରିଚି ଏବଂ ଦ୍ୱିତୀୟଟିର ଗୋଟିଏ ମହାକାବ୍ୟର ଚେତନା ଓ ସମ୍ୱାଦ ସମାନ୍ତରାଳ ପଦ୍ଧତି ବା ସାନ୍ନିଧ୍ୟରୀତି ଦ୍ୱାରା ସମସିତ ଭାବେ ବ୍ୟକ୍ତ ହୋଇଚି ।

 

ନୋବେଲ ପୁରସ୍କାର କମିଟିର ସଭାପତି ଏବଂ ସ୍ୱିଡୀଶ୍‌ ଏକାଡ଼ମୀର ସମ୍ପାଦକ ଶ୍ରୀ ଅଂଡରସନ୍‌ ଅଷ୍ଟରଲିଂକ୍‌ ତାଙ୍କ ଭାଷଣରେ ସ୍ୱୀକାର କରିଛନ୍ତି–

 

‘‘ଏହି ଖିନ୍ନ ଏବଂ ଉଦାସୀନ ମହାକବିତା ଆଧୁନିକ ସଭ୍ୟତାର ଶୁଷ୍କତା ଏବଂ ନପୁଂସକତାକୁ ବେଳେ ବେଳେ ବାସ୍ତବିକ ଏବଂ ଯଦାକଦା ପୌରାଣିକ ଘଟଣା-ଶୃଙ୍ଖଳା (ଯା’ର ଦୃଷ୍ଟିଭଙ୍ଗୀ ଏକ ଅବର୍ଣ୍ଣନୀୟ ସଂପ୍ରଭାବ ଦ୍ୱାରା ପରସ୍ପର ସଂଘାତିତ) ମଧ୍ୟରେ ବର୍ଣ୍ଣନା କରିବାକୁ ଚାହେଁ । ଏହି କବିତାଚକ୍ର ୪୩୩ ପଂକ୍ତିର ସତ, କିନ୍ତୁ ଏଥିରେ ଏତିକି ପୃଷ୍ଠାର ଉପନ୍ୟାସଠାରୁ ମଧ୍ୟ ଅଧିକ ରହିଛି । ଇଲିଏଟଂକ କୃତିତ୍ୱର ବିଶୁଦ୍ଧ କାବ୍ୟାତ୍ମକ ଅଂଶ ପରିମାଣରେ ବିଶେଷ ବଡ଼ ନୁହେଁ-। କିନ୍ତୁ ବର୍ତ୍ତମାନ ତାହା ଦିଗ୍‌ବଳୟ ପରି ବିରାଜିତ ଏବଂ ସାଗର ମଧ୍ୟସ୍ଥିତ ଶୈଳ-ଶିଖର ସଦୃଶ ଦଣ୍ଡାୟମାନ ।’’

 

ଇଲିଏଟ୍ଂକ ଉକ୍ତିରୁ ମଧ୍ୟ ତାଙ୍କ କାବ୍ୟ ବିଷୟରେ କେତେକ ସ୍ପଷ୍ଟୀକରଣ ମିଳିଥାଏ । ନୋବେଲ ପୁରସ୍କାର ଉତ୍ସବରେ ସେ କହିଥିଲେ–ଯେତେବେଳେ ଜଣେ କବି ସ୍ୱକୀୟ ଜନସାଧାରଣକୁ ସମ୍ୱୋଧିତ କରେ ସେତେବେଳେ ତା’ ଉପରେ ପ୍ରଭାବପାତ କରିଥିବା ସମସ୍ତ ଅନ୍ୟଭାଷୀ କବିଙ୍କର ସ୍ୱର ଧ୍ୱନିତ ହୁଏ ।

 

ବସ୍ତୁତଃ ଓ୍ୱେଷ୍ଟଲେଂଡ଼ରେ ବହୁବିଧ କବି, କାବ୍ୟ, ଶାସ୍ତ୍ର ଓ ଉପଦେଷ୍ଟାଙ୍କର ସ୍ୱର ସଂଯୋଜିତ ହୋଇ ନବୀନ ଅର୍ଥ ପ୍ରତିପାଦନ କରେ । କିନ୍ତୁ ଏଠାରେ ମନେରଖିବାକୁ ହେବ ଯେ, ଏହା ଭଂଜୀୟ ଶାବ୍ଦିକ ପ୍ରଚେଷ୍ଟା ନୁହେଁ । ଏଥିରେ ଅଛି ଉଦ୍ଧରଣଜନିତ କାବ୍ୟ-ଧ୍ୱନି ଏବଂ ଗମ୍ଭୀର ବ୍ୟଞ୍ଜନା । ବସ୍ତୁତଃ ଏହି କାବ୍ୟଟିରେ ପ୍ରଥମ ମହାସମର ପରବର୍ତ୍ତୀ ୟୁରୋପର ଧ୍ୱସ୍ତ ଚିତ୍ର ସନ୍ନିବେଶିତ କରାଯାଇଚି । ଏଥିରେ ଅନେକ ପୁରାକଥା, ଖଣ୍ଡପ୍ରତୀକ, ରୂପକ, ରୂପକଳ୍ପ ଓ ଉଦ୍ଧରଣ ରହିଚି । ଏହାସବୁ ଉପନିଷଦ, ବୌଦ୍ଧଦର୍ଶନ, ପାଶ୍ଚାତ୍ୟ କବି ଓ ନାଟ୍ୟକାରମାନଙ୍କଠାରୁ ନିଆଯାଇଚି । ଏହି କାବ୍ୟର କଥାସୁତ୍ର ପାଇବା କାଠିକର ପାଠ । ଏହାର ଧ୍ୱନି ଗ୍ରହଣ କରିବାକୁ ହେଲେ ସେହି ବାତାବରଣ ଓ ସଂସ୍କୃତି ଛଡ଼ା ବିବିଧ ଶାସ୍ତ୍ରଜ୍ଞାନ ମଧ୍ୟ ଆବଶ୍ୟକ । ଅତଏବ କେବଳ ପାଶ୍ଚାତ୍ୟ ଟୀକାକାରମାନଙ୍କର ଟୀକା ପାଠକରି ରସ ଗ୍ରହଣ କରିବା କଦାପି ପ୍ରକୃତ ରସଗ୍ରହଣ ହୋଇ ନ ପାରେ ।

 

ପ୍ରକୃତରେ ଦେଖିବାକୁ ଗଲେ ଆଲୋଚକ ହେଉଛି କବି ଓ ପାଠକର ଯୋଗସୂତ୍ର ରକ୍ଷକ । ଆଲୋଚକ କବିମାନସ ବା କବିର ଆକାଂକ୍ଷିତ ଉଦ୍ଦେଶ୍ୟ ଏବଂ କଳାକୃତି ଭିତରେ ଥିବା ବ୍ୟବଧାନର ସୀମା ନିର୍ଦ୍ଧାରଣ କରେ । ଏଣୁ ଅପେକ୍ଷାକୃତ କମ୍‌ କାବ୍ୟ-ଚେତନା ଥିବା ପାଠକକୁ ରସ ଯୋଗାଇ ଦେବାରେ ଆଲୋଚକ ସହାୟକ ହୋଇଥାଏ । କିନ୍ତୁ ବିଦ୍ୱାନ ଆଲୋଚକଗଣ ମର୍ମୋଭେଦ କଲାବେଳେ ବହୁଧା ନିଜକୁ (ନିଜ ଧାରଣା ଓ ମତବାଦକୁ) ଅତ୍ୟଧିକ ମାତ୍ରାରେ ପ୍ରତିଫଳିତ କରିଥାନ୍ତି; ଜଟିଳ ଅର୍ଥ ପ୍ରତିପାଦନ କରି ବିଷୟକୁ ଜଟିଳତର କରିଦିଅନ୍ତି । ମେଥୀସନ୍‌, ଲେବିସ୍‌ ଓ ଲୀଭିସ୍‌ ପ୍ରଭୃତିଙ୍କୁ ଅଧ୍ୟୟନ କଲାପରେ ଏଇ ଜାଟିଲ୍ୟ ନିଜେ ଅନୁଭବ କରୁଚି । ଅତଏବ କୁହାଯାଇପାରେ ଯେ, ସେକ୍‌ସପୀୟରଙ୍କ ମର୍ମୋଭେଦ କରିବାକୁ ଯାଇ ଡାଉଡ଼ନ ଓ ବ୍ରାଡ଼ଲେ ପ୍ରଭୃତି ଯେପରି ନିଜକୁ ଅଧିକ ଅଭିବ୍ୟକ୍ତ କରୁଛନ୍ତି, ଓ୍ୱେଷ୍ଟଲେଂଡ଼ର ଟୀକାକାରମାନେ ମଧ୍ୟ ସେପରି କାବ୍ୟଟିକୁ ଜଟିଳତର କରି ଦେଇଛନ୍ତି ।

 

ସାଧାରଣ ପାଠକ ହିସାବରେ ପଢ଼ିଲେ ମନେହୁଏ–ଏଥିରେ ଆଧୁନିକ ସମାଜର ନଗ୍ନରୂପ ପ୍ରକାଶ ପାଇଛି । ଏ ଯୁଗର ବ୍ୟଭିଚାର ଅଂତଃସାରଶୂନ୍ୟତା, କ୍ଷଣିକତା ଓ ଅସାରତା ପ୍ରତିପାଦିତ ହୋଇଛି ଏବଂ କବିତାର ଶେଷଭାଗରେ କବି ସଙ୍ଘାତ ଓ ଶୁଷ୍କତା ଭିତରେ ଶାନ୍ତିର ଆହ୍ୱାନ କରିଛନ୍ତି । ଦୟା, ଦାନ ଓ ଦମନର ବାଣୀ ଶୁଣାଇଛନ୍ତି, ଇତ୍ୟାଦି ।
 

ଇଲିଏଟଂକର ଟୀକା ଟିପ୍‌ପଣୀ ଯୋଜାନରୁ ଏହି କାବ୍ୟ ବିଷୟରେ ଅନେକ କଥା ସ୍ପଷ୍ଟ ହୁଏ । ଅର୍ଥାତ୍‌ ଏହି କବିତା ଭିତରେ ଗୋଟିଏ କ୍ଷୁଦ୍ର ମଧ୍ୟଯୁଗୀୟ ଦଂତକଥାର ପ୍ରବାହ ରହିଛି । ମିସ ଜେସୀ ଓ୍ୱେଷ୍ଟନ ତାଙ୍କ ବହି ‘‘ଫ୍ରମ୍‌ ରିଚୁଅଲ୍‌ଟୁ ରୋମାନ୍‌ସରେ’’ରେ ଜନୈକ ଧୀବର ରାଜା ଓ ତାଙ୍କ ଅନୁର୍ବର ପ୍ରଦେଶ ବିଷୟକ ଗଳ୍ପ ସଂଗୃହୀତ କରିଛନ୍ତି । ଆଲୋଚ୍ୟ କାବ୍ୟଟି ସେଥିରୁ ପ୍ରେରଣାପ୍ରାପ୍ତ-। ଧୀବର ରାଜା ନିଜେ ଶକ୍ତିହୀନ ଓ ନପୁଂସକ । ସେହି ପ୍ରଦେଶ ମଧ୍ୟ ଶାପଗ୍ରସ୍ତ । ବର୍ଷାର ଅଭାବରୁ ମୃତ୍ତିକାର ସମସ୍ତ ଶକ୍ତି ବଂଧ୍ୟା । ଯେ ପର୍ଯ୍ୟନ୍ତ କୌଣସି ସାମନ୍ତ ଆସି ରାଜାଙ୍କ ପାଖସ୍ଥ ବିକ୍ଷିପ୍ତ ବସ୍ତୁଗୁଡ଼ିକର ଅର୍ଥ ଜିଜ୍ଞାସା ନ କରେ ସେ ପର୍ଯ୍ୟନ୍ତ ସେ ପ୍ରଦେଶ ଶାପଗ୍ରସ୍ତ ଏବଂ ଅନୁର୍ବର ରହିଥିବ । ଏହି କିମ୍ୱଦନ୍ତୀ ପରେ ‘‘ଗ୍ରେଲଲୀଜେଂଡ଼’’ରେ ଗୃହୀତ ହୋଇଛି । ସେଥିରେ ରାକ୍ଷସମାନଙ୍କ ଦ୍ୱାରା ରକ୍ଷିତ ଦେବସ୍ଥାନକୁ ଜନୈକ ସାମଂତଂକର ଗମନ, ପ୍ରତୀକଗୁଡ଼ିକର ଅର୍ଥ ବିଷୟରେ ଜିଜ୍ଞାସା ଓ ଅର୍ଥ ଗ୍ରହଣ (ଜୀବନର ମାର୍ଗ ପ୍ରକୃତରେ ମୃତ୍ୟୁ ଦେଇ ଦୁଷ୍ଟ ଏବଂ ନାଶବସ୍ତୁ ନିର୍ମାଣ-କ୍ରିୟାର ପ୍ରେରକ) ପ୍ରଭୃତି କଥା ଉଲ୍ଲେଖ କରାଯାଇଚି । ଓ୍ୱେଷ୍ଟଲେଂଡର ପ୍ରକୃତ ତାତ୍ପର୍ଯ୍ୟ ହେଲା ଆଧୁନିକ ମନୁଷ୍ୟ ତା’ର ଧାର୍ମିକ ପ୍ରତୀକଗୁଡ଼ିକର ଅର୍ଥ ବିଷୟରେ ଅନଭିଜ୍ଞ ଏବଂ ଜାଣିବାର ଇଚ୍ଛା ବା ଜିଜ୍ଞାସା ମଧ୍ୟ ତା’ର ନାହିଁ । ଏଣୁ ଧାର୍ମିକ ଓ ତାତ୍ତ୍ୱିକ ଦୃଷ୍ଟି ବିନା ଦେଶକୁ ଉର୍ବର କରି ହେବନାହିଁ ।

 

ଆଧୁନିକ ଖଣ୍ଡିତ ବିଶ୍ୱମନ ସଦୃଶ ଏହି କାବ୍ୟଟି ମଧ୍ୟ ଖଣ୍ଡିତ ବିଶୃଙ୍ଖଳ; କିନ୍ତୁ ଉଦାର ଚେତନା ଏବଂ ବେଦନାରେ ପରିପୂର୍ଣ୍ଣ । ଏହି ମହା-କବିତାଟି ବିଶେଷତଃ ପାଞ୍ଚ ଭାଗରେ ବିଭକ୍ତ ଯଥା :–

 

(୧) ମୃତ ସଂସ୍କାର (Burial of the dead....)

 

(୨) ଶତରଂଜ ଖେଳ (Game of chess)

 

(୩) ଅଗ୍ନିଦୀକ୍ଷା (Fire sermon)

 

(୪) ଜଳେନ ମୃତ୍ୟୁ ବ ଜଳ ସମାଧି (Death by water)

 

(୫) ବିଦ୍ୟୁତ୍‌ବାଣୀ (what the thunder said)

 

ମୃତ-ସଂସ୍କାର ଅଂଶଟିରେ ଗୋଟିଏ ଘୃଣିତ ଜଗତର ଚିତ୍ର ଦେଖାଯାଏ । ଏହି ଜଗତ ବସଂତର ନବଦାୟିନୀ ଶକ୍ତିରେ ବିଶ୍ୱାସ କରେ ନାହିଁ । ଏଣୁ ‘‘April is the cruellest month.’’ କିନ୍ତୁ ଶିଶିରର ଶୁଷ୍କ ଚେତନାହୀନ ଅବସ୍ଥାରେ ଆସ୍ଥା ରହିଛି । ଅତଏବ–‘‘Winter kept us warm & covering’’ ଏ ଦେଶବାସୀଙ୍କର ଜୀବନ ପ୍ରତି କୌଣସି ଆକର୍ଷଣ ନାହିଁ । ପରମ୍ପରା ଓ ଧର୍ମ ପ୍ରତି ବିଶ୍ୱାସ ଲୋପ ପାଇଚି । ଏପରିକି କି ବାଇବଲର ‘ରିଜରେ-କ୍‌ସନ୍‌’ ଟ୍ରେଲ୍‌କଥାର ‘‘ପ୍ୟୁରିଫିକେସନ୍‌’’ ଏବଂ ଉର୍ବର ମାର୍ଗର ପୁନର୍ଜୀବନରେ ଏମାନଙ୍କର ଆଦୌ ବିଶ୍ୱାସ ନାହିଁ ।

 

ଏହି ପ୍ରକରଣରେ ଥିବା ମେଡ଼େମ୍‌ ସୋସେଟ୍ରିସ୍‌ ସ୍ୱୟଂ ଭୟାକୁଳା, ସଂକୁଚିତା, ସର୍ଦିଦ୍ୱାରା ତାଙ୍କ କଣ୍ଠ ରୁଦ୍ଧ, ସତ୍ୟକୁ ବ୍ୟକ୍ତ କରିବାରେ ସେ କୁଣ୍ଠିତା ଓ ଭୀତା ! ସେ ଟେରେଟ୍‌ ତାସ ଗୁଡ଼ିକର ଯେଉଁ ଫୋନେସିଅନ୍‌ ନାବିକର ଇଙ୍ଗିତ ଦିଅନ୍ତି, ତାହା ଆଧୁନିକ ଜୀବନର ଅସ୍ଥିରତା, ମୃତ୍ୟୁ ଏବଂ କ୍ଷଣିକତାର ସୂଚନା । ଇଂରେଜ ଆଲୋଚକଗଣ ଏହି ସଙ୍କେତକୁ ଗ୍ରେଲ୍‌ଲିଜଂଡର ସାମଂତଂକ ଜିଜ୍ଞାସା ପ୍ରାଚୀନ ମିଶର ଦେଶର ଉନ୍ନତିସୂଚକ ଜୁଆର ବିଷୟରେ ତାସ-ପତ୍ର ଦ୍ୱାରା ସୂଚନା ବିତରଣ ସହିତ ଏବଂ (ଜଳ ମୃତ୍ୟୁକୁ) ବାପ୍‌ଟିଜ୍‌ମ ସହ ସଂପୃକ୍ତ କରନ୍ତି । କାରଣ ଜଳ ଜୀବନ ଓ ମୃତ୍ୟୁର କାରଣ । ଏଲିଯାବେଥ୍‌ ଡ୍ରିୟୁଂକ ମତରେ ଏହାଦ୍ୱାରା କଳାର ନୈତିକ ଓ ଆଧ୍ୟାତ୍ମିକ କ୍ରିୟାଶୀଳତାର ମୃତ୍ୟୁ ସୂଚିତ ହୁଏ । ଫେନେସିଅନ୍‌ ସମୁଦ୍ରଯାତ୍ରୀ ବିଷୟକ ବିବରଣୀ ପାଠକଲେ ଜଣାଯାଏ ଯେ, ତାହା ‘‘ଏଡ଼ୋନିସ’ ଦେବତାର ପ୍ରତୀକ, ଯାହାକି ଏଲେକଜେଂଡ଼୍ରିୟାରୁ ଯାଇ ବେବିଲୋନରେ ଲାଗିଥିଲା ଏବଂ ସେଠାରେ ବସନ୍ତର ପୁନରାଗମନ ଉଦ୍ଦେଶ୍ୟରେ ପୂଜିତ ହୋଇଥିଲା ।

 

ଏହି ବିବିଧ ବିତର୍କ ଓ ସଂଦର୍ଭକୁ ଛାଡ଼ି ସାଧାରଣ ପାଠକ ହିସାବରେ ଚିନ୍ତା କଲେ ଜଣାଯାଏ ଯେ ଏହି ପ୍ରକରଣରେ କେହି ଜଣେ ଅଦୃଷ୍ଟ ଯାତ୍ରୀ ଅବଶ୍ୟ ରହିଛି, ଏବଂ ଏକ ବଂଜର ପ୍ରଦେଶ ଦେଇ ତା’ର ଗତି । ଫୋନେସିଅନ ସେଲର ନିଜେ ନାବିକ ବ୍ରିଟିଶ ଜାତିର ପ୍ରତୀକ କାହିଁକି ନ ହେବ ? ଯା’ର ସ୍ଥିତି ବିଶ୍ୱଯୁଦ୍ଧ ପରେ ବିପଜ୍ଜନକ, ସୌନ୍ଦର୍ଯ୍ୟ ଓ ଗର୍ବ ଲୁଣ୍ଠିତ ! ଏଣୁ ବିଶେଷ କରି ‘‘Those are pearls that were his eyes’’ର ଅର୍ଥ କରାଯାଇପାରେ ଯେ, ୟୁରୋପର ନୌବାଣିଜ୍ୟ ପ୍ରଧାନ ଜାତିଗୁଡ଼ିକର ଚକ୍ଷୁସ୍ତିମିତ, ଜ୍ୟୋତିହୀନ ଏବଂ ମୃତ-ଅର୍ଥାତ ସମ୍ପୂର୍ଣ୍ଣ ପାଶ୍ଚାତ୍ୟ ଦେଶ ଚକ୍ଷୁଶକ୍ତି ହରାଇ ନିର୍ଜୀବ ହୋଇ ପଡ଼ିଛି ।

 

ପୂର୍ବରୁ ସ୍ୱୀକାର କରାଯାଇଚି ଯେ, ଓ୍ୱେଷ୍ଟଲେଂଡ଼ରେ କଥା ପ୍ରବାହ ନାଇଁ କହିଲେ ଚଳେ-। ଯାହା ଅଛି ବା ଯାହାର ଅର୍ଥ କରାଯାଉଚି ତାହା ସେ ଦେଶର ଜାଗରୁକ ଆଲୋଚକଙ୍କଠାରୁ ଆମେ ଗ୍ରହଣ କରିଥାଉଁ । କିନ୍ତୁ ଏତିକି ଅବଶ୍ୟ ଅଭାବ କରିହୁଏ ଯେ, ଖଣ୍ଡିତ ରୂପକଳ୍ପ ଦ୍ୱାରା ସୃଷ୍ଟ ଏହି କଳାକୃତିର ବିଶ୍ଳେଷଣ କଲେ ଆମେ ବିଂଶ ଶତାବ୍ଦୀର ଧର୍ମରହିତ୍ୟ, ଚାରିତ୍ରିକ ପତନ, ବ୍ୟଭିଚାର, ସତ୍ୟାଭିବ୍ୟକ୍ତିର ଭୟ, ଅନ୍ତଃସାରଶୂନ୍ୟତା ଏବଂ ବିବେକ ଦୃଷ୍ଟିହୀନତା ପ୍ରଭୃତି ପାଇଥାଉଁ । ଯଥା :–

 

(କ) nd the drystone no sound of water = ଶୁଷ୍କତା

 

(ଖ) I will show you fear in a handful of dust = ଭୀତି

 

(ଗ) You gave me hyacinths first a year ago = ପ୍ରୀତି

 

(ଘ) One must be so careful these days = ସଜାଗ୍ରତା (ଚେତାବନୀ)

 

(ଙ) A crowd flowed over London Bridge = କ୍ଷଣିକତା

 

(ଚ) That corpse you planted last year in your garden = ଅମାନବିକତା, ପ୍ରଚ୍ଛନ୍ନବାସନା ଓ ପାପ ପ୍ରଭୃତି ।

 

ଏହିପରି ପ୍ରଥମ ଖଣ୍ଡଟି ବିଖଣ୍ତିତ ଦନ୍ତକଥା ଓ ଖଣ୍ଡିତ ରୂପକଳ୍ପ ଦ୍ୱାରା ମୁଖ୍ୟତଃ ବିଂଶ ଶତାବ୍ଦୀର ଭୀତି, ପ୍ରୀତି ଏବଂ କୁଣ୍ଠିତ ବାସନା ପ୍ରଭୃତିର ସୂଚକ ଏବଂ ଏହାର ପ୍ରତିକ୍ରିୟା ରୂପେ ଅନ୍ୟାନ୍ୟ ବିଭାଗଗୁଡ଼ିକର ଯୋଜନା ।

 

କେତେକ ଆଲୋଚକଙ୍କ ମତରେ ଦ୍ୱିତୀୟଖଣ୍ଡ ‘‘ଶତରଞ୍ଜ-ଖେଳ’’ ମିଡ଼ିଲ୍‌ଟନଂକ ନାଟକ ‘‘ଓ୍ୱିମେନ୍‌ ବିଓ୍ୱେର ଓ୍ୱିମେନ’’ର ସଙ୍କେତ ଦିଏ–ଯେଉଁଥିରେ କି ଜଣେ ବିଧବାଙ୍କୁ ଶତରଞ୍ଜ ଖେଳରେ ବ୍ୟସ୍ତ ରଖି ତା’ର ପୁତ୍ରବଧୁଙ୍କ ସହିତ ବ୍ୟଭିଚାର କରାଯାଏ । ଯୌନ ଆକ୍ରମଣର ଘାତପ୍ରତିଘାତକୁ ଶତରଞ୍ଜ ଖେଳର ଚାଲ୍‌ ଦ୍ୱାରା ଧ୍ୱନିତ କରାଯାଇଛି । ଏହି ଅଂଶଟିରେ ଯେଉଁ ପାରମ୍ପରିକ ପ୍ରତୀକଯୁକ୍ତ ଗୃହର ବର୍ଣ୍ଣନା କରାଯାଇଛି, ନବ୍ୟ ସଭ୍ୟ ବ୍ୟକ୍ତି ତା’ର ଅର୍ଥ ବୁଝେ ନାହିଁ । କେବଳ Hot water at ten କିମ୍ୱା ‘A closed car at four’ର କୃତ୍ରିମ ବାତାବରଣ ଭିତରେ ଜୀବନଯାପନ କରି ନିଜକୁ ଜ୍ଞାନୀ, ମାନୀ ଓ ସଂଭ୍ରାଂତବଂଶୀୟ ବୋଲି ଭାବେ । ଏଭଳି ବ୍ୟକ୍ତିର ଜୀବନ ଯାନ୍ତ୍ରିକ ଓ ପ୍ରଦର୍ଶନପୂର୍ଣ୍ଣ । ଏହି ପ୍ରକରଣଟି କୃତ୍ରିମ ଜୀବନଯାପନ ଓ ବିକୃତ ଯୌନ ବାସନାକୁ ସ୍ପଷ୍ଟ କରେ । ଆଧୁନିକା ନାରୀ ବିବାହ କରେ କିନ୍ତୁ ସନ୍ତାନ-କାମନା ଇଚ୍ଛାରେ ନୁହେଁ, ଉପଭୋଗ ଆଶାରେ । ଏଣୁ ଇଲିଏଟ୍‌ ପ୍ରଶ୍ନ କରିଛନ୍ତି–

 

What you get married for if you don't want children ? (165)

 

ବିଳାସ ବ୍ୟସନପୂର୍ଣ୍ଣ ଭବନର ନାୟିକା (ଯେ ତା’ର ସ୍ୱକୀୟ କକ୍ଷର ପ୍ରତୀକାର୍ଥ ବୁଝିବାରେ ଅସମର୍ଥ) ଏବଂ ଡ୍ରଇଂଗ୍‌ ରୁମ୍‌ରେ ସ୍ତ୍ରୀ (ଯେ ନକଲି ଦାନ୍ତରେ ସୌନ୍ଦର୍ଯ୍ୟ ବଢ଼ାଏ) ଉଭୟେ ସମାଜରେ ବିକୃତ ଯୌନ ବାସନାର ଉଦ୍‌ଘୋଷିକା । ଏହି ଦ୍ୱିତୀୟ ଖଣ୍ଡର ଶେଷାଂଶରେ ହେମଲେଟ୍‌ ନାଟକର ଓଫେଲିୟା ସମ୍ପର୍କୀୟ ଯେଉଁ ସଂଦର୍ଭ ଦିଆଯାଇଚି ସେଥିରୁ ଶୁଦ୍ଧ କୌମାର୍ଯ୍ୟ ଏବଂ ଅନ୍ୟାନ୍ୟ ପ୍ରେମର ସନ୍ଦେଶ ଧ୍ୱନିତ ହୁଏ, ଯାହାକି ଆଧୁନିକ କୃତ୍ରିମ-ସୌନ୍ଦର୍ଯ୍ୟ ପ୍ରସାଧନ ଓ ବିକୃତ ପ୍ରଣୟ ପ୍ରତି ଏକ ବଳିଷ୍ଠ ପଦାଘାତ ।

 

ତୃତୀୟ ଖଣ୍ଡ ‘ଅଗ୍ନିଦୀକ୍ଷା’ ସେଣ୍ଟ ଅଗାଷ୍ଟାଇନ ଓ ବୁଦ୍ଧ-ଦର୍ଶନର ଚିନ୍ତାଧାରା ଦ୍ୱାରା ପ୍ରଭାବିତ । ଏଥିରେ ସ୍ପେନସରଙ୍କ ପ୍ରୋଥେଲେମିୟନର ବିରୋଧାଭାସ ଉପରେ ଆଧାରିତ ଆଧୁନିକ ଯୁଗ-ସରିତାର ବର୍ଣ୍ଣନା କରାଯାଇଛି, ଯେଉଁଥିରେ କି ତେଲ ଓ ଅଲକତରାର ଗନ୍ଧ ପୂରି ରହିଛି । ଏହି ବିଭାଗଟିରେ ଆଧୁନିକ ଯୁଗର କୃତ୍ରିମତାର ବ୍ୟଞ୍ଜିତ ହେଉଛି । ଏପରିକି ଏଥିରେ ଧର୍ମ, କର୍ତ୍ତବ୍ୟ ଓ ନୀତିବାଦୀ ଦୃଷ୍ଟିର କୌଣସି ମୂଲ୍ୟ ରହୁନାହିଁ–ସ୍ଥାୟୀ ସଂବେଗଗୁଡ଼ିକ ଲୋପ ପାଇ ଆସୁଅଛି । ଏଣୁ ଟାଇପିଷ୍ଟ କିଶୋରୀ ଧର୍ଷିତ ହେଲାପରେ ମଧ୍ୟ କୌଣସି ଅପମାନ ବୋଧ କରୁନାହିଁ ।

 

‘‘Well now that is done and I am glad it's over ’’ (252)

 

ଅତଏବ ଟାଇପିଷ୍ଟ ନାୟିକା ଓ ତା’ର ପ୍ରେମିକର ପ୍ରେମ କେବଳ ଯାନ୍ତ୍ରିକ ଉପଭୋଗ ବ୍ୟତୀତ ଆଉ କିଛି ନୁହେଁ ।

 

ଏହି ବିଭାଗରେ ଟେଂପେଷ୍ଟର ଯେଉଁ ଅଂଶ ଧ୍ୱନିତ ହୁଏ, ତାହାଦ୍ୱାରା ଅସ୍ଥି ମୁକ୍ତାରେ କିମ୍ୱା ଚକ୍ଷୁ ମୋତିରେ ପରିଣତ ହୁଏ ନାଇଁ । କେବଳ ଅସ୍ଥିର ଖଡ଼ ଖଡ଼ ଶବ୍ଦ ଶୁଭେ । ଏହି ଦୃଶ୍ୟ ଆଉ ସ୍ୱର ସାଂସ୍କୃତିକ ହ୍ରାସର ସୂଚକ ।

 

ଏହି ଖଣ୍ଡରେ କବି କହିଛନ୍ତି ଯେ, ‘‘ଟେରେସିସ୍‌’’ ହେଉଛି ସମ୍ପୂର୍ଣ୍ଣ ଘଟଣାର ଦ୍ରଷ୍ଟା । ଏହି ଚରିତ୍ର ଅର୍ଦ୍ଧନାରୀ–ଅର୍ଦ୍ଧ ପୁରୁଷ । ମୈଥୁନମଗ୍ନ ସର୍ପ ଉପରେ ଆକ୍ରମଣ କରିବା ଯୋଗୁଁ ସେ ନାରୀ ପାଲଟି ଯାଇଥିଲା ଏବଂ ସାତବର୍ଷ ପରେ ଶାପମୁକ୍ତ ହୋଇଥିଲା । ଟେରେସିସ୍‌ ଶାପଗ୍ରସ୍ତ ଓ ଅନ୍ଧ ହେଲେହେଁ ଭବିଷ୍ୟତ ଦ୍ରଷ୍ଟା ହେବାର ଦୈବୀଶକ୍ତି ପ୍ରାପ୍ତ କରିଥିଲା । ଏଣୁ ଓ୍ୱେଷ୍ଟଲେଂଡ଼୍‌ର ସାମ୍ୟ, ବୈଷମ୍ୟ ଓ ହ୍ରାସ ସହ୍ୟକରିବା ପାଇଁ ଟେରେସିସ୍‌ ହିଁ ହେଉଚି ଉପଯୁକ୍ତ ପ୍ରତୀକ ।

 

ଆଲୋଚକମାନଙ୍କ ମତରେ ଏହି ପ୍ରେରଣା ହୁଏତ ଇଲିଏଟ୍‌ ‘ହେନେରୀ ଜେମ୍‌ସ’ଙ୍କର ‘‘ଦି ଏଂବାସେଡେର’’ ଗତ ‘ଷ୍ଟେଥର’ ଅଂଶରୁ ପାଇଥାଇ ପାରନ୍ତି । କିନ୍ତୁ ସେପେକ୍ଳିସ୍ଂକ ନାଟକ ‘ଆଡ଼ି-ପସରେକ୍‌ସ’ର ଥେବସ୍‌ ଭୂମି ମଧ୍ୟ ଓ୍ୱେଷ୍ଟଲେଣ୍ଡ ପରି ଶାପଗ୍ରସ୍ତ ଏବଂ ଟେରେସିସ୍‌ ହେଉଛି ସେଇ ଶାପ ବିମୋଚନର ମୂଳ କାରଣ ।

 

ଉକ୍ତ ଅଗ୍ନିଦୀକ୍ଷାର ଶେଷ ଭାଗରେ Burn Burn ପ୍ରଭୃତି ଉଦ୍ଧରଣ ଯୋଗେ ବୁଦ୍ଧଦେବଙ୍କର ବାଣୀ-ଦୁଃଖ ସମୁଦାୟ ଓ ତା’ର ନାଶ ବା ତୃଷ୍ଣା ବିନାଶର ଦର୍ଶନ ଧ୍ୱନିତ ହୁଏ ।

 

ଚତୁର୍ଥ ଖଣ୍ଡ Death by water ବା ଜଳେନ ମୃତ୍ୟୁ କିମ୍ୱା ଜଳ ସମାଧିରେ ଫୋନେସିଅନ୍‌ ନାବିକର କଥା ଉଲ୍ଲେଖ କରାଯାଇଚି । ଦିନେ ଏହି ନାବିକ ସୁଦୀର୍ଘ ଓ ସୁନ୍ଦର ଥିଲା-। କିନ୍ତୁ ବର୍ତ୍ତମାନ ତା’ର ସତ୍ତା ନାହିଁ । ଏହି ମରଣଭୀତି ଓ ଚେତାବନୀ ଏଥିରୁ ଧ୍ୱନିତ ହୋଇଥାଏ । ପ୍ରଥମ ଖଣ୍ଡରେ ବ୍ୟକ୍ତ ମେଡ଼େମ୍‌ ସୋସେଟ୍ରିଂକ ଭବିଷ୍ୟବାଣୀ ସହିତ ଏହାର ପୂର୍ଣ୍ଣ ସମ୍ବନ୍ଧ ରହିଚି । ଏଇ ଜଳମୃତ୍ୟୁ ଉର୍ବରାଶକ୍ତି ଓ ପୁନର୍ଜନ୍ମର ପ୍ରତୀକ-।

 

ପଞ୍ଚମ ଖଣ୍ଡ ବିଦ୍ୟୁତ୍‌ ବାଣୀରେ ସାଂସ୍କୃତିକ ଅବକ୍ଷୟ ଏବଂ ଶୁଷ୍କ ପ୍ରଦେଶର ବର୍ଣ୍ଣନା ଦେଖାଯାଏ–ଯେଉଁଠି ପଥର ଅଛି ପାଣି ନାହିଁ, ଗଛ ଅଛି ପତ୍ର ନାହିଁ କିମ୍ୱା ଛାୟା ନାହିଁ । ଜଳର ଟପ୍‌ଟପ୍‌ ଶବ୍ଦ ଶୁଣାଯାଏ କିନ୍ତୁ ଜଳ (ଜୀବନ) ଲବ୍‌ଧ ହୁଏ ନାହିଁ । (ଏଇ ବର୍ଣ୍ଣନା ପ୍ରଥମ ମହାଯୁଦ୍ଧ ପରବର୍ତ୍ତୀ ୟୁରୋପର ଚିତ୍ର ସଙ୍ଗେ ତୁଳନୀୟ) ।

 

ଏହି ଶୁଷ୍କ ପ୍ରଦେଶ ସହିତ, ‘‘ମେଘଗର୍ଜନ ଏବଂ ବର୍ଷା’’ର ଉପନିଷଦୀୟ ସଂଦର୍ଭ-ସଂଯୋଗ ଅତ୍ୟନ୍ତ ମହତ୍ତ୍ୱକର । ‘ଜଳ’ ବା ଜୀବନ (କିମ୍ୱା ତୃପ୍ତି ବା ଆନନ୍ଦ) ପ୍ରାପ୍ତି ପାଇଁ, ଧ୍ୱସ୍ତ ଦେଶକୁ ପୁନରାଂକୁରିତ କରିବା ପାଇଁ ସାଧନା ଆବଶ୍ୟକ । ସଂସ୍କୃତିକ ପତନ ଓ ଦୁର୍ଦ୍ଦିନ ଭିତରେ ଆମ ପଛରେ ସେଇ ତୃତୀୟ ବ୍ୟକ୍ତି ବା ଈଶ୍ୱରଙ୍କ ବରଦ ଛାୟା ଅବଶ୍ୟ ରହିଛି । କିନ୍ତୁ ତାକୁ ଚିହ୍ନିବାକୁ ଧାର୍ମିକ ଦୃଷ୍ଟି ଆବଶ୍ୟକ । ଏହି ଦୃଷ୍ଟିପ୍ରାପ୍ତି ପାଇଁ ମନୁଷ୍ୟକୁ ‘ଦାନ, ଦୟା ଓ ଦମନ’ ମନ୍ତ୍ରରେ ଦୀକ୍ଷିତ ହେବାକୁ ହେବ । ନଚେତ୍‌ ବିଶ୍ୱରେ ଶାନ୍ତି ଅସମ୍ଭବ । ଏହି ଶେଷାଂଶଟି ଭାରତୀୟ ବେଦାନ୍ତର, ଏଣୁ ଭାରତୀୟ ଦର୍ଶନ ଓ ବିଶ୍ୱଶାନ୍ତି ସହିତ ଅତି ମାତ୍ରାରେ ଜଡ଼ିତ ।

 

ପରିଶେଷରେ ସଂକ୍ଷେପରେ କହିବାକୁ ଗଲେ ଓ୍ୱେଷ୍ଟଲେଂଡ଼୍‌ କାବ୍ୟରେ ସାମ୍ୟ ଓ ବୈଷମ୍ୟ ପ୍ରଦର୍ଶନ ରୀତିରେ ପ୍ରାଚୀନ ଓ ନବୀନ ମଧ୍ୟରେ ସାମଞ୍ଜସ୍ୟ ସ୍ଥାପନ କରାଯାଇଛି । ପ୍ରାଚୀନ, ମଧ୍ୟ ଯୁଗୀୟ ଓ ଆଧୁନିକ ମାନସିକ ଅନୁଭବକୁ ସମଧରାତଳରେ ଠିଆ କରି ନିରୀକ୍ଷଣ କରାଯାଇଚି ଏବଂ ମାନବୀୟ ସଂସ୍କୃତିର ପତନ ଓ ମୁକ୍ତି, ଜୀବନ ଓ ମୃତ୍ୟୁ, ଧର୍ମ ଓ ଧାରଣାଜନିତ ଗମ୍ଭୀର ସମସ୍ୟାଗୁଡ଼ିକୁ ବ୍ୟଞ୍ଜିତ କରାଯାଇଛି । ବସ୍ତୁତଃ ୱେଷ୍ଟଲେଂଡ଼୍‍ ବିବିଧ ରୂପକଳ୍ପର ମହାସୌଧ–ଶବ୍ଦ-ଅର୍ଥରୁ ମୁକ୍ତ ଏକ ଅଖଣ୍ଡ ସଙ୍ଗୀତର ମୂର୍ଚ୍ଛନା ! ଏଥିରେ ଶବ୍ଦ ଅର୍ଥ ଓ କଥା ପ୍ରବାହ ଅପେକ୍ଷା ସିଧାସଳଖ ବ୍ୟଞ୍ଜନା ଓ ଅନୁଭବକୁ ଅଭିବ୍ୟକ୍ତିର ମୂଳ ବୋଲି ଧରାଯାଇଚି । ଅତଏବ ଓ୍ୱେଷ୍ଟଲେଂଡ଼୍‌ର ଲୋକପରକ ଦୃଷ୍ଟିଭଙ୍ଗୀ ସାମାଜିକ ଅବକ୍ଷୟ ଦେଇ ଏକ ନବୀନ ପନ୍ଥାନ୍ୱେଷଣ, ଶବ୍ଦ ଅର୍ଥ ଓ ପ୍ରତୀକୋତ୍ତର ରସ-ଧ୍ୱନି ଏବଂ ବିଶ୍ୱ ସନ୍ଦେଶ ପରିବେଷଣ ତାକୁ ଏକ ମହାକବିତା ବା ମହାକାବ୍ୟର ସଫଳତା ଆଡ଼କୁ ଟାଣିନେଉଛି ।

 

ଭାରତୀୟ ଦୃଷ୍ଟିକୋଣରୁ ଦେଖିଲେ ବ୍ୟଞ୍ଜନା ବା ଧ୍ୱନିପ୍ରଧାନ କାବ୍ୟ ହିଁ ଶ୍ରେଷ୍ଠକାବ୍ୟ । ଏହା ସତ୍ତ୍ୱେ ମୁଁ କହିବାକୁ ବାଧ୍ୟ ଯେ ‘‘ଓ୍ୱେଷ୍ଟଲେଂଡ଼’’ ଅନନୁକରଣୀୟ । ଏହି ଶବ୍ଦଟି ଦୁଇଟି ଅର୍ଥରେ ବ୍ୟବହୃତ ହୋଇପାରେ । ପ୍ରଥମତଃ ତାହା ଅନୁକରଣୀୟ ନୁହେଁ, ଦ୍ୱିତୀୟତଃ ତାହାର ଅନୁକରଣ ଅସମ୍ଭବ । ଅର୍ଥାତ୍‌ କବିତାଟି ଏତେ ବିଶୃଙ୍ଖଳ ଆଉ କ୍ଳିଷ୍ଟ ଯେ, କେବଳ ଶାନ୍ତି ସନ୍ଦେଶ ଓ ସମାଜର ଚିତ୍ର ପାଇବା ପାଇଁ ପାଠକ କିମ୍ୱା ଆଲୋଚକ କ୍ଳାନ୍ତ ହୋଇପଡ଼େ । ଏଣୁ ଏ ଧରଣର କାବ୍ୟ-ଶିଳ୍ପରୁ ଆଧୁନିକ କବିତା ଯେତେ ଶୀଘ୍ର ନିଜକୁ ମୁକ୍ତ କରେ ସେତିକି ଭଲ, ଅନ୍ୟଥା ପ୍ରଗତି ଅସମ୍ଭବ । ଆଜି ରାଷ୍ଟ୍ର-ରାଷ୍ଟ୍ରର ସୀମାକୁ ଭାଙ୍ଗି ବିଶ୍ୱ ସଭ୍ୟତା ଓ ସଂସ୍କୃତି ଯେତେବେଳେ ଏକ ହେବାକୁ ବସିଛି, ସମନ୍ୱୟ ଆଧାରରେ ଓ୍ୱେଷ୍ଟଲେଂଡ଼୍‌ଠାରୁ ମଧ୍ୟ ମହତ୍ତର କବିତା-ସୃଜନର ଆଶା କେବଳ ଭାବୀ ନୂତନ କବିତା ବା ଅତ୍ୟାଧୁନିକ କବିତାଠାରୁ ହିଁ କରାଯାଇପାରେ ।

 

କିଞ୍ଚିତ୍‌

 

ହୁଏତ ବିଶ୍ୱର ପ୍ରତ୍ୟେକ ସାହିତ୍ୟ ବିଶ୍ୱ-ସାହିତ୍ୟର, କିନ୍ତୁ ପ୍ରତ୍ୟେକ ସାହିତ୍ୟର ପ୍ରତ୍ୟେକ ରଚନା ବିଶ୍ୱସାହିତ୍ୟର ଅନ୍ତର୍ଭୁକ୍ତ ନୁହେଁ । ଯେଉଁ ରଚନା ବା କଳାକୃତି ପ୍ରାଦେଶିକ ଓ ଦେଶୀୟ ଗଣ୍ଡିକୁ ଭେଦକରି ସାର୍ବଭୌମ ସୀମାକୁ ସ୍ପର୍ଶ କରିବାର ଯୋଗ୍ୟତା ରଖିଥାଏ ତାହା କେବଳ ବିଶ୍ୱସାହିତ୍ୟ ସ୍ତରକୁ ଉନ୍ନୀତ ହୋଇପାରେ ।

 

ଇଚ୍ଛା ଥିଲା ‘ବିଶ୍ୱସାହିତ୍ୟ’ ନାମକ ଗ୍ରନ୍ଥରେ ପ୍ରତ୍ୟେକ ସାହିତ୍ୟର ଏ ଧରଣର ମୌଳିକ କଳାକୃତିଗୁଡ଼ିକର ପୁନର୍‌ମୂଲ୍ୟାଙ୍କନ ସନ୍ନଦ୍ଧ କରିବି । କିନ୍ତୁ ‘ବିଶ୍ୱସାହିତ୍ୟ’ ଅଗାଧ ସମୁଦ୍ର, ପୁଣି ଏକ କାଳରେ ସେଥିର ସମସ୍ତ ରତ୍ନ ଆହରଣ କରି ଏକତ୍ର କରିବା ଅସମ୍ଭବ ବ୍ୟାପାର । କାରଣ ପ୍ରତ୍ୟେକ ସାହିତ୍ୟର ଅନେକ ଅମର-ଗ୍ରନ୍ଥ ରହିଛି । ପୁଣି କୌଣସି ଗୋଟିଏ ସାହିତ୍ୟର ଗୋଟିଏ କକାକୃତିକୁ ସର୍ବଶ୍ରେଷ୍ଠ କିମ୍ୱା ପ୍ରତିନିଧିମୂଳକ ବୋଲି ଗ୍ରହଣ କରିବା ଅସମୀଚୀନ ନୁହେଁ, ବିବାଦାସ୍ପଦ ମଧ୍ୟ । ଅତଏବ ସାହିତ୍ୟ ଓ କାଳଭେଦରୁ ବିଭିନ୍ନ ମହାନ୍‌ ଗ୍ରନ୍ଥଗୁଡ଼ିକର ସମୀକ୍ଷା ଖଣ୍ଡଶଃ ପ୍ରକାଶ କରିବାର ବାସନା ରହିଲା ।

 

ପ୍ରଥମ ଖଣ୍ଡରେ ସଂସ୍କୃତ, ବଙ୍ଗଳା, ହିନ୍ଦୀ, ଇଂରେଜୀ, ଫରାସୀ, ନରଓ୍ୱେଜିଏନ, ଆମେରିକାନ୍‌ ଓ ରୁଷୀୟ ସାହିତ୍ୟର ଗୋଟିଏ ଲେଖାଏଁ କଳାକୃତିକୁ ସ୍ଥାନ ଦିଆଯାଇଛି । ଆଶା କରେ ଏହାଦ୍ୱାରା ଓଡ଼ିଆ ପାଠକ ଉପକୃତ ହେବେ । କିନ୍ତୁ ଏହାର ମୌଳିକ ଲକ୍ଷ୍ୟ ହେଲା, ଉତ୍କଳୀୟ ସମୀକ୍ଷାକୁ ପ୍ରାଦେଶିକ ଗଣ୍ଡିରୁ ମୁକ୍ତ କରିବା ଏବଂ ଭାରତୀୟ ତଥା ବୈଦେଶିକ ସାହିତ୍ୟ-ଜଗତରେ ପଦ ସଞ୍ଚାର କରାଇବା । ଏହାଦ୍ୱାରା ଓଡ଼ିଆ ସମାଲୋଚନା ସମୃଦ୍ଧ ହେବା ସଙ୍ଗେ ସଙ୍ଗେ ତୁଳନାତ୍ମକ ଅନ୍ତଦୃଷ୍ଟି ପ୍ରାପ୍ତ କରିବାରେ ସମର୍ଥ ହେବା ‘ବିଶ୍ୱ ସାହିତ୍ୟ ସମୀକ୍ଷା’ ଏ ଦିଗରେ ଏକ ପ୍ରାରମ୍ଭିକ କାର୍ଯ୍ୟ-ମାତ୍ର । ଶେଷରେ ଏ ଆଶାକୁ ପୂର୍ଣ୍ଣ କରିବାରେ ସାହାଯ୍ୟ କରିଥିବାରୁ ସମୟ ଓ ସମସାମୟିକତା ପ୍ରତି ସଚେତ ଉତ୍ସାହୀ ପ୍ରକାଶକ ବନ୍ଧୁ ଶ୍ରୀ ଗୋବିନ୍ଦବାବୁଙ୍କୁ ମୁଁ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରୁଛି, ଏବଂ ଗ୍ରନ୍ଥାର୍ପଣ ସକାଶେ ଅନୁମତି ଦେଇଥିବାରୁ ମୌଳିକ ସାହିତ୍ୟିକ ଓ ସାଂପ୍ରତିକ ସାଂସ୍କୃତିକ ବ୍ୟାପାର ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ମହାପାତ୍ରକୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ।

 

 

। ଇତି ।

କଟକ,

ତାରିଣୀଚରଣ ଦାସ

ଗଣେଶ ଚତୁର୍ଥୀ

୭-୯-୬୭

Image